ପାକିସ୍ତାନକୁ ହରାଇ ଭାରତ ଗ୍ରୁପ୍‌ ବିଜେତା

ଢାକା: ଚଳିତ ଏସିଆ କପ୍‌ ହକିରେ ଭାରତ ତା’ର ଆଧିପତ୍ୟ ଜାରି ରଖି ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ହାସଲ କରିନେଲା। ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୫-୧ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ବାଂଲାଦେଶକୁ ୭-୦ରେ ହରାବା ପରେ ଭାରତ ରବିବାର ତୃତୀୟ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲ୍‌ରେ ପରାସ୍ତ କରି ଅପରାଜେୟ ରହିଲା। କ୍ରମାଗତ ତୃତୀୟ ବିଜୟ ସହ ସର୍ବାଧିକ ୯ ପଏଣ୍ଟ୍‌ ପାଇ ଭାରତ ମଧ୍ୟ ଗ୍ରୁପ୍‌-ଏ ବିଜେତା ହେଲା। ଗ୍ରୁପ୍‌ ବିଜେତା ଭାବେ ଭାରତ ଶ୍ରେଷ୍ଠ ୪ ଦଳୀୟ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିଲା ବେଳେ ଭାରତଠୁ ପରାଜୟ ସତ୍ତ୍ୱେ ପାକିସ୍ତାନ (୪ ପଏଣ୍ଟ୍‌) ଦ୍ୱିତୀୟ ଦଳ ଭାବେ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେଇଛି। ଅନ୍ୟ ଦୁଇ ଦଳ ଜାପାନ ଓ ବାଂଲାଦେଶ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ରବିବାର ପ୍ରଥମ ମ୍ୟାଚ୍‌ରେ ଜାପାନ ୩-୧ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଜାପାନ ପକ୍ଷରୁ କେନ୍‌ଜି କିଟାଜାଟୋ (୨୨ ମିନିଟ୍‌) ଗୋଟିଏ ଓ କେଣ୍ଟା ଟନକା (୫୯ ଓ ୬୦ ମିନିଟ) ୨ଟି ଗୋଲ୍‌ ଦେଇଥିଲା ବେଳେ ବାଂଲାଦେଶ ପକ୍ଷରୁ ଏକମାତ୍ର ଗୋଲ୍‌ଟି ଚାୟନ୍‌ ମମୁନୁର୍‌ ରହମନ୍‌ (୨୮ ମିନିଟ୍‌) ଶୁଝି ଦେଇଥିଲେ। ଏହାସତ୍ତ୍ୱେ ଉଭୟ ଜାପାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି।
ରବିବାର ମ୍ୟାଚ୍‌ରେ ଭାରତ ଆରମ୍ଭରୁ ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଥିଲା। ୧୭ ମିନିଟ୍‌ରେ ଚିଙ୍ଗ୍‌ଲେସାନା କଙ୍ଗୁଜାମ୍‌ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ୪୪ ମିନିଟ୍‌ରେ ରମଣଦୀପ୍‌ ସିଂହ ଗୋଟିଏ ଗୋଲ୍‌ କରି ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲା ବେଳେ ୪୫ ମିନିଟ୍‌ରେ ହର୍‌ମନ୍‌ପ୍ରିତ୍‌ ସିଂହ ପେନାଲ୍‌ଟି କର୍ନରରୁ ଗୋଲ୍‌ କରି ବ୍ୟବଧାନ ୩-୦ରେ ପହଞ୍ଚାଇ ଦେଇଥିଲେ। ଲାଗ ଲାଗ ୩ଟି ଗୋଲ୍‌ ବରଣ କରିଥିବା ପାକିସ୍ତାନ ପ୍ରବଳ ଚାପରେ ପଡ଼ି ଯାଇଥିଲା ବେଳେ ୪୯ ମିନିଟ୍‌ରେ ଅଲ୍ଲୀ ସାନ୍‌ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ହେଲେ ଏହାପରେ ଉଭୟ ଦଳ କିଛିଟା ଉତ୍କଣ୍ଠା ମୁହୂର୍ତ୍ତ ସୃଷ୍ଟି କରିଥିଲେ ମଧ୍ୟ ଆଉ ଗୋଲ୍‌ ହୋଇନଥିଲା। ଭାରତୀୟ ଗୋଲ୍‌ରକ୍ଷକ ସୁରଜ୍‌ କାର୍‌କେରା ପାକିସ୍ତାନର ଦୁଇଟି ପେନାଲ୍‌ଟି କର୍ନର ପ୍ରୟାସକୁ ନିଷ୍ଫଳ କରିଦେଇଥିଲା ବେଳେ ଆକାଶ ଚିଟ୍‌କେ ମଧ୍ୟ ଭାରତ ପାଇଁ ଗୋଟିଏ ଗୋଲ୍‌ ବଞ୍ଚାଇ ଦେଇଥିଲେ।

ସମ୍ବନ୍ଧିତ ଖବର