ଧୋନିଙ୍କ ନାଁରେ ‘ଏସିଆ କପ୍‌’ରେ ହୋଇପାରିବ ଏହି ୩ଟି ବଡ଼ ରେକର୍ଡ!

ନୂଆଦିଲ୍ଲୀ: ବର୍ଷ ୨୦୦୮ରେ ପାକିସ୍ତାନରେ ନିଜର ପ୍ରଥମ ଏସିଆ କପ୍‌ ଖେଳିଥିବା ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ନାଁରେ ୩ଟି ବଡ଼ ରେକର୍ଡ ହୋଇପାରେ। ଏପର୍ଯ୍ୟନ୍ତ ଧୋନି ୨୦୧୦, ୨୦୧୨ ଓ ୨୦୧୬ ଏସିଆ କପ୍‌ରେ ରେକର୍ଡ ସୃଷ୍ଟି କରିଛନ୍ତି। ଏଥର ବି ଧୋନି ଏସିଆ କପ୍‌ ଖେଳୁଛନ୍ତି। ଏହା ପୂର୍ବରୁ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୨ ଓ ୨୦୧୬ରେ ଏସିଆ କପ୍‌ ଚାମ୍ପିଅନ ହୋଇଛି। ଭାରତ ୨୦୦୮ରେ ଏସିଆ କପ୍‌ରେ ଉପ-ବିଜେତା ଥିଲା। ଏସିଆ କପ୍‌ରେ ଧୋନି ଏକ ଦଶନ୍ଧି କ୍ରିକେଟ୍‌ ଖେଳିବା ଅଭିଜ୍ଞତା ଅଛି। ଦୀର୍ଘ ଦିନ ପର୍ଯ୍ୟନ୍ତ ଖେଳିଥିବାରୁ ଧୋନି ଚଳିତ ଏସିଆ କପ୍‌ରେ କିଛି ନୂଆ ରେକର୍ଡ କରିବାର ସମ୍ଭାବନା ରହିଛି।

ଧୋନିଙ୍କ ବୟସ ବଢ଼ିଛି କିନ୍ତୁ ତାଙ୍କ ବ୍ୟାଟିଂ ଓ କିପିଂ ଶୈଳୀ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ଏସିଆ କପ୍‌ରେ ଧୋନି ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍‌ରେ ଓ୍ଵିକେଟ୍‌କିପର ଭାବରେ ୨୪ ଜଣଙ୍କୁ ଶିକାର କରିଛନ୍ତି। ଏଥିରେ ୧୯ଟି କ୍ୟାଚ୍‌ ଓ ୫ ଷ୍ଟମ୍ପିଂ ସାମିଲ ରହିଛି। ଏସିଆ କପ୍‌ରେ ଓ୍ଵିକେଟ୍‌ କିପର ଭାବରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଅଧିକ ଓ୍ଵିକେଟ୍‌ ନେଇଛନ୍ତି। ସେ ୩୬ଜଣଙ୍କୁ ଶିକାର କରିଛନ୍ତି। ଏଥିରେ ୨୭ଟି କ୍ୟାଚ୍‌ ଓ ୯ ଷ୍ଟମ୍ପିଂ ସାମିଲ ରହିଛି।

ଧୋନି ଏସିଆ କପ୍‌ରେ ୯୫.୧୬ ହାରରେ ୫୭୧ ରନ୍‌ ସଂଗ୍ରହ କରିଛନ୍ତି। ମାତ୍ର ୧୦୩ ରନ୍‌ କରିବା ପରେ ଧୋନିଙ୍କୁ ଶ୍ରେଷ୍ଠ ୫ ଜଣିଆ କ୍ଲବରେ ସ୍ଥାନ ମିଳିଯିବ। ବର୍ତ୍ତମାନ ଏହି କ୍ଲବରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ନାଁ ୫ମ ସ୍ଥାନରେ ରହିଛି। ସେ ୨୮ଟି ମ୍ୟାଚ୍‌ରେ ୨୯.୩୦ ହାରରେ ୬୭୪ ରନ୍‌ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ସନତ ଜୟସୁରିଆ ୨୫ଟି ମ୍ୟାଚ୍‌ରେ ୧୨୨୦ ରନ୍‌ ସଂଗ୍ରହ କରି ଶ୍ରେଷ୍ଠ ସ୍ଥାନରେ ଅଛନ୍ତି।

ଧୋନିଙ୍କ ନାଁରେ ୩୨୧ ଦିନିକିଆ ମୁକାବିଲାରେ ୫୧.୨୫ ହାରରେ ୧୦,୦୪୬ ରନ୍‌ ଅଛି। ସର୍ବାଧିକ ରନ୍‌ ସଂଗ୍ରହ ମାମଲରେ ତାଙ୍କର ନାଁ ଦ୍ୱାଦଶ ସ୍ଥାନରେ ରହିଛି। ଧୋନିଙ୍କ ଉପରକୁ ଅଛନ୍ତି ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍‌, ଯିଏ କି ୧୦,୨୯୦ ରନ୍‌ ସଂଗ୍ରହ କରିଛନ୍ତି। ଅର୍ଥାତ ଧୋନି ଆଉ ୨୪୪ ରନ୍‌ ସଂଗ୍ରହ କରିଲେ, ଦିଲସାନଙ୍କୁ ପଛରେ ପକାଇ ପାରିବେ।

 

ସମ୍ବନ୍ଧିତ ଖବର