ମାଲେସିଆକୁ ୬-୨ରେ ହରାଇଲା ଭାରତ :ଆଜି ପାକିସ୍ତାନ ସହ ମୁକାବିଲା

ଢାକା: ଚଳିତ ଦଶମ ଏସିଆ କପ୍‌ ହକିର ଶ୍ରେଷ୍ଠ ୪ ଦଳ ମଧ୍ୟରେ ଚାଲିଥିବା ‘ସୁପର-୪’ ପର୍ଯ୍ୟାୟରେ ଭାରତ ଗୁରୁବାର ଦମ୍‌ଦାର ବିଜୟ ହାସଲ କରିଛି। ବୁଧବାର ଏହି ପର୍ଯ୍ୟାୟର ପ୍ରଥମ ମୁକାବିଲାକୁ ଗ୍ରୁପ୍‌-ବି ଦ୍ୱିତୀୟ ଦକ୍ଷିଣ କୋରିଆ ସହ ୧-୧ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ୍‌ ଭାଗ କରିଥିବା ଭାରତ ଗୁରୁବାର ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରୁପ୍‌-ବି ବିଜେତା ଶକ୍ତିଶାଳୀ ମାଲେସିଆକୁ ୬-୨ ଗୋଲ୍‌ର ବଡ଼ ବ୍ୟଧାନରେ ପରାସ୍ତ କରିଦେଇଛି। ଏହି ବିଜୟ ସହ ଭାରତ ମଧ୍ୟ ‘ସୁପର-୪’ ପର୍ଯ୍ୟାୟରେ ପଏଣ୍ଟ୍‌ ତାଲିକାର ଶୀର୍ଷକୁ ଲମ୍ଫ ଦେଇଛି। ପ୍ରତ୍ୟେକ ଦଳ ଏହି ପର୍ଯ୍ୟାୟରେ ୩ ଲେଖାଏଁ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ଭାରତ ୨ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ଗୋଟିଏ ଅମୀମାଂସିତ ସହ ୪ ପଏଣ୍ଟ୍‌ ପାଇଛି। ଅନ୍ୟ ୩ ଦଳ ସମାନ ସଂଖ୍ୟାକ ୨ ଲେଖାଏଁ ମ୍ୟାଚ୍‌ ଖେଳି ସାରିଥିଲା ବେଳେ ମାଲେସିଆ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ସହ ୩, ଦକ୍ଷିଣ କୋରିଆ ୨ ଅମୀମାଂସିତ ସହ ୨ ଏବଂ ପାକିସ୍ତାନ ଗୋଟିଏ ଲେଖାଏଁ ପରାଜୟ ଓ ଅମୀମାଂସିତ ସହ ୧ ପଏଣ୍ଟ୍‌ ପାଇ ତାଲିକାର ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଆସନ୍ତାକାଲି ଏହି ପର୍ଯ୍ୟାୟର ଶେଷ ଦିନ ଭାରତ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବାକୁ ଯାଉଥିଲା ବେଳେ ଅନ୍ୟ ମ୍ୟାଚ୍‌ରେ ମାଲେସିଆ-ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ। ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ୩-୧ ଗୋଲ୍‌ରେ ପରାସ୍ତ କରିଥିବାରୁ ଏହି ଧାରା ବଜାୟ ରଖି ଶ୍ରେଷ୍ଠ ୨ ଦଳ ମଧ୍ୟରେ ରହି ଭାରତ ଫାଇନାଲ୍‌ ଖେଳିବା ଲକ୍ଷ୍ୟ ରଖିଥିଲା ବେଳେ ଅନ୍ୟପଟେ ଭାରତଠୁ ଗ୍ରୁପ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟ ରଖିଛି ପାକିସ୍ତାନ। ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠରେ ରହିଥିଲା ବେଳେ ପାକିସ୍ତାନର ବିଶ୍ୱ ମାନ୍ୟତା ତ୍ରୟୋଦଶ ରହିଛି। ପାକିସ୍ତାନ ବିପକ୍ଷରେ କେବଳ ମ୍ୟାଚ୍‌ ଅମୀମାଂସିତ ରଖିପାରିଲେ ଭାରତ ଫାଇନାଲ୍‌ ଖେଳିବା ନିଶ୍ଚିତ କରିନେବ। ଅନ୍ୟପକ୍ଷରେ ମାଲେସିଆ ଓ ଦକ୍ଷିଣ କୋରିଆ ମୁକାବିଲାରୁ ଯିଏ ଜିତିବ ସେହି ଦଳ ହିଁ ଫାଇନାଲ୍‌ ଖେଳିବ।

ଗୁରୁବାର ପବିତ୍ର ଦୀପାବଳି ଅବସରରେ ମାଲେସିଆକୁ ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ଖୁସି ମନାଇଥିଲା। ବିଶେଷକରି ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଦଳକୁ ପରାଜୟରୁ ରକ୍ଷା କରିଥିବା ଗୁର୍‌ଜାଣ୍ଟ୍‌ ସିଂହ ମାଲେସିଆ ବିପକ୍ଷ ବିଜୟରେ ମଧ୍ୟ ନାୟକ ସାଜିଥିଲେ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ କ୍ଷଣରେ ଗୋଲ୍‌ କରି ଭାରତକୁ ପଏଣ୍ଟ୍‌ ଦେଇଥିବା ଜୁର୍‌ଜାଣ୍ଟ୍‌ ମାଲେସିଆ ବିପକ୍ଷରେ ମଧ୍ୟ ଗୋଲ୍‌ କରିଥିଲେ। ଆରମ୍ଭରୁ ମାଲେସିଆ ଉପରେ ଆଧିପତ୍ୟ ବିସ୍ତାର କରିଥିବା ଭାରତ ପୂରା ମ୍ୟାଚ୍‌ରେ ୫ ଫିଲ୍‌ଡ ଗୋଲ୍‌ କରିଥିଲା ବେଳେ ପେନାଲ୍‌ଟି କର୍ନରରୁ ଗୋଟିଏ ଗୋଲ୍‌ କରିଥିଲା।

ଆକାଶଦୀପ୍‌ ସିଂହ ୧୪ ମିିନିଟ୍‌ରେ ଭାରତ ପାଇଁ ଗୋଲ୍‌ ଅଭିଯାନ ଆରମ୍ଭ କରିବା ପରେ ୨୪ ମିନିଟ୍‌ରେ ଏସ୍‌କେ ଉଥପ୍ପା, ୩୩ ମିନିଟ୍‌ରେ ଗୁର୍‌ଜାଣ୍ଟ୍‌ ସିଂହ, ୪୦ ମିନିଟ୍‌ରେ ଏସ୍‌ଭି ସୁନିଲ ଓ ୬୦ ମିନିଟ୍‌ରେ ସର୍ଦାର ସିଂହ ଗୋଟିଏ ଲେଖାଏଁ ଫିଲ୍‌ଡ ଗୋଲ୍‌ କରିଥିଲେ। ଏଥିମଧ୍ୟରେ ୧୯ ମିନିଟ୍‌ରେ ହର୍‌ମନ୍‌ପ୍ରିତ୍‌ ସିଂହ ଗୋଟିଏ ପେନାଲ୍‌ଟି କର୍ନର ଗୋଲ୍‌ କରିଥିଲେ। ଫଳରେ ଭାରତ ମଧ୍ୟାନ୍ତର ସୁଦ୍ଧା ୩-୦ ଓ ତୃତୀୟ କ୍ୱାର୍ଟର ଶେଷ ବେଳକୁ ୫-୦ରେ ଆଗୁଆ ରହିଥିଲା। ଏହାପରେ ଚତୁର୍ଥ କ୍ୱାର୍ଟରରେ ଭାରତ ମାତ୍ର ଗୋଟିଏ ଗୋଲ୍‌ କରି ବ୍ୟବଧାନ ୬ରେ ପହଞ୍ଚାଇଥିଲା ବେଳେ ମାଲେସିଆ ଦୁଇଟି ଗୋଲ୍‌ ଶୁଝି ଦେଇଥିଲା। ୫୦ ମିନିଟ୍‌ରେ ରାଜି ରହିମ୍‌ ପେନାଲ୍‌ଟି କର୍ନରରୁ ଓ ୫୯ ମିନିଟ୍‌ରେ ରାମ୍‌ଦାନ୍‌ ରୋସ୍‌ଲି ଫିଲ୍‌ଡ ଗୋଲ୍‌ କରି ମାଲେସିଆ ବ୍ୟବଧାନ କମାଇଥିଲେ।
ଭାରତ-ମାଲେସିଆ ମୁକାବିଲା ପୂର୍ବରୁ ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଦକ୍ଷିଣ କୋରିଆ ଓ ପାକିସ୍ତାନ ମଧ୍ୟରେ ଅମୀମାଂସିତ ରହିଥିଲା। ଉଭୟେ ୧-୧ ଗୋଲ୍‌ କରି ପଏଣ୍ଟ୍‌ ବାଣ୍ଟି ନେଇଥିଲେ। ପାକିସ୍ତାନ ପକ୍ଷରୁ ଅଜାଜ୍‌ ଅହମ୍ମଦ ୧୫ ମିନିଟ୍‌ରେ ଏବଂ ଦକ୍ଷିଣ କୋରିଆ ପକ୍ଷରୁ ନାମ୍‌ୟଙ୍ଗ୍‌ ଲି ୪୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଫିଲ୍‌ଡ ଗୋଲ୍‌ କରିଥିଲେ। ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା ବେଳେ କୋରିଆ ଦଳ ଚତୁର୍ଥ କ୍ୱାର୍ଟରରେ ହିଁ ମ୍ୟାଚ୍‌ ବଞ୍ଚାଇ ଦେଇଥିଲା।

ସମ୍ବନ୍ଧିତ ଖବର