ଏସିଆ କପ୍‌: ଭାରତର ସ୍କୋର ୨୮୫ ରନ୍‌ ଜବାବ୍‌ରେ ହଂକଂର ବ୍ୟାଟିଂ ଜାରି, ବିନା ଓ୍ଵିକେଟ୍‌ରେ ସ୍କୋର ୮୯ ରନ୍‌

ଦୁବାଇ: ଭାରତ ପକ୍ଷରୁ ଦିଆଯାଇଥିବା ୨୮୬ ରନ୍‌ ଟାର୍ଗେଟ ନେଇ ହଂକଂ ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି। ‘ଗ୍ରୁପ୍‌-ଏ’ର ଦ୍ୱିତୀୟ ମୁକାବିଲାରେ ମଙ୍ଗଳବାର ଭାରତ ଓ ହଂକଂ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରିପୋର୍ଟ ଲେଖାଯିବା ବେଳକୁ ୧୫ ଓଭରରେ କୌଣସି ଓ୍ଵିକେଟ ନ ହରାଇ ୮୯ ରନ୍‌ ସଂଗ୍ରହ କରିଛି। ନିଜାକତ ଖାନ (୫୪) ଓ ଓଡ଼ିଆ ବଂଶୋଦ୍ଭବ ଅଶୁମାନ ରଥ (୨୯) ବ୍ୟାଟିଂ ଜାରି ରଖିଛନ୍ତି।

ପ୍ରଥମ ଇନିଂସରେ ଶିଖର ଧାଓ୍ଵନ୍‌ଙ୍କ ୧୪ତମ ଶତକ ବଳରେ ଭାରତ ହଂକଂ ବିରୋଧରେ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୨୮୫ ରନ୍‌ ସଂଗ୍ରହ କରିଛି। ଫଳରେ ହଂକଂକୁ ୨୮୬ ରନ୍‌ ଟାର୍ଗେଟ ମିଳିଛି। ଏସିଆ କପ୍‌ରେ ଭାରତର ପ୍ରଥମ ମ୍ୟାଚ୍‌ରେ ଧାଓ୍ଵନ୍‌ ହଂକଂ ବିରୋଧରେ ଧାଓ୍ଵନ ୧୨୭ ରନ୍‌ ସଂଗ୍ରହ କରି କେଡି ସାହାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଦିନେଶ କାର୍ତ୍ତିକ(୩୩ ରନ୍‌) ସଂଗ୍ରହ କରିଥିଲେ।

ଶିଖର ଧାଓ୍ଵନ୍‌ ପ୍ରଥମ ଓ୍ଵିକେଟ୍‌ ପାଇଁ ରୋହିତ ଶର୍ମାଙ୍କ ସହିତ ୪୫ ରନ୍‌ ଯୋଡ଼ିଥିଲେ। ଅମ୍ବାତି ରାୟଡୁଙ୍କ ସହିତ ସେ ୧୧୬ ରନ୍‌ ଓ ଅମ୍ବାତି ରାୟଡୁଙ୍କ ସହିତ ୩ୟ ଓ୍ଵିକେଟ୍‌ ପାଇଁ ୭୯ ରନ୍‌ ଭାଗିଦାରୀ ହୋଇଥିଲେ।

ଶିଖର ଧାଓ୍ଵନ୍‌ଙ୍କ ଓ୍ଵିକେଟ୍‌ ୨୪୦ ରନ୍‌ରେ ଘଟିଥିଲା। ସେ ୧୨୦ଟି ବଲ୍‌ ଖେଳି ୧୪ଟି ଚୌକା ଓ ୨ଟି ଛକା ମାରିଥିଲେ। ଶିଖରଙ୍କ ବ୍ୟତୀତ ରାୟଡୁ ୭୦ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। କାର୍ତ୍ତିକ ୩୮ଟି ବଲ ଖେଲି ୩ଟି ଚୌକା ମାରିଥିଲେ।

ଭାରତକୁ ପ୍ରଥମ ଝଟକା ଭାବରେ ଅଧିନାୟକ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ। ରୋହିତ ୨୩ ରନ୍‌ ସଂଗ୍ରହ କରି ସ୍ପିନର ଅହସାନ ଖାନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେ ୨୧ଟି ବଲ୍‌ ଖେଳିଥିଲେ। ହଂକଂର ଦ୍ୱିତୀୟ ଶିକାର ହୋଇଥିଲେ ଅମ୍ବାତି ରାୟଡୁ। ସେ ୬୦ ରନ୍‌ ଯୋଡ଼ିବା ପରେ ଆଉଟ୍‌ ହୋଇଥିଲେ। ଅହସାନ୍‌ ନଓ୍ଵାଜଙ୍କ ବଲରେ ଅମ୍ବାତି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର