ଦୁବାଇ: ବାଂଲାଦେଶ ବିରୋଧରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଶୁକ୍ରବାର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ରୋହିତ ୧୦୪ଟି ବଲ ଖେଳି ଅପରାଜିତ ୮୩ ରନ୍(୫ ଚୌକା, ୩ ଛକା) ଦଳ ପାଇଁ ଯୋଡ଼ିଛନ୍ତି। ବାଂଲାଦେଶର ସ୍କୋର୧୭୩ ରନ୍ ଜବାବରେ ଭାରତ ୩୬.୨ ଓଭରରେ ୩ ଓ୍ଵିକେଟ ହରାଇ ୧୭୪ ରନ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶିଖର ଧାଓ୍ଵନ ୪୦ ରନ୍ ଓ ଅମ୍ବାତି ରାୟଡୁ ୧୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ସାକିବୁଲ ହାସନଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ଧାଓ୍ଵନ ପାଭଲିଅନ ଫେରିଥିବା ବେଳେ ରୁବେଲ ହୁସେନଙ୍କ ବଲ ମୁସ୍ତାଫିଜୁର ରହିମଙ୍କୁ କ୍ୟାଚ ଦେଇ ରାୟଡୁ ଆଉଟ ହୋଇଥିଲେ। ଭାରତ ୬୧ ରନ୍ରେ ପ୍ରଥମ ଓ୍ଵିକେଟ୍ ହରାଇଥିବା ବେଳେ ୨ୟ ଓ୍ଵିକେଟ ବେଳକୁ ସ୍କୋର ୧୦୬ ରନ୍ ଥିଲା। ଭାରତ ୩ୟ ଓ୍ଵିକେଟରେ ମହେନ୍ଦ୍ର ସିଂହ(୩୩)ଙ୍କୁ ହରାଇଥିଲା। ଧୋନି ଏକ ଛକା ମାରିବାକୁ ଯାଇ ଅଧିନାୟକ ମୋର୍ତ୍ତାଜାଙ୍କ ବଲ ମିଥୁନଙ୍କୁ କ୍ୟାଚ ଦେଇଥିଲେ।
ବାଂଲାଦେଶ ୪୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୩ ରନ୍ ସଂଗ୍ରହ କରିବା ପରେ ଭାରତକୁ ୧୭୪ ରନ୍ ବିଜୟ ଲକ୍ଷ୍ୟ ମିଳିଛି। ଭାରତୀୟ ବୋଲର ରବୀନ୍ଦ୍ର ଜାଦେଜାଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କ ହାତରେ ୩-୩ ଜଣ ବାଂଲାଦେଶୀ ବ୍ୟାଟସ୍ମ୍ୟାନ୍ ଆଉଟ୍ ହୋଇଥିଲେ। ଏସିଆ କପ୍ର ସୁପର-୪ରେ ଶୁକ୍ରବାର ଭାରତୀୟ ବୋଲରମାନେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିଲେ। ଫଳରେ ବାଂଲାଦେଶର ବ୍ୟାଟସ୍ମ୍ୟାନ୍ମାନେ କ୍ରିଜ୍ରେ ଅଧିକ ସମୟ ଲେଖାଏଁ ତିଷ୍ଠି ପାରି ନଥିଲେ। ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା।
ପ୍ରଥମ ଇନିଂସରେ ଭାରତର ୬ଷ୍ଠ ଶିକାର ହୋଇଥିଲେ ମହମ୍ମଦୁଲା(୨୫)। ସେ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ୍ ଫେରିଥିଲେ। ସେହିପରି ବାଂଲାଦେଶ ୭ମ ଓ୍ଵିକେଟ୍ ଭାବରେ ମୋସଡେକ ହୁସେନ(୧୨)ଙ୍କୁ ହରାଇଥିଲା। ହୁସେନ ୪୩ଟି ବଲ ଖେଳି ରବୀନ୍ଦ୍ର ଜାଦେଜାଙ୍କ ବଲ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ମୁଶାରଫ ମୋର୍ତ୍ତାଜା(୨୬) ଭୁବନେଶ୍ୱର କୁମାରଙ୍କ ବଲ ଯଶପ୍ରୀତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ବାଂଲାଦେଶ ୧୦୧ ରନ୍ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍ ହରାଇଥିବା ବେଳେ ୧୬୭ ରନ୍ରେ ୮ମ ଓ୍ଵିକେଟ୍ ହରାଇ ଥିଲା। ମେହେନ୍ଦୀ ହାସନ ଦଳ ପାଇଁ ସର୍ବାଧିକ ରନ୍(୪୨) ସଂଗ୍ରହ କରିଥିଲେ। ସେ ଯଶପ୍ରୀତ ବୁମରାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ମୁସ୍ତାଫିଜୁର ରହମାନ ୩ ରନ୍ ସଂଗ୍ରହ କରି ବୁମରାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ବାଂଲାଦେଶ ୧୫ ରନ୍ରେ ଓପନର ଲିଟନ ଦାସକୁ ହରାଇଥିଲା। ଲିଟନ ୧୬ଟି ବଲ ଖେଳି ୭ ରନ୍ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଓପନର ନାଜମୁଲ ହୁସେନ ୧୪ଟି ବଲ ଖେଳି ୭ ରନ ସଂଗ୍ରହ କରିବା ପରେ ଯଶପ୍ରୀତ ବୁମରାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ସ୍କୋର ୧୬ ରନ୍ ଥିଲା। ଭାରତର ୩ୟ ଶିକାର ହୋଇଥିଲେ ସାକିବୁଲ ହାସନ(୧୭)। ସେ ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇ ପାଭଲିଅନ ଫେରିଥିଲେ। ସେହିପରି ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ ମହମ୍ମଦ ମିଥୁନ(୯) ଓ ମୁଶାଫିର ରହୀମ(୨୧)। ବାଂଲାଦେଶ ୪୨ ରନ୍ରେ ୩ୟ ଓ୍ଵିକେଟ, ୬୦ ରନ୍ରେ ୪ର୍ଥ ଓ୍ଵିକେଟ୍ ଓ ୬୫ ରନ୍ରେ ୫ମ ଓ୍ଵିକେଟ୍ ହରାଇ ଥିଲା।