ଏସିଆ କପ୍‌: କୋହଲିଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

8ଖଲିଲ ଅହମ୍ମଦ ଏକମାତ୍ର ନୂଆ ମୁହଁ, 8ରାଇନା, ଆୟରଙ୍କ ସ୍ଥାନରେ ଅମ୍ବାତି, କେଦାର

ମୁମ୍ବାଇ: ଚଳିତ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେଉଥିବା ପାଞ୍ଚ ରାଷ୍ଟ୍ରୀୟ ଏସିଆ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଶନିବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦୁବାଇର ଶେଖ୍‌ ଜାୟଦ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ଲମ୍ବା ଇଂଲଣ୍ଡ ଗସ୍ତର କ୍ଲାନ୍ତି ମେଣ୍ଟାଇବା ଲାଗି ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦାୟତ୍ୱ ତୁଲାଇବେ ବୋଲି ଚୟନକର୍ତାମାନେ ଘୋଷଣା କରିଛନ୍ତି। ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍‌ (ସେପ୍ଟେମ୍ବର ୭ରୁ ୧୧)ର ମାତ୍ର ୪ ଦିନ ପରେ ଏସିଆ କପ୍‌ ଆରମ୍ଭ ହେଉଥିବାରୁ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଜଣାପଡ଼ିଛି। ସେହିଭଳି ବର୍ଷ ଶେଷ ଆଡ଼କୁ ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟିକିଆ ଶୃଙ୍ଖଳା ମଧ୍ୟ ତାଙ୍କୁ ବିଶ୍ରାମ ଦିଆଯିବାର ଅନ୍ୟତମ କାରଣ ବୋଲି ଅନୁମାନ କରାଯାଉଛି। ୧୬ ଜଣିଆ ଦଳରେ ଏକମାତ୍ର ନୂଆମୁହଁ ଭାବେ ରାଜସ୍ଥାନର ୨୦ ବର୍ଷୀୟ ବାମହାତୀ ବୋଲର ଖଲିଲ ଅହମ୍ମଦ ସ୍ଥାନ ପାଇଛନ୍ତି। ଖଲିଲ ରାଜସ୍ଥାନ ୧୯ ବର୍ଷରୁ କମ୍‌ ଦଳର ସଦସ୍ୟ ଥିଲେ। ସେ ମଧ୍ୟ ଚଳିତ ବର୍ଷର ଆଇପିଏଲରେ ସନ୍‌ ରାଇଜର୍ସ ହାଇଦ୍ରାବାଦର ପ୍ରତିନିଧିତ୍ୱ କରିଥିଲେ। ସେପଟେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିଥିବା ଦଳରୁ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର ଏବଂ ଦୁଇ ଦ୍ରୁତ ବୋଲର ସିର୍ଦ୍ଧାର୍ଥ କୌଲ ଓ ଉମେଶ ଯାଦବଙ୍କୁ ବାଦ୍‌ ଦିଆ ଯାଇଛି। ରାଇନା ଏବଂ ଆୟରଙ୍କ ସ୍ଥାନରେ ଅମ୍ବାତି ରାୟୁଡୁ ଓ କେଦାର ଯାଦବ ଦଳକୁ ଫେରିଛନ୍ତି। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିଶ୍ରାମ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦୁଇ ବିଶେଷଜ୍ଞ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଦଳରେ ଥିଲା ବେଳେ ଅକ୍ଷର ପଟେଲଙ୍କୁ ତୃତୀୟ ସ୍ପିନର ଭାବେ ନିଆଯାଇଛି। ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର ଓ ସାର୍ଦୁଲ ଠାକୁରଙ୍କ ସହ ଖଲିଲ ଦ୍ରୁତ ବୋଲିଂ ବାହିନୀକୁ ସମ୍ଭାଳିବେ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ମନୀଷ ପାଣ୍ଡେ, କେଦାର ଯାଦବ, ଅମ୍ବାତି ରାୟୁଡୁ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ସାର୍ଦୁଲ ଠାକୁର, ଖଲିଲ ଅହମ୍ମଦ।

ସମ୍ବନ୍ଧିତ ଖବର