ଏସୀୟ ବାଳିକା ରଗ୍‌ବି ସେଭେନ୍ସ, ଚୀନ ବିଜେତା, ଭାରତ ଚତୁର୍ଥ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ତୃତୀୟ ଏସୀୟ ବାଳିକା ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ପ୍ର୍ରଥମ ଦୁଇ ଦିନରେ ଲଗାତାର ୪ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତ ଶେଷ ଦିନରେ ନିଜର ଉଭୟ ନକ୍ ଆଉଟ୍‌ ମ୍ୟାଚ୍ ହାରି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଗତ ଥର ମଧ୍ୟ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଚୀନ କିନ୍ତୁ ବିଜେତା ମୁକୁଟ ହାତେଇ ନେଇଛି। କପ୍ ଫାଇନାଲରେ ଚୀନ ୨୮-୫ରେ ହଂକଂକୁ ପରାସ୍ତ କରି ଏହି ଗୌରବ ପାଇଥିଲା। ତୃତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଭାରତକୁ ଥାଇଲାଣ୍ଡ ୨୫-୫ରେ ହରାଇ ଦେଇଥିଲା। ପୂର୍ବାହ୍ନରେ ଖେଳାଯାଇଥିବା ସେମିଫାଇନାଲରେ ଚୀନ୍‌ ୪୭-୦ରେ ଥାଇଲାଣ୍ଡକୁ ଏବଂ ହଂକଂ ୫୦-୭ରେ ଭାରତକୁ ହରାଇ ଦେଇଥିଲା। ଅନ୍ୟପକ୍ଷରେ ପ୍ଲେଟ ଫାଇନାଲରେ ଫିଲିପାଇନ୍ସକୁ ୧୫-୫୦ରେ ହରାଇ କାତାର ବିଜେତା ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭ୍ୁବନେଶ୍ବର ସାଂସଦ ଡକ୍ଟର ପ୍ରସନ୍ନ ପାଟଶାଣୀ, ପୂର୍ବତନ ଖେଳାଳି ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ, ରଗ୍‌ବି ଏସିଆ ସଭାପତି ଆଗା ହୁସେନ, ଓଡ଼ିଶା ରଗ୍‌ବି ଫୁଟବଲ୍ ସଂଘ (ଓରଫା) ସଭାପତି ବିଧାୟକ ପ୍ରିୟଦର୍ଶି ମିଶ୍ର, କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଏସିଆ ମହାଦେଶର ୧୨ ଦଳ ଏହି ୩ ଦିନିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର