ଏସିଆ ବାଳିକା ରଗ୍‌ବି ସେଭେନ୍‌ସ ପାଇଁ ୨୦ ବର୍ଷରୁ କମ୍‌ ଦଳ

ସୁମିତ୍ରାଙ୍କୁ ଭାରତୀୟ ଦଳର ‌ନେତୃତ୍ବ: ଓଡ଼ିଶାରୁ ୫ ସାମିଲ

ଭୁବନେଶ୍ବର: ଲାଓସ୍‌ର ଭିଏଣ୍ଟିନେଠାରେ ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବ ଏସୀୟ ରଗ୍‌ବି ସେଭେନ୍‌ସ ୨୦ ବର୍ଷରୁ କମ୍‌ ପ୍ରତିଯୋଗିତା। ଏଥିପାଇଁ ମଙ୍ଗଳବାର ରଗ୍‌ବି ଇଣ୍ଡିଆ ଭାରତୀୟ ବାଳିକା ଦଳ ଘୋଷଣା କରିଛି। ଅଗଷ୍ଟ ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କିଟ୍‌ର ସହଯୋଗରେ ଭୁବନେଶ୍ବରରେ ଚାଲିଥିବା ୩ ସପ୍ତାହ ବ୍ୟାପୀ ଭାରତୀୟ ଜାତୀୟ ପ୍ରଶିକ୍ଷଣ ଓ ପ୍ରସ୍ତୁତି ଶିବିରରୁ ଏହି ଦଳ ବଛାଯାଇଛି। ଘୋଷିତ ୧୨ ଜଣିଆ ଦଳରେ ଓଡ଼ିଶାରୁ ୫ ଜଣ ସାମିଲ ହୋଇଥିଲା ବେଳେ ଓଡ଼ିଶାର ସୁମିତ୍ରା ନାୟକଙ୍କୁ ଅଧିନାୟିକା ମନୋନୀତ କରାଯାଇଛି। ସୁମିତ୍ରାଙ୍କ ବ୍ୟତୀତ ଦଳରେ ସ୍ଥାନ ପାଇଥିବା‌ ଓଡ଼ିଶାର ଅନ୍ୟ ୪ ହେଲେ ସୋନି ମାନ୍ଦାଙ୍ଗୀ, ଲିଜା ସର୍ଦାର, ରଜନୀ ଶବର ଓ ପାର୍ବତୀ କିସ୍କୁ। ଓଡ଼ିଶାରୁ ୫ ବ୍ୟତୀତ ୧୨ ଜଣିଆ ଦଳରେ ପଶ୍ଚିମବଙ୍ଗ ଓ ଦିଲ୍ଲୀର ୩ ଲେଖାଏଁ ଏବଂ ବିହାରରୁ ଜଣେ ସ୍ଥାନ ପାଇଛନ୍ତି। ଏସିଆରୁ ମୋଟ ୫ ରାଷ୍ଟ୍ର (ଥାଇଲାଣ୍ଡ, ସିଙ୍ଗାପୁର, ହଂକଂ, ଭାରତ ଓ ଆୟୋଜକ ଲାଓସ୍‌) ଏହି ପ୍ରତିଯୋଗିତାରେ ଭାଗ ନେବେ। ଶିବିରରେ ସହାୟତା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହିତ କିଟ୍‌କୁ ଧନ୍ୟବାଦ ଜଣାଇଛନ୍ତି ରଗ୍‌ବି ଇଣ୍ଡିଆ ମହାସଚିବ ମହେଶ ମାଥାଇ। ଆମ ଝିଅମାନେ ଏବେ ଆନ୍ତର୍ଜାତିକସ୍ତରରେ ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ଲାଓସ୍‌ରେ ମଧ୍ୟ ସେହି ସଫଳତା ଦୋହରାଇବେ ବୋଲି ମାଥାଇ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର