ଏସୀୟ କ୍ରୀଡ଼ା ପାଇଁ ଦୂତି, ଜଉନାଙ୍କୁ ଯୋଗ୍ୟତାକୀର୍ତିମାନ ସହ ସ୍ୱର୍ଣ୍ଣ ଜିତିଲେ ଜଉନା

ଭୁବନେଶ୍ୱର: ୪ ବର୍ଷ ତଳେ ବିବାଦୀୟ ପରିସ୍ଥିତିରେ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ାରୁ ବଞ୍ଚିତ ହୋଇଥିବା ଦେଶର ଦ୍ରୁତତମ ଓଡ଼ିଆ ଧାବିକା ଦୂତି ଚାନ୍ଦ ଏଥର କିନ୍ତୁ ସୁଯୋଗ ହାତଛଡ଼ା ହେବାକୁ ଦେଇ ନାହାନ୍ତି। ମଙ୍ଗଳଠାରୁ ଗୌହାଟୀରେ ଆରମ୍ଭ ହୋଇଥିବା ୫୮ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର୍‌ ହିଟ୍‌ସରେ ୨୩.୪୬ ସେକେଣ୍ଡ୍‌ ସମୟ ନେଇ ଆସନ୍ତା ଜାକର୍ତା ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟତମ ଓଡ଼ିଆ ଜଉନା ମୁର୍ମୁ ୪୦୦ ମିଟର ବାଧାଦୌଡ଼ରେ ମଧ୍ୟ ଏସୀୟ କ୍ରୀଡ଼ା ଯୋଗ୍ୟତା ଅର୍ଜନ କରି ନେଇଛନ୍ତି। ମହିଳା ବିଭାଗ ୨୦୦ ମିଟରରେ ଏସୀୟ କ୍ରୀଡ଼ା ଯୋଗ୍ୟତା ଲାଗି ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ୨୩.୫୦ ସେକେଣ୍ଡ୍‌ ସମୟ ଧାର୍ଯ୍ୟ କରିଥିଲା। ଯାହାକୁ ଦୂତି ଅଳ୍ପକେ ହାସଲ କରି ନେଇଛନ୍ତି। ଅନ୍ୟତମ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ କିନ୍ତୁ ଏହି ଲକ୍ଷ୍ୟରେ ସଫଳ ହୋଇପାରିନାହାନ୍ତି। ସେ ୨୪.୦୪ ସେକେଣ୍ଡ୍‌ ସମୟ ନେଇ ହିଟ୍‌-୩ରେ ଶୀର୍ଷରେ ରହିବା ସାଙ୍ଗକୁ ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି।

ଦୂତିଙ୍କ ସହ ଶ୍ରାବଣୀ ବୁଧବାର ଫାଇନାଲ୍‌ ଖେଳିବାକୁ ଯାଉଥିବାରୁ ତାଙ୍କ ପାଇଁ ତଥାପି ସୁଯୋଗ ରହିବ। ଏସୀୟ ଯୋଗ୍ୟତା ଅର୍ଜନ କରିଥିବାରୁ ଦୂତି ଖୁସି ହୋଇଛନ୍ତି। ମୁଁ ବହୁତ ଖୁସି, ଏବେ ୧୦୦ ମିଟର୍‌ ଏବଂ ୧୦୦ ମିଟର୍‌ ରିଲେରେ ଯୋଗ୍ୟତା ଅର୍ଜନ କରିବା ଲାଗି ପ୍ରୟାସ କରିବି ବୋଲି ଦୂତି କହିଛନ୍ତି। ଉଭୟରେ ମୁଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବା ନେଇ ଆତ୍ମବିଶ୍ୱାସ ରଖିଛି ବୋଲି ଦୂତି କହିଛନ୍ତି। ସୂଚନାଯୋଗ୍ୟ ଅଗଷ୍ଟ-ସେପ୍ଟେମ୍ବରରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ। ମଙ୍ଗଳବାର କିନ୍ତୁ ଦୂତିଙ୍କ ପ୍ରଶିକ୍ଷକ ଏନ୍‌ ରମେଶ ଜାତୀୟ ଦୌଡ଼କୁଦ ଖେଳସୂଚୀକୁ ସମାଲୋଚନା କରିଛନ୍ତି। ସାଧାରଣତଃ ୧୦୦ ମିଟର୍‌ ପରେ ୨୦୦ ମିଟର୍‌ ଆରମ୍ଭ ହୋଇଥାଏ। କିନ୍ତୁ ଏଭଳି ଓଲଟ ପାଲଟ୍‌କୁ ନାପସନ୍ଦ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତା ଗୁଡ଼ିକରେ ୧୦୦ ମିଟର୍‌ ଇଭେଣ୍ଟ୍‌ ପରେ ୨୦୦ ମିଟର୍‌ ହୋଇଥାଏ ବୋଲି ସେ ଯୁକ୍ତି ବାଢ଼ିଥିଲେ।
ଭୁବନେଶ୍ୱର, ୨୬|୬ (ଇମିସ): ଗୌହାଟୀର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ୫୮ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଜଉନା ମୁର୍ମୁ ୪୦୦ ମିଟର୍‌ ମହିଳା ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି। ଏହି ଇଭେଣ୍ଟ୍‌ରେ ମଧ୍ୟ ସେ ୫୭.୦୨ ସେକେଣ୍ଡ୍‌ ସମୟ ନେଇ ନୂଆ ମିଟ୍‌ କୀର୍ତିମାନ କରିଛନ୍ତି। ପୂର୍ବରୁ ଏହି ମିଟ୍‌ କୀର୍ତିମାନ ଆଉଁ ରାଘବନଙ୍କ ନାମରେ ଗତବର୍ଷଠାରୁ ଥିଲା। ସେହିଭଳି ଜାକର୍ତା ଏସୀୟ କ୍ରୀଡ଼ା ଲାଗି ଧାର୍ଯ୍ୟ ୫୭.୫୨ ସେକେଣ୍ଡ୍‌କୁ ପଛରେ ରଖିବାରେ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଜଉନା ୨୦୧୦ ଗୁଆଙ୍ଗଜୁ ଏସୀୟ କ୍ରୀଡ଼ାରେ ୫୬.୮୨ ସେକେଣ୍ଡ ସମୟ ନେଇ ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଗୌହାଟୀରେ ଜଉନା ପିଟି ଉଷାଙ୍କ ଜାତୀୟ କୀର୍ତିମାନ (୫୫.୪୨ ସେକେଣ୍ଡ୍‌)କୁ ଅତିକ୍ରମ କରିବା ଆଶା କରାଯାଉଥିଲେ ମଧ୍ୟ ସେ ଏହା କରିପାରିନାହାନ୍ତି।

ସମ୍ବନ୍ଧିତ ଖବର