ନୂଆଦିଲ୍ଲୀରୁ ଏସୀୟ କ୍ରୀଡ଼ା ମଶାଲ ପରିକ୍ରମା

ନୂଆଦିଲ୍ଲୀ: ଜାକର୍ତା-ପାଲେମାଙ୍ଗ ଏସୀୟ କ୍ରୀଡ଼ା ଲାଗି ରବିବାର ନୂଆଦିଲ୍ଲୀସ୍ଥିତ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରୁ ମଶାଲ ପରିକ୍ରମା ଆରମ୍ଭ ହୋଇଛି। ଭାରତୀୟ ଅଲିମ୍ପିକ୍‌ ସଂଘ ସଭାପତି ଡ. ନରିନ୍ଦର ଧ୍ରୁବ ବାତ୍ରା ଓ ସାଧାରଣ ସଂପାଦକ ରାଜୀବ ମେହେଟ୍ଟା ମଶାଲ ପ୍ରଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ର ଡିଜି ନୀଲମ କପୁର, କେନ୍ଦ୍ର କ୍ରୀଡ଼ା ସଚିବ ରାହୁଲ ଭଟ୍ଟନଗର, ଏସୀୟ ଅଲିମ୍ପିକ୍‌ ସଂଘ (ଓସିଏ) ଅଜୀବନ ଉପସଭାପତି ଓ୍ଵି ଜିଝୋଙ୍ଗ ଓ ରାଜା ରଣଧୀର ସିଂହ ଏବଂ ଇଣ୍ଡୋନେସିଆ ଏସୀୟ କ୍ରୀଡ଼ା ଆୟୋଜକ ସମିିତି ଅଧ୍ୟକ୍ଷ ଏରିକ୍‌ ଥୋହିର ମଶାଲ ପ୍ରଜ୍ୱଳନ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଇଣ୍ଡୋନେସିଆର ବ୍ୟାଡ୍‌ମିଣ୍ଟନ୍‌ କିମ୍ବଦନ୍ତୀ ତଥା ମସାଲ ଦୂତ ସୁସି ସୁଶାନ୍ତି ୫ ଥର ବିଶ୍ୱ ବିଜୟିନୀ ତଥା ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍‌ସି ମେରିକମ୍‌ଙ୍କୁ ମଶାଲକୁ ହସ୍ତାନ୍ତର କରିଥିଲେ। ମେରିକମ୍‌ ଏହାକୁ ପୁରୁଷ ହକି ଦଳର ଅଧିନାୟକ ପିଆର୍‌ ଶ୍ରୀଜେସ୍‌ଙ୍କ ହାତରେ ଦେଇଥିଲେ। ଏହାପର ବନ୍ଧୁକ ଚାଳକ ଜିତୁ ରାୟ, ମୁଷ୍ଟିଯୋଦ୍ଧା ସରିତା ଦେବୀ, ତୀରନ୍ଦାଜ ଜୟନ୍ତ ତାଲୁକଦର, ଟେବୁଲ ଟେନିସ୍‌ ତାରକା ଶରତ କମଲ, ହକି ତାରକା ସର୍ଦାର ସିଂହ ଓ ଏସ୍‌ଭି ସୁନୀଲ, କବାଡ଼ି ଖେଳାଳି ଅନୁପ କୁମାର ଓ ଅଜୟ ଠାକୁରଙ୍କ ସମେତ ଅନ୍ୟ ଶ୍ରେଷ୍ଠ କ୍ରଡ଼ାବିତ୍‌ ଏହି ମଶାଲକୁ ଧରି ରାଜପଥରେ ଇଣ୍ଡିଆ ଗେଟ୍‌ ଅଭିମୁଖେ ପରିକ୍ରମା କରିଥିଲେ। ଇଣ୍ଡିଆ ଗେଟ୍‌ ପୂର୍ବରୁ ଏହାକୁ ଟେବୁଲ୍‌ ଟେନିସ୍‌ ତାରକା ମନିକା ବାତ୍ରା ଏବଂ ସୁଶାନ୍ତି ଧରିଥିଲେ। ମୋଟ ୩୧ ଆଥ୍‌ଲେଟ୍‌ ମସାଲ ପରିକ୍ରମାରେ ସାମିଲ ହୋଇଥିଲେ। ଏହି ମଶାଲ ୧୮୦୦୦ କିଲୋମିଟର ଯାତ୍ରା କରିବ। ଏହା ମଧ୍ୟରେ ୫୪ ସହର ବୁଲି ସାରିବା ପରେ ଅଗଷ୍ଟ ୧୮ ତାରିଖ ଉଦ୍‌ଘାଟନୀ ଉତ୍ସବ ଦିନ ଜାକର୍ତାରେ ପହଞ୍ଚିବ।

ସମ୍ବନ୍ଧିତ ଖବର