ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତା, ୧୫ କୀର୍ତିମାନ ଭାଙ୍ଗିଲେ ଜେରେମି

ନିଙ୍ଗ୍‌ବୋ (ଚୀନ୍‌): ଭାରତୀୟ ତାରକା ଜେରେମି ଲାଲ୍‌ରିନୁଙ୍ଗା ଏଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ରବିବାର ବିଶ୍ବ କୀର୍ତିମାନ ରଚିଛନ୍ତି। ୧୬ ବର୍ଷ ବୟସ୍କ ଏହି ମିଜୋରାମ ଭାରୋତ୍ତୋଳକ ପୁରୁଷ ୬୭ କେଜି ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରୁଥିଲା ବେଳେ ମୋଟ ୨୯୭ (ସ୍ନାଚ୍‌ରେ ୧୩୪ ଏବଂ କ୍ଲିନ୍‌ ଓ ଜର୍କରେ ୧୬୩) କେଜି ଭାର ଉଠାଇ ଗ୍ରୁପ୍‌-ବିରେ ଦ୍ବିତୀୟ ସ୍ଥାନ ପାଇଛନ୍ତି। ନିଜ ଗ୍ରୁପ୍‌ରେ ସେ ପାକିସ୍ତାନର ତଲାହା ତଲିବ୍‌ (ମୋଟ ୩୦୪, ସ୍ନାଚ୍‌ରେ ୧୪୦ ଏବଂ କ୍ଲିନ୍‌ ଓ ଜର୍କରେ ୧୬୪ କେଜି)ଙ୍କ ପଛକୁ ରହିଛନ୍ତି। ଏଥି ସହିତ ଜେରେମି ସ୍ନାଚ୍‌ (୧୩୪ କେଜି)ରେ ନୂଆ ଯୁବ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି କୀର୍ତିମାନ ମଧ୍ୟ ଜେରେମିଙ୍କ ନାମରେ ରହିଥିଲା। ସେ ଚଳିତ ବର୍ଷ ଫେବ୍ରୁଆରିରେ ଥାଇଲାଣ୍ଡ୍‌ରେ ଆୟୋଜିତ ଇଗାଟ୍‌ କପ୍‌ରେ ୧୩୧ କେଜି ଭାର ଉଠାଇ ଯୁବ ବିଶ୍ବ କୀର୍ତିମାନ ନିଜ ନାମରେ ରଖିଥିଲେ। ଅନ୍ୟପକ୍ଷରେ କ୍ଲିନ୍‌ ଓ ଜର୍କରେ ମଧ୍ୟ ଜେରେମି ନିଜ ଶାରୀରିକ ଓଜନଠାରୁ ଦୁଇଗୁଣା ଅଧିକ (୧୬୩ କେଜି) ଭାର ଉଠାଇ କାଜାକସ୍ତାନର ସାଇଖନ୍‌ ତାଇସୁୟେଭ୍‌ (୧୬୧ କେଜି)ଙ୍କ ଯୁବ ବିଶ୍ବ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ମୋଟ ଉପରେ ୨୯୭ କେଜି ଜେରେମିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା ବେଳେ ଥାଇଲାଣ୍ଡ୍‌ରେ ଇଗାଟ୍‌ କପ୍‌ରେ ନିଜର ଯୁବ ବିଶ୍ବ କୀର୍ତିମାନ ପ୍ରଦର୍ଶନ (୨୮୮ କେଜି)ଠୁ ୯ କେଜି ଅଧିକ ରହିଥିଲା। ଥାଇଲାଣ୍ଡରେ ସେ ‌ରୌପ୍ୟ ପଦକ ଜିତିଥିଲେ। ତେବେ ନିଙ୍ଗ୍‌ବୋରେ ଦମ୍‌ଦାର ପ୍ରଦର୍ଶନ ଜରିଆରେ ଯୁବ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜେରେମି ମିଳିତ ଭାବେ ୧୫ ଜାତୀୟ ଓ ଆନ୍ତର୍ଜାତୀୟ କୀର୍ତିମାନ ଭାଙ୍ଗି ଦେଇଛନ୍ତି। ସେଥିମଧ୍ୟରେ ୬ ଆନ୍ତର୍ଜାତୀୟ (୩ ଲେଖାଏଁ ଯୁବ ବିଶ୍ବ ଏବଂ ଏସୀୟ) କୀର୍ତିମାନ ସାମିଲ ଥିଲା ‌ବେଳେ ୯ ଜାତୀୟ କୀର୍ତିମାନକୁ ପଛକୁ ଠେଲି ଦେଇଛନ୍ତି। ୬୭ କେଜି ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ସ୍ନାଚ୍‌ରେ ଜେରେମି ନିଜ କୀର୍ତିମାନ ଭାଙ୍ଗି ଦେଇଥିଲା ବେଳେ କ୍ଲିନ୍‌ ଓ ଜର୍କରେ ଗୁଲାମ ନବୀ (୧୬୦ କେଜି)ଙ୍କ କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ଜେରେମି ବୁଏନ୍‌ସ ଏୟାର୍ସ ଯୁବ ଅଲିମ୍ପିକ୍ସରେ ୬୨ କେଜି ବର୍ଗରେ ମୋଟ ୨୭୪ (ସ୍ନାଚ୍‌ରେ ୧୨୪ ଏବଂ କ୍ଲିନ୍‌ ଓ ଜର୍କରେ ୧୫୦) କେଜି ଭାର ଉଠାଇ ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ଚଳିତ ଏସୀୟ ପ୍ରତିଯୋଗିତାର ପୁରୁଷ ୬୭ କେଜି ବର୍ଗର ଚୂଡାନ୍ତ ସ୍ଥିତି ଗ୍ରୁପ୍‌-ଏ’ ପ୍ରତିଦ୍ବନ୍ଦ୍ବିତା ପରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର