ଏସୀୟ ବ୍ୟାଡ୍‌ମିଣ୍ଟନ୍‌: ସାଇନା ଓ ପ୍ରଣୟଙ୍କୁ କାଂସ୍ୟ

ଉହାନ୍‌ (ଚୀନ୍‌): ଚଳିତ ଏସିୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଶନିବାର ଭାରତୀୟ ପ୍ରତିଯୋଗୀଙ୍କ ଅଭିଯାନ ଶେଷ ହୋଇଯାଇଛି। ଶୁକ୍ରବାର କ୍ୱାର୍ଟର ଫାଇନାଲ୍‌ରେ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ ହାରି ଯାଇଥିଲା ବେଳେ ଶନିବାର ସେମିଫାଇନାଲ୍‌ରେ ସାଇନା ନେହ୍ଵାଲ ଓ ଏଚ୍‌ଏସ୍‌ ପ୍ରଣୟ ପରାସ୍ତ ହୋଇଛନ୍ତି। ଏଥି ସହିତ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ତେବେ ଉଭୟ ସାଇନା ଓ ପ୍ରଣୟ ଭାରତକୁ କାଂସ୍ୟ ପଦକ ଭେଟି ଦେଇଛନ୍ତି।
ଶନିବାର ମହିଳା ଏକକ ସେମି ଫାଇନାଲ୍‌ରେ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ବିଜୟିନୀ ସାଇନା ପ୍ରବଳ ସଂଘର୍ଷ କରିବା ସତ୍ତ୍ୱେ ଶୀର୍ଷ ମାନ୍ୟତା ତାଇଓ୍ଵାନ୍‌ ତାରକା ତାଇ ତିଜୁ-ୟିଙ୍ଗ୍‌ଙ୍କ ନିକଟରୁ ୨୫-୨୭ ଓ ୧୯-୨୧ରେ ହାରି ଯାଇଥିଲେ। ଏଥି ସହିତ ତାଇ ଜୁ’ଙ୍କଠୁ ମଧ୍ୟ ସାଇନା ମୋଟ ୧୬ ଥର ମୁକାବିଲାରେ କ୍ରମାଗତ ଅଷ୍ଟମ ପରାଜୟ ବରଣ କଲେ। ଚଳିତ ଋତୁରେ ମଧ୍ୟ ସାଇନା ତୃତୀୟ ଥର ପାଇଁ ତାଇ ଜୁ’ଙ୍କ ନିକଟରେ ହାର୍‌ ମାନିଲେ। ସେହିପରି ପୁରୁଷ ଏକକ ସେମିଫାଇନାଲ୍‌ରେ ଦଶମ ମାନ୍ୟତା ପ୍ରଣୟ ମଧ୍ୟ ଭଲ ଲଢ଼ିବା ସତ୍ତ୍ୱେ ଅଲିମ୍ପିକ୍‌ ବିଜେତା ତଥା ତୃତୀୟ ମାନ୍ୟତା ଚୀନ୍‌ର ଚେନ୍‌ ଲଙ୍ଗ୍‌ଙ୍କ ଠାରୁ ୧୬-୨୧ ଓ ୧୮-୨୧ରେ ହାରିଗଲେ।

ସମ୍ବନ୍ଧିତ ଖବର