ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ଦ୍ୱିତୀୟ ପର୍ଯ୍ୟାୟରେ ସାଇନା, ସିନ୍ଧୁ, ଶ୍ରୀକାନ୍ତ

ଉହାନ୍‌ (ଚୀନ୍‌): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ଵାଲ୍‌, ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ମହିଳା ଏକକରେ ସାଇନା ଏବଂ ସିନ୍ଧୁ ସିଧାସଳଖ ବିଜୟ ପାଇ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ପୁରୁଷ ଏକକରେ ଶ୍ରୀକାନ୍ତ ଟିକେ ସଂଘର୍ଷ କରି ପ୍ରଥମ ପର୍ଯ୍ୟାୟ ବାଧା ପରି କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ସାଇନା ୨୧-୧୨, ୨୧-୯ରେ ସିଙ୍ଗାପୁରର ୟିଓ ଜିଆ ମିନ୍‌ଙ୍କୁ ଏବଂ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୧୪, ୨୧-୧୯ରେ ଚାଇନିଜ୍‌ ତାଇପେର ପାଇ ୟୁ ପୋଙ୍କୁ ହରାଇଥିଲେ। ପୂର୍ବତନ ଶୀର୍ଷ ମାନ୍ୟତା ସାଇନା ଏବଂ ବିଶ୍ୱ ବିଜୟିନୀ ସିନ୍ଧୁ ଦ୍ୱିତୀୟ ପର୍ଯ୍ୟାୟରେ ଯଥାକ୍ରମେ ଚୀନ୍‌ ଖେଳାଳି ଜାଓ ଫାଙ୍ଗ୍‌ଜିଏ ଏବଂ ଚେନ୍‌ ଜିଆସିନ୍‌ଙ୍କୁ ଭେଟିବେ।
ପୁରୁଷ ଏକକରେ ଶୀର୍ଷ ମାନ୍ୟତା ତଥା ରାଜ୍ୟଗୋଷ୍ଠୀ ରୌପ୍ୟ ବିଜେତା ଶ୍ରୀକାନ୍ତ ୧୩-୨୧, ୨୧-୧୬, ୨୧-୧୬ରେ ଜାପାନ୍‌ର କେଣ୍ଟା ନିଶିମୋତୋଙ୍କୁ ପରାସ୍ତ କରିଥିଲେ। ପରବର୍ତୀ ପର୍ଯ୍ୟାୟରେ ସେ ହଂକଂର ଓ୍ଵଙ୍ଗ୍‌ ଓ୍ଵିଙ୍ଗ୍‌ କି ଭିନସେଣ୍ଟ୍‌ଙ୍କୁ ଭେଟିବେ। ତେବେ ସମୀର ବର୍ମା ୨୧-୨୩, ୧୭-୨୧ରେ ଚାଇନିଜ୍‌ ତାଇପେର ଚୋଉ ତିଏନ୍‌ ଚୋଇଙ୍କଠୁ ହାରି ବିଦାୟ ନେଇଥିଲେ। ପୁରୁଷ ଯୁଗଳ ଯୋଡ଼ି ଅର୍ଜୁନ ଏମ୍‌ଆର୍‌ ଓ ରାମଚନ୍ଦ୍ରନ୍‌ ଶ୍ଲୋକ ଏବଂ ମହିଳା ଯୁଗଳ ଯୋଡ଼ି ମେଘନା ଜାକମ୍ପୁଡ଼ି ଓ ପୂର୍ବଶା ଏସ୍‌ ଶ୍ରୀରାମ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ସ୍ଥାନ ପକ୍କା କରିନେଇଛନ୍ତି। ଅର୍ଜୁନ-ରାମଚନ୍ଦ୍ର ୨୫-୨୩, ୨୩-୨୧ରେ କୋରିଆର ଚୁଙ୍ଗ୍‌ ଉଇ ସିଓକ୍‌-କିମ୍‌ ଦୁକ୍‌ୟଙ୍ଗ୍‌ଙ୍କୁ ଏବଂ ମେଘନା-ପୂର୍ବଶା ୧୪-୨୧, ୨୨-୨୦, ୨୧-୧୭ରେ ସିଙ୍ଗାପୁରର ଓଙ୍ଗ ରେନ୍‌ ନି ଓ ଓ୍ଵଙ୍ଗ୍‌ ଜିଆ ୟିଙ୍ଗ୍‌ କ୍ରିଷ୍ଟାଲ୍‌ଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ସୌରଭ ବର୍ମା ଓ ଅନୁଷ୍କା ପାରିଖ ୧୭-୨୧, ୧୪-୨୧ରେ କୋରିଆା କିମ୍‌ ଓ୍ଵନ୍‌ ହୋ ଓ ସିନ୍‌ ସିଅଙ୍ଗ୍‌ ଚାନ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର