ରଂଗାରଂଗ କାର୍ଯ୍ୟକ୍ରମ ସହିତ ଏସୀୟ କ୍ରୀଡ଼ା ଉଦ୍‌ଘାଟିତ, ନୀରଜ ଚୋପ୍ରା ଧରିଲେ ‘ତ୍ରିରଙ୍ଗା’ 

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାସ୍ଥିତ ଗେଲୋରା ବଙ୍ଗ କର୍ନୋ ମେନ୍‌ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ଏସୀୟ କ୍ରୀଡ଼ାର ୧୮ତମ ସଂସ୍କରଣ ଉଦ୍‌ଘାଟନ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ନୀରଜ ଚୋପ୍ରା ଭାରତୀୟ ଦଳର ନେତୃତ୍ବ ନେଇ ଜାତୀୟ ପତାକା ‘ତ୍ରିରଙ୍ଗା’ ଧରିଥିଲେ। ଏହି ଅବସରରେ ସମସ୍ତ ଭାରତୀୟ ପ୍ରତିଯୋଗିଙ୍କର ଅଲଗା ଉତ୍ସାହ ଥିଲା।

ତାରକା ଖଚିତ ଉଦ୍‌ଘାଟନୀ ସମାରୋହରେ ଇଣ୍ଡୋନେସିଆର ଲୋକପ୍ରିୟ କଣ୍ଠଶିଳ୍ପୀ ଆଙ୍ଗନ୍‌, ରାଇସା, ଟୁଲୁସ, ଏଡୋ କୋଣ୍ଡୋଲଜିଟ୍‌, ପୂତ୍ରୀ ଆୟୂ, ଫତିନ୍‌, କାମାସିନ୍‌ ଏବଂ ଭିଆ ଭଲେନ୍‌ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି। ଏଥିପାଇଁ ୧୨୦ ମିଟର୍‌ ଲମ୍ବା, ୩୦ ମିଟର୍‌ ଓସାର ଏବଂ ୨୬ ମିଟର୍‌ ଉଚ୍ଚତାର ମଞ୍ଚ ପ୍ରସ୍ତୁତ ଅଛି। ୪,୦୦୦ ନୃତ୍ୟଶିଳ୍ପୀ ମଧ୍ୟ ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଦେଇଛନ୍ତି।

ଦୁଇ ସପ୍ତାହ ବିଶିଷ୍ଟ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ ସଂଘ ୫୭୨ ଜଣିଆ ଦଳ ପଠାଇଛି। ଯେଉଁମାନେ ମୋଟ ୩୬ ଖେଳରେ ଭାଗନେବେ। ମୋଟରେ ୪୫ ଦେଶରୁ ୧୧,୦୦୦ ଖେଳାଳି ୪୭ ଖେଳରେ ଭାଗନେବେ। ପ୍ରାୟ ୪୨୬ ପଦକ ପାଇଁ ହେବ ରବିବାରଠାରୁ ଲଢ଼େଇ। ଭାରତ ଏଥର ଗତ ସଂସ୍କରଣ ପ୍ରଦର୍ଶନକୁ ଟପିବା ଆଶାରେ ରହିଛି। ୨୦୧୪ ମସିହାରେ ଇଞ୍ଜିଅନ୍‌ରେ ଭାରତ ୧୧ ସ୍ୱର୍ଣ୍ଣ ପଦକ ସହିତ ମୋଟ ୫୭ ପଦକ ଜିତିଥିଲା।

ଚଳିତ ବର୍ଷ ଅନୁଷ୍ଠିତ ଗୋଲ୍‌ଡକୋଷ୍ଟ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିବାରୁ ଏହାକୁ ଜାକର୍ତା ଓ ପାଲେମବାଙ୍ଗ୍‌ରେ ଦୋହରାଇବା ନେଇ ଆଶା ରଖିଛି। କିନ୍ତୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ଏସିଆଡ୍‌ ପ୍ରତିଦ୍ୱନ୍ଦ୍ୱିତା ସ୍ତର ଉଚ୍ଚମାନର ଥିବାରୁ ଏହା ସେତେଟା ସହଜ ହେବ ନାହିଁ। ଗୋଲ୍‌ଡକୋଷ୍ଟରେ ଭାରତ ୨୬ ସ୍ୱର୍ଣ୍ଣ ସହ ୬୬ ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର