ରାଜୀବଙ୍କୁ ଋତୁର ପ୍ରଥମ ପଏଣ୍ଟ୍‌; ପୋଡ଼ିୟମ ପହଞ୍ଚିଲେ ତାଇଗା

ଏସିଆନ୍‌ ରୋଡ୍‌ ରେସିଂ

ଚେନ୍ନାଇ (ଦେବାଶିଷ ସୁନ୍ଦରାୟ):  ଚେନ୍ନାଇର ମାଡ୍ରାସ ମୋଟର ସ୍ପୋର୍ଟସ୍‌ କ୍ଲବ୍‌ (ଏମ୍‌ଏମ୍‌ଆରଟି)ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏସିଆ ରୋଡ୍‌ ରେସିଂ ଚାମ୍ପିଅନସିପ୍‌ (ଏଆର୍‌ଆର୍‌ସି)ର ଦ୍ୱିତୀୟ ଦିନରେ ଭାରତୀୟ ଦଳ ‘ଇଦେମିତସୁ ହଣ୍ଡା ରେସିଂ ଇଣ୍ଡିଆ’ ଐତିହାସିକ ସଫଳତା ଲାଭ କରିଛି। ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଘରୋଇ ଦଳ ୬୦୦ ସିସି ବର୍ଗରେ ପୋଡିୟମ୍‌ ଫିନିସ୍‌ ପାଇ ଏସୀୟ ମୋଟର ରେସିଂ ଜଗତରେ ଧମାକାଦାର ପଦାର୍ପଣ କରିଛି। ଦଳର ଜାପାନି ରେସର ତାଇଗା ହାଦା ଶନିବାରର ପ୍ରଥମ ରେସ୍‌ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୧୯ ବର୍ଷୀୟ ତାଇଗା ଗତଥରର ବିଜେତା ଆନ୍ଥୋନି େଓ୍ଵଷ୍ଟ୍‌ଙ୍କୁ କଡ଼ା ଟକ୍କର ଦେଇଥିଲେ। ହେଲେ ଅଭିଜ୍ଞ ଆନ୍ଥୋନି ନିଜ ଅଭିଜ୍ଞତାର ପରିଚୟ ଦେଇ ଶେଷରେ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ମାଲେସିଆର ମହମ୍ମଦ ଜକଓ୍ଵାନ ଜୈଦି ଦ୍ୱିତୀୟ ସ୍ଥାନରେ ରହିଥିଲେ।

ଶନିବାର ସକାଳେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟ ରେସ୍‌ରେ ହାଦା ୧ ମିନିଟ୍‌ ୪୧.୩୮୪ ସେକେଣ୍ଡର ଦ୍ରୁତତମ ଲ୍ୟାପ୍‌ ସମୟ ସହ ଷଷ୍ଠ ସ୍ଥାନରେ ରହି ମୁଖ୍ୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଥିିଲେ।  ମୁଖ୍ୟ ରେସ୍‌ରେ ତୁଳନାତ୍ମକ ଭାବେ ଯଥେଷ୍ଟ ଭଲ ପ୍ରଦର୍ଶନ କରି ଷଷ୍ଠରୁ  ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। ଯାହା ଚଳିତ ଋତୁରେ ଇଦେମତସୁ ହଣ୍ଡା ଦଳର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏହି ବିଜୟରୁ ବ୍ୟକ୍ତିଗତ ଭାବେ ସେ ୧୬ ପଏଣ୍ଟ ଅର୍ଜନ କରିଥିଲେ। ୭ ରେସରୁ ୪୦ ପଏଣ୍ଟ ଅର୍ଜନ କରି ହାଦା ସଂପ୍ରତି  ଚାଳକ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି। ୨୪ ଜଣ ରେସରଙ୍କୁ ନେଇ ଆୟୋଜିତ ୨୫୦ ସିସି ବର୍ଗର ଯୋଗ୍ୟତା ପର୍ଯ୍ୟାୟରେ ଦୁଇ ଭାରତୀୟ ଚାଳକ ରାଜୀବ ସେଥୁ ଏବଂ ଆନିଶ ସେଟ୍ଟୀ ଉନ୍ନବିଂଶ ଓ ବିଂଶ ସ୍ଥାନରେ ରହି ମୁଖ୍ୟ ପର୍ଯ୍ୟାୟକୁ ଯାଇଥିଲେ। ନିକଟରେ ଜାତୀୟ ମୋଟର ସାଇକେଲ୍‌ ରେସିଂ ଜିତିଥିବା ୨୦ ବର୍ଷୀୟ ଚେନ୍ନାଇ ରେସର ରାଜୀବ ଏସିଆ ମହାଦେଶର କେତେକ ଅଭିଜ୍ଞ ଏବଂ ବଛାବଛା ରେସର୍‌ଙ୍କୁ ପଛରେ ପକାଇ ତ୍ରୟୋଦଶ ସ୍ଥାନରେ ରହିବା ସହ ଚଳିତ ଋତୁରେ ପ୍ରଥମ ପଏଣ୍ଟ ଅର୍ଜନ କରିଥିଲେ। ୧ ମିନିଟ୍‌ ୫୦.୪୫ ସେକେଣ୍ଡର ଦ୍ରୁତତମ ଲ୍ୟାପ୍‌ ସମୟ ସହ ସେ ୩ ପଏଣ୍ଟ୍‌ ପାଇଥିଲେ। ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ ଏସିଆ ରୋଡ୍‌ ରେସିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା ବଙ୍ଗାଲୋର ରେସର୍‌ ଆନୀଶ ସେଟ୍ଟୀ ଦୁର୍ଭାଗ୍ୟଜନକ ଭାବେ ଦୁର୍ଘଟଣାର ଶିକାର ହୋଇ ନିଜ ରେସ୍‌ ଶେଷ କରିପାରିନଥିଲେ। ତେବେ ରବିବାରର ଦ୍ୱିତୀୟ ରେସ୍‌ରେ ସେ ସଫଳ ପ୍ରତ୍ୟାବର୍ତନ କରିବାକୁ ଆଶା ରଖିଛନ୍ତି। ପ୍ରଥମ ପଏଣ୍ଟ ଅର୍ଜନ କରିବା ପରେ ରାଜୀବ ଉଲ୍ଲସିତ ଥିଲେ।  ଥାଇ କପ୍‌ରେ ଅଂଶଗ୍ରହଣ କରିବା ମୋତେ ଏଠାରେ ବହୁତ ସାହାଯ୍ୟ କଲା। ଅନ୍ୟମାନେ ମୋତେ ଏକପ୍ରକାର ଘେରି ଯାଇଥିଲେ। ତଥାପି ସାହସ ନହରାଇ  ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିଥିଲି ବୋଲି ରାଜୀବ କହିଥିଲେ। ରାଜୀବଙ୍କ ଏହି ସଫଳତା ଲାଗି  ତାଙ୍କୁ ଓ ଆଜିର ମୁଖ୍ୟ ଆକର୍ଷଣ ତାଇଗାଙ୍କୁ ହଣ୍ଡା ମୋଟର ସାଇକେଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆର ଉପସଭାପତି (ବ୍ରାଣ୍ଡ ଓ ଯୋଗାଯୋଗ) ପ୍ରଭୁ ନାଗରାଜ ଅଭିନନ୍ଦନ ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଏସିଆ ରୋଡ୍‌ ରେସିଂ  ଏକ ୬ ପର୍ଯ୍ୟାୟ ବିଶିଷ୍ଟ ରେସିଂ ପ୍ରତିଯୋଗିତା। ଏଥିରେ ପ୍ରତି ପର୍ଯ୍ୟାୟରେ ଦୁଇଟି ରେସ୍‌ ଅନୁଷ୍ଠିତ ହୋଇଥାଏ। ଋତୁ ଶେଷରେ ସର୍ବାଧିକ ପଏଣ୍ଟ୍‌ ଅର୍ଜନ କରିଥିବା ରେସର ବା ଚାଳକ ବିଜେତା ଘୋଷିତ ହୋଇଥାଆନ୍ତି। ୧୯୯୮ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ କୌଣସି ଭାରତୀୟ ଦଳ କିନ୍ତୁ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛି।

ସମ୍ବନ୍ଧିତ ଖବର