ଚା’ ବିକୁଛନ୍ତି ଏସିଆଡ୍‍ ପଦକ ବିଜେତା

ନୂଆଦିଲ୍ଲୀ: ଅଭାବୀ ସଂସାର। ବଡ଼ କଷ୍ଟରେ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ହେଉଥିଲା। ପୁଅ ଇଣ୍ଡୋନେସିଆରେ ଏସିଆଡ଼୍‍ ପଦକ ଜିତିବା ପରେ ସ୍ଥିତି ସୁଧୁରିଯିବ ବୋଲି ଆଶା ରଖିଥିଲେ। ହେଲେ ଏହି ଆଶା ଆଶାରେ ରହିଗଲା। କିଛି ବଦଳିଲାନି! ପୁଅ ବି ଜାକର୍ତାରୁ ପଦକ ନେଇ ଆସି ପୁଣି ଥରେ ସେହି ଚା’ ବିକିବାକୁ ବାଧ୍ୟ ହେଲା। ସିପକଟାକ୍ର କାଂସ୍ୟ ଜିତିଥିବା ଦିଲ୍ଲୀର ହରିଶ କୁମାର ଜାକର୍ତା ଯିବା ପୂର୍ବରୁ ଚା’ ବିକୁଥିଲେ। ପଦକ ନେଇ ଆସିବା ପରେ ମଧ୍ୟ ସେ ସେହି କାମ ଜାରି ରଖିବାକୁ ବାଧ୍ୟ ହୋଇଛନ୍ତି। ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ନିଜ ଇତିହାସର ସର୍ବାଧିକ ପଦକ ଜିତିଥିବାରୁ ଚାରିଆଡ଼ୁ ଭାରତୀୟ ଦଳକୁ ସାବାସୀ ମିଳୁଛି। ପଦକ ବିଜେତାଙ୍କୁ ସେମାନଙ୍କ ରାଜ୍ୟ ପୁରସ୍କାରରେ ପୋତି ଦେଉଛନ୍ତି। ହେଲେ ସିପକଟାକ୍ରରେ ଦେଶକୁ ପ୍ରଥମ ପଦକ ଉପହାର ଦେଇଥିବା ହରିଶ କୁମାର ଏସବୁଥିରୁ ବଞ୍ଚିତ ହୋଇଛନ୍ତି। ଦିଲ୍ଲୀ ସରକାର ଏ ପର୍ଯ୍ୟନ୍ତ ତାଙ୍କୁ ଟଙ୍କାଟିଏ ମଧ୍ୟ ପୁରସ୍କାର ଦେଇ ନଥିବାରୁ ହରିଶ ପୂର୍ବଭଳି ନିଜ ପିତାଙ୍କ ଦୋକାନରେ ଚା’ ବିକିବା ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀର ମଞ୍ଜୁ-କା-ଟିଲା ଅଞ୍ଚଳରେ ଥିବା ଏହି ଚା’ ଦୋକାନ ଅବଶ୍ୟ ପୂର୍ବାପେକ୍ଷା ଟିକିଏ ଅଧିକ ପ୍ରସିଦ୍ଧ ହୋଇ ଯାଇଛି। ହରିଶ୍‌ ସବୁଦିନ ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଅଭ୍ୟାସ କରନ୍ତି। ବଳକା ସମୟ ପିତାଙ୍କୁ ତାଙ୍କ ଦୋକାନରେ ସାହାଯ୍ୟ କରନ୍ତି। ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ଠାରୁ ମାସିକ ଭତ୍ତା ଏବଂ ଖେଳ ସାମଗ୍ରୀ ପାଉଥିଲେ ମଧ୍ୟ ଏହା ତାଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ୨୦୧୧ ମସିହାରେ ଖେଳ ଆରମ୍ଭ କରି ଚଳିତ ବର୍ଷ ଭାରତୀୟ ଏସିଆଡ଼୍‍ ଦଳରେ ସ୍ଥାନ ପାଇଥିଲେ ହରିଶ୍‌। ସେଠାରେ ପଦକ ଜିତି ଇତିହାସ ରଚିଥିଲେ। ସେଥିପାଇଁ ହରିଶଙ୍କୁ ଏକ ସରକାରୀ ଚାକିରି ଯୋଗାଇ ଦେବାକୁ ତାଙ୍କ ଭାଇ ଦିଲ୍ଲୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ହରିଶ୍‌ କହିଛନ୍ତି, ମୋ ପରିବାରରେ ବହୁତ ଲୋକ ଅଛନ୍ତି। ରୋଜଗାରର ମାଧ୍ୟମ କହିଲେ କେବଳ ଚା’ ଦୋକାନ। ସରକାରୀ ଚାକିରିଟିଏ ପାଇଲେ ଆମ ପରିବାରର ଆର୍ଥିକ ଅବସ୍ଥା ସୁଧୁରି ପାରନ୍ତା।

ସମ୍ବନ୍ଧିତ ଖବର