ଆଶୁତୋଷଙ୍କଠୁ ହାରିବାକୁ ଭୁଲି ନାହାନ୍ତି ଆଡଭାନି

ବେଙ୍ଗାଲୁରୁ (ସୁରେଶ ସ୍ବାଇଁ): ନିଜ ଆଦର୍ଶ ତଥା ବିଶ୍ବ ବିଲିୟାର୍ଡସ ବିଜେତା ପଙ୍କଜ ଆଡ଼ଭାନୀଙ୍କଠାରୁ ଓଡ଼ିଆ ପ୍ରତିଭା ଆଶୁତୋଷ ପାଢ଼ୀଙ୍କୁ ମିଳିଛି ସାବାସୀ ଓ ଶୁଭେଚ୍ଛା। ‘‘ଆଶୁତୋଷ ପାଢ଼ୀ ଜଣେ ଭଲ ଖେଳାଳି। କନିଷ୍ଠ ସ୍ତରରେ ତାଙ୍କ ପ୍ରତିଭା ପ୍ରଷ୍ଫୁଟିତ ହେବାରେ ଲାଗିଛି। କନିଷ୍ଠ ବର୍ଗରେ ବହୁ ଥର ସେ ଜାତୀୟ ବିଜେତା ହୋଇସାରିଛନ୍ତି। ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ମିଳିଲେ ନିଶ୍ଚିତ ସଫଳତା ପାଇପାରିବେ ବୋଲି କହିଛନ୍ତି ୧୯ ଥର ବିଶ୍ବ ବିଜେତା ପଙ୍କଜ ଆଡ଼ଭାନୀ। ଚଳିତ ବର୍ଷ ପ୍ରାରମ୍ଭରେ ବାଙ୍ଗାଲୋର‌୍‌ ଜାତୀୟ ସ୍ନୁୁକର ପ୍ରତିଯୋଗିତାରେ ସେ ମୋତେ ହରାଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା କଥା ମୋର ମନେଅଛି। ପ୍ରଥମ ଦୁଇ ଗେମ୍‌ ମୁଁ ଖରାପ ଖେଳିବା ପରେ ଆଶୁତୋଷ ଅଧିକ ଉନ୍ନତ ଖେଳିଥିଲା ଏବ˚ ମୋତେ ପ୍ରତ୍ୟାବର୍ତନର ସୁଯୋଗ ଦେଇନଥିଲା। ତା’ର ଭବିଷ୍ୟତ ନିଶ୍ଚିତ ଭାବେ ଉଜ୍ବଳ ରହିଛି। କିନ୍ତୁ ଅଧିକ ଏକ୍ସପୋଜର‌୍‌ର ଆବଶ୍ୟକତା ରହିଛି। ଏହା ହେଲେ ସେ ଅଧିକ ଆଗକୁ ବଢ଼ିପାରିବ। ଏଥି ଲାଗି ମୁଁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରୁଛି। ପ୍ରଦର୍ଶନରେ ସ୍ଥିରତା ରଖିଲେ ହିଁ ସେ ନିଶ୍ଚିତ ବରିଷ୍ଠ ବର୍ଗରେ ବି ଟ୍ରଫି ବିଜେତା ହୋଇପାରିବ ବୋଲି କହିଥିଲେ ଏହି ବିଲିଆର୍ଡସ ବିସ୍ମୟ ପ୍ରତିଭା। କମ୍‌ ବୟସରେ ନିଜର ଏତେ ସଫଳତା ସମ୍ପର୍କରେ ଆଡଭାନି କହିଥିଲେ ‘ମୁଁ ମାତ୍ର ୧୦ ବର୍ଷ ବୟସରେ ଏହି ଖେଳକୁ ଆସିବା ହିଁ ଥିଲା ଭଲ କଥା। ଯାହାକି ମୋତେ କ୍ରମେ ପରିପକ୍ବ କରିବା ସହିତ ଖେଳକୁ ନିଜ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଛି। ପ୍ରଶିକ୍ଷକ ଅରବିନ୍ଦ ସାଭୁରଙ୍କ ମାର୍ଗଦର୍ଶନରେ ଖେଳିଥିଲି। ଏବେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ମନୋଜ କୋଠାରିଙ୍କ ସହାୟତାରେ ଖେଳୁଛି। ଏହି ଖେଳକୁ କମ୍‌ ବୟସରୁ ଆରମ୍ଭ କଲେ ଭଲ ପକଡ଼ ଆସେ ଓ ଶିକ୍ଷଣୀୟ କ୍ଷମତା ବଢ଼ିଥାଏ। ଖୁବ୍‌ ଶୀଘ୍ର ଶିଖି ହୋଇଯାଏ। ୧୮ ବର୍ଷ ବୟସ ବେଳକୁ ମୁଁ ବିଶ୍ବ ବିଜେତା ହୋଇ ସାରିଥିଲି ଏବ˚ ପରିପକ୍ବତା ଆସିଯାଇଥିଲା। କ୍ରମେ ନିଜ ଖେଳରେ ଉନ୍ନତି ଆଣି ଗୋଟିଏ ପରେ ଗୋଟିଏ ମୁକୁଟ ଜିତିଛି ବୋଲି ବାଙ୍ଗାଲୋରରେ ‘ସମ୍ବାଦ’ ସହିତ ବିଶେଷ ଆଲୋଚନା ବେଳେ କହିଥିଲେ ୩୩ ବର୍ଷୀୟ ଆଡଭାନି। ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ସହିତ ଏବେ ଏହି ଖେଳକୁ କିଛି ଦେବାକୁ ମୁଁ ଚେଷ୍ଟା କରିବି। କାରଣ ମୁଁ ଏବେ କର୍ଣ୍ଣାଟକ ରାଜ୍ୟ ବିଲିୟାର୍ଡସ ଆସୋସିଏସନ୍‌ (କେଏସ୍‌ବିଏ)ର ଯୁଗ୍ମ ସମ୍ପାଦକ ହୋଇ କ୍ରୀଡ଼ା ପ୍ରଶାସନକୁ ପ୍ରବେଶ କରିଛି। ଭାରତରେ ବିଲିଆର୍ଡସ ଓ ସ୍ନୁକରର ପ୍ରଚାର ପ୍ରସାର ସମ୍ପର୍କରେ ଜାତୀୟ ସ˚ଘର ଭୂମିକାକୁ ନେଇ ମଧୢ ଆଡଭାନି ମତ ରଖିଥିଲେ। ଏହି ଖେଳ ଟେଲିଭିଜନ୍‌ରେ ପ୍ରସାରିତ ହେଲେ ଅଧିକରୁ ଅଧିକ ପିଲା ଆସିପାରନ୍ତେ ଏବ˚ ଲୋକପ୍ରିୟତା ବଢ଼ନ୍ତା। ଫର୍ମାଟକୁ ଛୋଟ କରିବା ସହିତ ଲୋକଙ୍କ ପାଇଁ ଆକର୍ଷଣୀୟ କରିବା ଦରକାର। ଲୋକମାନେ ଦେଖି ଶିଖିଲେ ହିଁ ଏହା ସମ୍ଭବ ହେବ। ଏଥିପାଇଁ ଘରୋଇ କର୍ପୋରେଟ୍‌ ସ˚ସ୍ଥାଗୁଡ଼ିକ ଆଗେଇ ଆସିବାର ଆବଶ୍ୟକତା ମଧୢ ରହିଛି ବୋଲି କହିଥିଲେ ନିଜ ଖେଳ ଜୀବନରେ ଅଦ୍ୟାବଧି ୬୦ ମୁକୁଟ ଜିତି ସାରିଥିବା ଆଡ଼ଭାନି।

ପ୍ରଚଣ୍ତ ପ୍ରତିଭା: ପ୍ରିନସ ଅଫ୍‌ ପୁନେ, ଗୋଲ୍‌ଡେନ୍‌ ବୟ, ପ୍ରିନ୍‌ସ ଅଫ୍‌ ଇଣ୍ତିଆ ଭାବେ ଭାରତୀୟ କ୍ରୀଡ଼ା ଦୁନିଆରେ ବେଶ ପରିଚିତ ପଙ୍କଜ ଆଡଭାନି। ପୁନେରେ ଜନ୍ମ ହୋଇଥିଲେ ବି କୁଏତରେ ବିତିଥିଲା ଆଦ୍ୟ ଜୀବନ। କିନ୍ତୁ ବାଙ୍ଗାଲୋରରେ ବିକଶିତ ଏବ˚ ବିଶ୍ବବ୍ୟାପୀ ପ୍ରଷ୍ଫୁଟିତ ହୋଇଛି ତାଙ୍କ ପ୍ରତିଭା। ସର୍ବକନିଷ୍ଠ ଜାତୀୟ ସ୍ନୁକର ବିଜେତାରୁ ଅଭିଯାନ ଆରମ୍ଭ କରିଥିବା ପଙ୍କଜଙ୍କ ପାଖରେ ଏବେ ୬୦ ଟ୍ରଫି। ୧୯ ବିଶ୍ବ ମୁକୁଟ ସହିତ ୮ ଏସୀୟ, ୨ ଏସୀୟ କ୍ରୀଡ଼ା, ଥରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଏବ˚ ୩୦ ଥର ଜାତୀୟ ବିଜେତାର ଗୌରବ। ଲଗାତାର ୩୯ ମ୍ୟାଚ୍‌ରେ ଅପରାଜିତ ରହିବାର କୀର୍ତି ବି ରହିଛନ୍ତି। ବିଶ୍ବ ପଦାର୍ପଣରେ ମୁକୁଟ ହାସଲ ବି କରିଛନ୍ତି। ଏକମାତ୍ର ଖେଳାଳି ଭାବେ ସର୍ଟ ଓ ଲଙ୍ଗ୍‌ ଫର୍ମାଟରେ ଜିତିଛନ୍ତି ବିଶ୍ବ ଟ୍ରଫି। ଇ˚ଲିସ୍‌ ବିଲିୟାର୍ଡସରେ ହ୍ୟାଟ୍ରିକ୍‌ ଅଫ୍‌ ହ୍ୟାଟ୍ରିକ୍ସ କରି ସେ ଏକକାଳୀନ ରଖିଥିଲେ ବିଶ୍ବ, ଏସୀୟ ଓ ଜାତୀୟ ମୁକୁଟ। ତାଙ୍କ ସଫଳତା କାରଣରୁ କେନ୍ଦ୍ର ସରକାରଙ୍କ ଅର୍ଜୁନ, ରାଜୀବ ଗାନ୍ଧୀ ଖେଳରତ୍ନ, ପଦ୍ମଶ୍ରୀ, ପଦ୍ମଭୂଷଣ ଗୌରବ ପାଇ ସାରିଛନ୍ତି ଏହି ପ୍ରଚଣ୍ତ ପ୍ରତିଭା।

ସମ୍ବନ୍ଧିତ ଖବର