ଫେଡେରର୍‌-ଭେରେଭ୍‌ ଓ ନାଦାଲ-ଗଫିନ୍‌ ପ୍ରଥମ ମୁକାବିଲା

ଏଟିପି ଟୁର୍‌ ଫାଇନାଲ୍‌ସ

ଲଣ୍ଡନ: ଆସନ୍ତା ସପ୍ତାହରୁ ଲଣ୍ଡନରେ ଆୟୋଜିତ ହେବାକୁ ଯାଉଛି ଚଳିତ ବର୍ଷର ଏଟିପି ଟୁର୍‌ ଫାଇନାଲ୍‌ସ। ଏଥିପାଇଁ ବୁଧବାର ଦୁଇଟି ଗ୍ରୁପ୍‌ର ୮ ଶ୍ରେଷ୍ଠ ମାନ୍ୟତା ଖେଳାଳିଙ୍କୁ ନେଇ ଡ୍ର’ ହୋଇଯାଇଛି। ପିଟ୍‌ ସାମ୍ପ୍ରାସ୍‌ ଗ୍ରୁପ୍‌ରେ ଦ୍ୱିତୀୟ ମାନ୍ୟତା ସ୍ୱିଜରଲାଣ୍ଡ୍‌ ତାରକା ରୋଜର୍‌ ଫେଡେରର୍‌, ତୃତୀୟ ମାନ୍ୟତା ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭ୍‌, ପଞ୍ଚମ ମାନ୍ୟତା କ୍ରୋଏସିଆର ମାରିନ୍‌ ସିଲିକ୍‌ ଓ ନବମ ମାନ୍ୟତା ଆମେରିକାର ଜାକ୍‌ ସକ୍‌ ସ୍ଥାନ ପାଇଥିଲା ବେଳେ ବୋରିସ୍‌ ବେକର୍‌ ଗ୍ରୁପ୍‌ରେ ଶୀର୍ଷ ମାନ୍ୟତା ସ୍ପେନ୍‌ର ରାଫେଲ ନାଦାଲ, ଚତୁର୍ଥ ମାନ୍ୟତା ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌, ଷଷ୍ଠ ମାନ୍ୟତା ବୁଲ୍‌ଗେରିଆର ଗ୍ରିଗୋର୍‌ ଦିମିତ୍ରୋଭ୍‌ ଓ ଅଷ୍ଟମ ମାନ୍ୟତା ବେଲ୍‌ଜିୟମ୍‌ ତାରକା ଡେଭିଡ୍‌ ଗଫିନ୍‌ ସାମିଲ ହୋଇଛନ୍ତି। ତେବେ ଆହତ ଯୋଗୁଁ ଗତବର୍ଷର ବିଜେତା ବ୍ରିଟେନ୍‌ ତାରକା ଆଣ୍ଡି ମରେ, ୪ ଥର ବିଜେତା ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଓ ଷ୍ଟାନ୍‌ ଓ୍ଵାରିଙ୍କାଙ୍କୁ ଦେଖିବାକୁ ମିଳିବନି। ଏଥର ଏହି ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟରେ ୬ ଥର ବିଜେତା ଫେଡେରର୍‌ ପଦାର୍ପଣ କରିଥିବା ଭେରେଭ୍‌ଙ୍କୁ ଭେଟି ଅଭିଯାନ ଆରମ୍ଭ କରିବେ। ସେହିପରି ଗ୍ରୁପ୍‌ ପର୍ଯ୍ୟାୟରେ ନାଦାଲଙ୍କ ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ଗଫିନ୍‌ ରହିଛନ୍ତି।

ସମ୍ବନ୍ଧିତ ଖବର