ଜାଦେଜାଙ୍କ ପତ୍ନୀଙ୍କୁ ଆକ୍ରମଣ

ଜାମନଗର: କ୍ରିକେଟର ରବୀନ୍ଦ୍ର ଜାଦେଜାଙ୍କ ପତ୍ନୀ ରିଭା ଜାଦେଜାଙ୍କୁ ଜାମନଗରର ଜଣେ ପୁଲିସ କନେଷ୍ଟବଳ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଛନ୍ତି। ସୋମବାର ସକାଳେ ରିଭା କୌଣସି କାମରେ ସହର ଭିତରକୁ ଯାଉଥିଲା ବେଳେ ତାଙ୍କ କାର ସଂଜୟ ଆହିର ନାମକ ଏହି କନେଷ୍ଟବଳଙ୍କ ବାଇକକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଆହିର ତାଙ୍କୁ ଆକ୍ରମଣ କରିଥିଲେ। ରିଭା କାର୍‌ ରୋକିବା କ୍ଷଣି ସେ ତାଙ୍କୁ ଗାଳିଗୁଲଜ କରିବା ସହ ଠେଲା ପେଲା ମଧ୍ୟ କରିଥିଲେ। ଏଥିରେ ରିଭା ଆହତ ହୋଇଥିବା ଜାମନଗର ଆରକ୍ଷୀ ଅଧିକ୍ଷକ ପ୍ରଦୀପ ସେଜୁଆଲ କହିଛନ୍ତି। ଘଟଣା ପଦାକୁ ଆସିବା ପରେ ଗୁଜରାଟ ପୁଲିସ ଆହିରଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କୁ ଆକ୍ରମଣ କରିବା ଏକ ଗୁରୁତର ଅପରାଧ ହୋଇଥିବାରୁ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେଜୁଆଲ କହିଛନ୍ତି। ଦୁର୍ଘଟଣା ବେଳେ ଜାଦେଜାଙ୍କ ମା’ ମଧ୍ୟ କାର ଭିତରେ ଥିଲେ। ତାଙ୍କୁ ମଧ୍ୟ ଆହିର ଅସମ୍ମାନ କରିଥିବା ଜଣା ପଡ଼ିଛି। ଜାଦେଜା ସଂପ୍ରତି ଚେନ୍ନାଇ ସୁପରକିଙ୍ଗ୍ସ ତରଫରୁ ଆଇପିଏଲ୍‌ ଖେଳୁଥିଲା ବେଳେ ରିଭା ତାଙ୍କ ଘରର ଦେଖାଶୁଣା କରୁଛନ୍ତି। ରିଭା ମାମଲା ଦାୟର କରିବା ପରେ ପୁଲିସ ସଂଧ୍ୟାରେ ଆହିରଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ତାଙ୍କୁ ନିଲମ୍ବନ କରାଯିବା ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର