ଅଷ୍ଟ୍ରେଲିଆ ୫୩୪/୫: ଶ୍ରୀଲଙ୍କା ୧୨୩/୩

କାନବେରା: ମନୁକା ଓଭାଲ୍‌ରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ୩ଟି ଶତକ ବଳରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ପାଳିକୁ ୫୩୪/୫ରେ ଘୋଷଣା କରିଛି। ଜବାବରେ ଦ୍ବିତୀୟ ଦିନ‌ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଶ୍ରୀଲଙ୍କା ୧୨୩ ରନ୍‌ରେ ୩ ୱିକେଟ୍ ହରାଇ ଦେଇଛି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ଦିମୁଥ କରୁଣାରତ୍ନେ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କ ବାଉଁସରରେ ଆଘାତ ପାଇଁ ହସ୍‌ପିଟାଲ୍ ଯିବା ଶନିବାର ଅପରାହ୍ନକୁ ଦୁଃଖରେ ଆଛାଦିତ ରଖିଥିଲା। ଶନିବାର ସକାଳେ ଅଷ୍ଟ୍ରେଲିଆ ୩୮୪/୪ରୁ ଖେଳିଥିଲେ ମଧ୍ୟ ଜୋ ବର୍ନସ (୧୮୦, ୨୬୦ ବଲ, ୨୭ ଚୌକା) ଦ୍ବିଶତକରୁ ବଞ୍ଚିତ ହୋଇଥିଲେ। ଟ୍ରାଭିସ୍ ହେଡ (୧୬୧)ଙ୍କୁ ସାଥିରେ ନେଇ ସେ ପ୍ରଥମ ଦିନ ୩୦୮ ରନ ଭାଗୀଦାରି ପ୍ରତିଷ୍ଠା କରିଥିଲେ ଯାହାକି ଅଷ୍ଟ୍ରେଲିଆ ପାଇଁ ଏକ ନୂଆ କୀର୍ତିମାନ ହୋଇଥିଲା। ବର୍ନସଙ୍କ ଆଉଟ୍ ପରେ କୁର୍ତିସ ପ୍ୟାଟରସନ୍‌ (୧୧୪*, ୧୯୨ ବଲ, ୧୪ ଚୌକା, ୧ ଛକା) ଏବଂ ଅଧିନାୟକ ଟିମ୍ ପେନ୍‌ (୪୫, ୧୧୪ ବଲ୍‌, ୩ ଚୌକା) ଅତୁଟ ଷଷ୍ଠ ୱିକେଟ୍‌ରେ ୧୩୦ ରନ୍ ଯୋଡ଼ିଥିଲେ। ପ୍ରଥମଶ୍ରେଣୀ କ୍ରିକେଟ୍‌ ପଦାର୍ପଣରେ ଶତକ ଜମାଇଥିବା କୁର୍ତିସ ପ୍ୟାଟରସନ୍‌ ଏଠାରେ ନିଜର ପ୍ରଥମ ଟେଷ୍ଟ୍‌ ଶତକ ମଧ୍ୟ ହାସଲ କରିଥିଲେ। ମଧ୍ୟାହ୍ନ ଭୋଜନ ପରବର୍ତୀ ଘଣ୍ଟାଏ ଖେଳରେ ପେନ୍‌ ପାଳି ଘୋଷଣା କରି ଦେଇଥିଲେ। ଜବାବରେ ଶ୍ରୀଲଙ୍କା ପାଇଁ ପ୍ରାରମ୍ଭିକ ଯୋଡ଼ି ଦିମୁଥ କରୁଣାରତ୍ନେ (୪୬*, ରିଟାର୍ଡ ହର୍ଟ) ଏବଂ ଲାହିରୁ ଥିରିମାନେ (୪୧, ୧୦୫ ବଲ) ଭଲ ଆାରମ୍ଭ ଦେଇଥିଲେ। କମିନ୍ସଙ୍କ ବାଉଁସରେ ଶିକାର ହୋଇ କରୁଣାରତ୍ନେ ରିଟାର୍ଡ ହର୍ଟ ହୋଇ ଫେରିଯିବା ପରେ ଥିରିମାନେଙ୍କୁ ନାଥନ୍ ଲାୟନ୍‌ ଆଉଟ୍ କରିଥିଲେ। ଏହା ପରେ କୁସାଲ ମେଣ୍ଡିଜ୍‌ (୬)ଙ୍କୁ କମିନ୍ସ ବୋଲଡ଼୍ କରିଦେବା ଏବଂ ଦିନର ତୃତୀୟ ଶେଷ ଓଭରରେ ଦୀନେଶ ଚାନ୍ଦିମାଳଙ୍କୁ ମିଚେଲ ଷ୍ଟାର୍କ କଟ୍ ବିହାଇଣ୍ଡ୍‌ କରାଇନେବା ଶ୍ରୀଲଙ୍କାକୁ ଆଡୁଆରେ ପକାଇଛି।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୩୨ ଓଭର ୫୩୪/୫, ଘୋଷଣା (ଜୋ ବର୍ନସ-୧୮୦, ଟ୍ରାଭିସ୍ ହେଡ୍‌-୧୬୧, କୁର୍ତିସ ପ୍ୟାଟରସନ୍‌-୧୧୪*, ଟିମ୍ ପେନ୍‌-୪୫*, ବିଶ୍ବ ଫର୍ନାଣ୍ଡୋ-୩/୧୨୬, କସୁନ ରଂଜିତା-୧/୧୦୩, ଚାମିକା କରୁଣାରତ୍ନେ-୧/୧୩୦)।

ଶ୍ରୀଲଙ୍କା ପ୍ରଥମ ପାଳି: ୪୩ ଓଭରରେ ୧୨୩/୩ (ଦିମୁଥ କରୁଣାରତ୍ନେ-୪୬*, ଲାହିରୁ ଥିରିମାନେ-୪୧, ପ୍ୟାଟ୍ କମିନ୍ସ-୧/୨୫, ମିଚେଲ୍ ଷ୍ଟାର୍କ-୧/୩୨, ନାଥନ୍ ଲାୟନ୍‌-୧/୪୦)।

ସମ୍ବନ୍ଧିତ ଖବର