ଫିଞ୍ଚ୍‌ ଓ ମାର୍ସ ଦେଲେ ବିଜୟ ଅଭିଯାନ

ସାରଜା: ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତି ୟୁଏଇ ଗସ୍ତ କରିଥିବା ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ବିପକ୍ଷରେ ବିଜୟରୁ ଆଭିଯାନ ଆରମ୍ଭ କରିଛି। ଆରୋନ୍‌ ଫିଞ୍ଚ୍‌ଙ୍କ ଶତକ (୧୧୬) ଏବଂ ସନ୍ ମାର୍ସ (୯୧*)ଙ୍କ ଆକର୍ଷଣୀୟ ପାଳି ବଳରେ ଅଷ୍ଟ୍ରେଲିଆ ୨୮୧ ରନ୍ ବିଜୟ ଲକ୍ଷ୍ୟକୁ ଅତି ସହଜରେ ୮ ୱିକେଟ୍ ଏବଂ ୧ ଓଭର ହାତରେ ଥାଇ ଜିତି ନେଇଥିଲା। ଏଥି ସହିତ ଭାରତ ଗସ୍ତରୁ ଆରମ୍ଭ କରି ଲଗାତାର ଚତୁର୍ଥ ବିଜୟ ମଧ୍ୟ ପାଇଛି କଙ୍ଗାରୁ ଦଳ। ଫିଞ୍ଚ୍‌ଙ୍କ ଦଳ ମଧ୍ୟ ୫ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଟସ୍ ଜିତି ପାକିସ୍ତାନ ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ସନ୍ ମାସୁଦ୍‌ (୪୦, ୬୨ ବଲ, ୫‌ ଚୌକା), ୪ ନମ୍ବର ବ୍ୟାଟସମ୍ୟାନ୍‌ ଉମର୍ ଆକମଲ (୪୮, ୫୦ ବଲ, ୩ ଛକା)ଙ୍କ ସହିତ ୩ ନମ୍ବର ତାରକା ହାରିସ୍ ସୋହେଲ (୧୦୧*, ୧୧୫ ବଲ, ୬ ଚୌକା, ୧ ଛକା)ଙ୍କ ପ୍ରଥମ ଦିନିକିଆ ଶତକ ବଳରେ ଦଳ ୫୦ ଓଭରରେ ୫ ୱିକେଟ୍ ହରାଇ ୨୮୦ ରନ୍ କରିଥିଲା। ନିମ୍ନକ୍ରମରେ ଫହିଦ୍ ଅସ୍ରଫ (୨୮, ୨୬ ବଲ, ୪ ଚୌକା) ଏବଂ ଇମଦ୍ ୱାସିମ୍ (୨୮*, ୧୩ ବଲ, ୪ ଚୌକା, ୧ ଛକା) ମଧ୍ୟ ଉପଯୋଗୀ ଅବଦାନ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ କୁଲଟର୍ ନାଇଲ୍ ଦୁଇଟି ଏବଂ ରିଚାର୍ଡସନ, ଲାୟନ, ମ୍ୟାକ୍ସୱେଲ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ୪୯ ଓଭରରେ ୨ ୱିକେଟ୍‌ ହରାଇ ୨୮୧ ରନ୍ ସଂଗ୍ରହ କରି‌ ନେଇଥିଲା। ଉସ୍‌ମାନ ଖୱାଜା (୨୪) ଏବଂ ଆରୋନ୍‌ ଫିଞ୍ଚ୍‌ (୧୧୬, ୧୩୫ ବଲ, ୮ ଚୌକା, ୨ ଛକା) ଆଉଟ୍ ହୋଇଥିବା ବେଳେ ସନ୍ ମାର୍ସ (୯୧*, ୧୦୨ ବଲ, ୪ଚୌକା, ୨ ଛକା) ଏବଂ ପିଟର୍ ହ୍ୟାଣ୍ଡସ୍କମ୍ଭ (୩୦*, ୨୭ ବଲ, ୨ ଚୌକା) ବିଜୟ ଶେଷ କରିଥିଲେ। ଫିଞ୍ଚ୍‌ ଓ ମାର୍ସ ଦ୍ବିତୀୟ ୱିକେଟ୍‌ରେ ୧୭୨ ରନ୍‌ ଯୋଡ଼ି ବିଜୟ ସହଜ କରିଦେଇଥିଲେ। ଫିଞ୍ଚ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୫୦ ଓଭରରେ ୨୮୦/୫ (ହାରିସ୍ ସୋହେଲ-୧୦୧*, କଲଟନ୍ ନାଇଲ୍-୨/୬୨)। ଅଷ୍ଟ୍ରେଲିଆ ୪୯ ଓଭରରେ ୨୮୧/୨ (ଆରୋନ୍‌ ଫିଞ୍ଚ୍‌-୧୧୬, ସନ୍ ମାର୍ସ-୯୧*, ଆବାସ-୧/୪୪)।

ସମ୍ବନ୍ଧିତ ଖବର