ଅଷ୍ଟ୍ରେଲିଆର ଲଗାତାର ବିଜୟ

ଟ୍ରାନ୍ସ-ତାସମାନ ଟେ୍ଵଣ୍ଟି-୨୦ ଶୃଙ୍ଖଳା

ହୋବର୍ଟ: ଅଷ୍ଟ୍ରେଲିଆରେ ଚାଲିଥିବା ଟ୍ରାନ୍ସ-ତାସମାନ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଘରୋଇ ଅଷ୍ଟ୍ରେଲିଆ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍‌ରେ ହରାଇଥିବା କଙ୍ଗାରୁ ଦଳ ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହିତ ମୋଟ ୪ ପଏଣ୍ଟ୍‌ ସହ ଘରୋଇ ଦଳ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଆଜିର ବିଜୟରେ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ପ୍ରମୁଖ ଭୂମିକା ତୁଲାଇଥିଲେ। ଶତକୀୟ ପାଳି (୧୦୩*) ସହ ମାତ୍ର ୧୦ ରନ୍‌ରେ ୩ ଓ୍ଵିକେଟ୍‌ ନେଇ ସେ ହିଁ ଇଂଲଣ୍ଡକୁ ଧୂଳି ଚଟାଇଥିଲେ।
ହୋବର୍ଟର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ଏକମାତ୍ର ଖେଳାଳି ଭାବେ ଡେଓ୍ଵିଡ୍‌ ମଲାନ (୫୦) ଅର୍ଧଶତକ ଅର୍ଜନ କରିଥିଲେ। ଏହାର ଜବାବରେ ଅଷ୍ଟ୍ରେଲିଆ ୪ ରନ୍‌ରେ ଦୁଇଟି ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ମ୍ୟାକ୍ସେଓ୍ଵଲଙ୍କ ବିସ୍ଫୋରକ ଶତକ ବଳରେ ୯ ବଲ୍‌ ପୂର୍ବରୁ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୦ ଓଭରରେ ୧୫୯/୫ (ଡେଓ୍ଵିଡ୍‌ ମଲାନ ୫୦, ଆଲେକ୍ସ ହାଲେସ୍‌ ୨୨, ଇଅନ ମୋର୍ଗାନ ୨୨, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ୩/୧୦)। ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୬୧/୫ (ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌ ୧୦୩*, ଡାର୍କି ସଟ୍‌ ୩୦, ଡେଭିଡ୍‌ ଓ୍ଵିଲି ୩/୨୮)।

ସମ୍ବନ୍ଧିତ ଖବର