ଚାପେଲଙ୍କ କର୍କଟ ସଂଘର୍ଷ

ମେଲବର୍ନ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଇଆନ୍ ଚାପେଲ ଏବେ କର୍କଟ ରୋଗ ସହିତ ଲଢ଼ୁଛନ୍ତି। ୭୫ ବର୍ଷୀୟ ଚାପେଲ ନିଜେ ଏହି କଥା ଘୋଷଣା କରିଛନ୍ତି। କିନ୍ତୁ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳାରେ ସେ ଭାଷ୍ୟକାର ଭୂମିକା ତୁଲାଇବା ନେଇ ଆଶାବାଦୀ ଅଛନ୍ତି। ଅଷ୍ଟ୍ରେଲିଆ ପାଇଁ ୧୯୬୪ରୁ ୧୯୮୦ ମସିହା ମଧ୍ୟରେ ୭୫ ଟେଷ୍ଟ୍ ଖେଳିଥିବା ଇଆନ୍ ଚାପେଲ୍‌ ଏବେ ଚର୍ମ କର୍କଟରେ ପୀଡ଼ିତ ଅଛନ୍ତି। କାନ୍ଧ, ବେକ, ବାହୁ ଆଦିରୁ ତାଙ୍କୁ ଚର୍ମ ହଟାଇବାକୁ ପଡ଼ିଛି। ୫ ସପ୍ତାହ ଧରି ସେ ଏଥିରେ ରାଡିଏସନ୍ ଥେରାପି (ବିକିରଣ ଉପଚାର) କରି ସାରିଛନ୍ତି। ‘‘ଆପଣ ୭୦ ବର୍ଷରେ ପହଞ୍ଚିଗଲେ ନିଶ୍ଚିତ ନିସ୍ତେଜ ଅନୁଭବ କରିବେ। ମୁଁ ଭାବୁଛି ଚର୍ମ କର୍କଟ ମୋ ସହିତ ଅନେକ ବର୍ଷରୁ ରହି ଆସିଛି। ବର୍ତମାନ ପରିସ୍ଥିତିରେ ପାଥୋଲୋଜି ରିପୋର୍ଟ ଠିକ୍ ଥିବାରୁ ମୁଁ ଅଗଷ୍ଟ ପହିଲାରୁ ଆରମ୍ଭ ହେଉଥିବା ଆସେସ୍ ଶୃଙ୍ଖଳାରେ ଭାଷ୍ୟକାର ରହି ପାରିବି’ ବୋଲି ଚାପେଲ୍ କହିଛନ୍ତି। ରେଡିଏସନ୍ ଥେରାପି ଚାଲିଥିବା ବେଳେ ଚାପେଲ୍ ଗତ ସପ୍ତାହରେ ଅନ୍ୟ ଦୁଇ ଭାଇ ଗ୍ରେଗ୍ ଓ ଟ୍ରେଭରଙ୍କ ସହିତ ଏକ ପାରିବାରିକ ଉତ୍ସବରେ ବି ସାମିଲ ହୋଇଥିଲେ। କିନ୍ତୁ ଚର୍ମ କର୍କଟ କାରଣରୁ ମୁଁ ଆସେସ୍ ପାଇଁ ଭଲ ପ୍ରସ୍ତୁତି କରିପାରି ନାହିଁ ବୋଲି ଇଆନ୍ ଚାପେଲ୍ ସ୍ବୀକାର କରିଛନ୍ତି। ଯେତେବେଳେ ରିଚି (ବେନ) ଏବଂ ଟନି (ଗ୍ରେଗ୍‌) ଚାଲିଗଲେ..ଏହା ସମସ୍ତଙ୍କ କ୍ଷେତ୍ରରେ ଘଟିବ ବୋଲି ମନେ ପକାଇ ଦେଇଥିଲା। ପ୍ରାଥମିକ ଅବସ୍ଥାରେ ମୁଁ ଏହାକୁ ବିଶେଷ କାହାରିକୁ କହି ନଥିଲି। ରାଡିଏସନ୍ ପରେ କ୍ଲାନ୍ତି ଏବଂ ଚର୍ମ ବିରକ୍ତି ପାଇଁ କ୍ରମେ ସାଥୀ ଖେଳାଳି ଏବଂ ପରିବାର ଲୋକଙ୍କୁ ଜଣାଇଥିଲି। ଏବେ ଆସେସ୍ ଆସିଯିବା ପରେ ମୁଁ ଚାନେଲ୍ ନାଇନ୍ (ପ୍ରସାରଣକାରୀ ସଂସ୍ଥା)କୁ କହି ଦେଇଥିଲି ‘ମୋତେ ଲୋଡ଼ିଲେ, ମୁଁ ପ୍ରସ୍ତୁତ ଅଛି’।

ସମ୍ବନ୍ଧିତ ଖବର