ଅଷ୍ଟ୍ରେଲିଆ ୪୯୨ ରନ୍‌ରେ ପରାସ୍ତ:ଦକ୍ଷିଣ ଆଫ୍ରିକାର ଐତିହାସିକ ଶୃଙ୍ଖଳା ବିଜୟ

ଜୋହାନେସ୍‌ବର୍ଗ: ବଲ୍‌ ବିକୃତ ମାମଲାରେ ବିଚଳିତ ଅଷ୍ଟ୍ରେଲିଆ ଦଳ ଓ୍ଵଣ୍ଡରର୍ସ ଟେଷ୍ଟ୍‍କୁ ୪୯୨ ରନ୍‌ର ବୃହତ ବ୍ୟବଧାନରେ ହାରିଯାଇଛି। ଏଥି ସହିତ ଘରୋଇ ଦକ୍ଷିଣ ଆଫ୍ରିକା ୩-୧ରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି। ୪୮ ବର୍ଷ ପରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା କଙ୍ଗାରୁ ଦଳ ବିପକ୍ଷରେ ଟେଷ୍ଟ୍‍ ଶୃଙ୍ଖଳା ବିଜୟ ହାସଲ କଲା। ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୧୯୭୦ ମସିହାରେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏଥର ଏକାଧିକ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲେ ମଧ୍ୟ ଅନେକ ଖରାପ କଥା, ଆଚରଣ, ବିବାଦ ଭିତରେ ଏହି ଟେଷ୍ଟ୍‍ ଶୃଙ୍ଖଳା ସାମାପିତ ହୋଇଛି।
ମଙ୍ଗଳବାର ଅଷ୍ଟ୍ରେଲିଆ ୮୮/୩ରୁ ଖେଳ ଆରମ୍ଭ କରିଥିଲା। ଶେଷ ଦିନରେ ମ୍ୟାଚ୍‌ ଜିତିବା ନୁହେଁ ବଞ୍ଚାଇବା ପାଇଁ ଦିନ ତମାମ ବ୍ୟାଟିଂ କରିବାର ଆବଶ୍ୟକତା ଥିଲା। କିନ୍ତୁ ଭର୍ନାନ୍‌ ଫିଲାଣ୍ଡର୍‌ଙ୍କ ଘାତକ ବୋଲିଂ (୧୩-୫-୨୧-୬) ଆଗରେ ଅଷ୍ଟ୍ରେଲିଆ ଆତ୍ମସମର୍ପଣ କରିଥିଲା। ମଙ୍ଗଳବାର ମାତ୍ର ୧୬.୪ ଓଭର ଭିତରେ ହିଁ ଅଷ୍ଟ୍ରେଲିଆ ନିଜର ୭ ଓ୍ଵିକେଟ୍‌ ହରାଇ କେବଳ ଯୋଡ଼ିଥିଲା ୩୧ ରନ୍‌। ପତନ ହୋଇଥିବା ୭ ଓ୍ଵିକେଟ୍‌ ମଧ୍ୟରୁ ଫିଲାଣ୍ଡର୍‌ ଏକା ୬ ଓ୍ଵିକେଟ୍‌ ନେଇଥିବା ବେଳେ ଅନ୍ୟଟି ରନ୍‌ଆଉଟ୍‌ ଥିଲା। ମ୍ୟାଚ୍‌ରେ ୫୧ ରନ୍‌ ବିନିମୟରେ ମୋଟ ୯ ଓ୍ଵିକେଟ୍‌ ନେଇଥିବା ଫିଲାଣ୍ଡର୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ। କାଗିସୋ ରବାଦା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୮୮ (ଏଦୈନ ମର୍କରାମ-୧୫୨, ଏବି ଡି’ଭିଲିୟର୍ସ-୬୯, ତେମ୍ବା ବାଭୁମା-୯୫*, ପ୍ୟାଟ୍‌ କମିନ୍‌ସ-୫/୮୩, ନାଥନ୍‌ ଲିଅନ୍‌-୩/୧୮୨, ଜେମ୍‌ସ ସାୟର୍ସ-୨/୭୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୨୧ (ଉସ୍‌ମାନ ଖଓ୍ଵାଜା-୫୩, ଟିମ୍‌ ପାଇନ୍‌-୬୨, ପ୍ୟାଟ୍‌ କମିନ୍‌ସ-୫୦, ଭର୍ନାନ୍‌ ଫିଲାଣ୍ଡର୍‌-୩/୩୦, କାଗିସୋ ରାବାଦା-୩/୫୩, କେଶବ ମହାରାଜ-୩/୯୨)।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୩୪୪/୬, ଘୋଷଣା (ଫାପ୍‌ ଡୁ ପ୍ଲେସିସ୍‌-୧୨୦, ଡିନ୍‌ ଏଲଗାର-୮୧, ପ୍ୟାଟ୍‌ କମିନ୍‌ସ-୪/୫୮, ନାଥନ୍‌ ଲିଅନ୍‌-୨/୧୧୬)।
ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳି: ୪୬.୪ ଓଭରରେ ୧୧୯ (ଜୋ ବର୍ନସ-୪୨, ପିଟର୍‌ ହ୍ୟାଣ୍ଡ୍‌ସ୍କମ୍ବ-୨୪, ଭର୍ନାନ୍‌ ଫିଲାଣ୍ଡର୍‌-୬/୨୧, ମର୍ନି ମର୍କେଲ୍‌-୨/୨୮, କେଶବ ମହାରାଜ-୧/୪୭)।
ରନ୍‌ ବ୍ୟବଧାନ ବିଜୟ (ଶୀର୍ଷ ୧୦)
୧. ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୬୭୫ ରନ୍‌ (ବ୍ରିସ୍‌ବନ, ୧୯୨୮)।
୨. ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୫୬୨ ରନ୍‌ (ଲଣ୍ଡନ୍‌, ୧୯୩୪)।
୩. ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ୫୩୦ ରନ୍‌ (ମେଲ୍‌ବର୍ନ, ୧୯୧୧)
୪. ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪୯୨ ରନ୍‌ (ଓ୍ଵଣ୍ଡରର୍ସ, ୨୦୧୮)
୫. ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୪୯୧ ରନ୍‌ (ପର୍ଥ, ୨୦୦୪)।
୬. ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୪୬୫ ରନ୍‌ (ଚିଟ୍ଟାଗଙ୍ଗ, ୨୦୦୯)।
୭. ଇଂଲଣ୍ଡ ବିପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ ୪୨୫ ରନ୍‌ (ମାଞ୍ଚେଷ୍ଟର୍‌, ୧୯୭୬)।
୮. ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୦୯ ରନ୍‌ (ଲଣ୍ଡନ୍‌, ୧୯୪୮)।
୯. ଅଷ୍ଟ୍ରେଲିଆ ବିପକ୍ଷରେ େଓ୍ଵଷ୍ଟଇଣ୍ଡିଜ୍‌ ୪୦୮ ରନ୍‌ (ଆଡିଲେଡ୍‌, ୧୯୮୦)।
୧୦. ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୦୫ ରନ୍‌ (ଲଣ୍ଡନ୍‌, ୨୦୧୫)।

ସମ୍ବନ୍ଧିତ ଖବର