ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି ଜିତିଲେ ବୋଟାସ୍‌

ମେଲ୍‌ବର୍ନ: ଚଳିତ ଫର୍ମୁଲା ୱାନ୍‌ ଋତୁର ପ୍ରଥମ ରେସ୍‌ ଅଷ୍ଟ୍ରେଲିଆନ୍‌ ଗ୍ରାଁ ପ୍ରି ଜିତି ନେଇଛନ୍ତି ଫିନ୍‌ଲାଣ୍ଡ୍‌ର ଭାଲ୍‌ଟେରି ବୋଟାସ୍‌। ଏହି ମର୍ସିଡେଜ୍‌ ଚାଳକ ରବିବାର ଆଲ୍‌ବର୍ଟ ପାର୍କରେ ଅନୁଷ୍ଠିତ ରେସ୍‌ରେ ଦଳୀୟ ସାଥୀ ଲୁଇସ୍‌ ହାମିଲଟନ୍‌ ଏବଂ ନେଦରଲାଣ୍ଡ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ପଛରେ ପକାଇ ବିଜୟରୁ ଋତୁ ଆରମ୍ଭ କରିଛନ୍ତି। ବିଶ୍ବ ବିଜେତା ହାମିଲଟନ୍‌ ଦ୍ବିତୀୟ ଓ ରେଡ୍‌ବୁଲ୍‌ ଚାଳକ ଭର୍ଷ୍ଟାପେନ୍‌ ତୃତୀୟ ସ୍ଥାନ ଅକ୍ତିଆର କରି ପୋଡିୟମ୍‌ ଫିନିସ୍‌ କରିଛନ୍ତି। ହାମିଲଟନ୍‌ଙ୍କଠୁ ୨୦.୯ ସେକେଣ୍ଡ୍‌ ଆଗରେ ବୋଟାସ୍‌ ରେସ୍‌ ଶେଷ କରି ପ୍ରଥମ ସ୍ଥାନରେ ରହିଥିଲେ। ଏଥି ସହିତ ନିଜର ୧୧୯ତମ ରେସ୍‌ରୁ ଚତୁର୍ଥ ଗ୍ରାଁପ୍ରି ଟ୍ରଫି ପାଇଥିଲେ। ତେବେ ୪ ଥର ବିଶ୍ବ ବିଜେତା ଫେରାରି ଚାଳକ ସେବାସ୍ତିଆନ୍‌ ଭିଟେଲ୍‌ ବୋଟାସ୍‌ଙ୍କଠୁ ୫୭.୧ ସେକେଣ୍ଡ୍‌ ପଛୁଆ ରହି ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଥିଲା ବେଳେ ଫେରାରିର ଚାର୍ଲସ ଲେକ୍‌ଲେର୍କ ପଞ୍ଚମ, କେଭିନ୍‌ ମାଗ୍‌ନୁସେନ୍‌ ଷଷ୍ଠ ସ୍ଥାନ ପାଇଥିଲେ। ଚଳିତ ଋତୁର ଦ୍ବିତୀୟ ତଥା ପରବର୍ତୀ ଗ୍ରାଁପ୍ରି ଆସନ୍ତା ୩୧ ତାରିଖରେ ବାହାରିନ୍‌ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର