ଅଷ୍ଟ୍ରେଲିଆରେ ଇତିହାସ:ଭାରତ ୩୧ ରନ୍‌ରେ ଜିତିଲା, ପୂଜାରା ଶ୍ରେଷ୍ଠ ଖେଳାଳି

ଆଡିଲେଡ୍: ହକି ବିଶ୍ବକପ୍‌ର ହଙ୍ଗାମା ଭିତରେ ଭାରତ ସୋମବାର ନୂଆ କ୍ରିକେଟ୍ କୀର୍ତ୍ତିମାନ କରିଛି। ଭାରତ ଅଷ୍ଟ୍ରେଲିଆର ଅଭେଦ୍ୟ ଆଡିଲେଡ୍ ଦୁର୍ଗକୁ ନିଜ ଦଖଲକୁ ନେଇଛି। ଶେଷ ଦିନର ଝାଳବୁହା ପରିଶ୍ରମ ଏବଂ ଚିତ୍ତାକର୍ଷକ ଲଢ଼େଇରେ ଘରୋଇ ଦଳର ବଳକା ୬ ୱିକେଟ୍ ଅକ୍ତିଆର କରି ୩୧ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ନବ ଇତିହାସ ରଚିଛି। ଆଡିଲେଡ୍ ପଡ଼ିଆର ୧୩୪ ବର୍ଷ ଇତିହାସରେ ଭାରତ ଏଠାରେ ମାତ୍ର ଦ୍ବିତୀୟ ଥର ପାଇଁ ବିଜୟର ସ୍ବାଦ ଚାଖିଛି। ଅଷ୍ଟ୍ରେଲିଆରେ କିନ୍ତୁ ପ୍ରଥମ ଥର ପାଇଁ କୌଣସି ଦ୍ବିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତିବାର ଅନନ୍ୟ ସଫଳତା ଲାଭ କରିଛି। ପ୍ରଥମ ଥର ପାଇଁ ମଧ୍ୟ ବିଜୟରୁ ଶୃଙ୍ଖଳା ଆରମ୍ଭ କଲା। ଅଷ୍ଟ୍ରେଲିଆ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ୨୯୧ ରନରେ ଅଲଆଉଟ୍ ହୋଇ ଯାଇଥିଲା। ପ୍ରଥମ ପାଳିରେ ଭାରତ ୨୫୦ ରନ୍ କରିବା ପରେ ଅଷ୍ଟ୍ରେଲିଆ ୨୩୫ ରନ୍ କରି ୧୫ ରନ୍‌ରେ ପଛୁଆ ରହିଥିଲା।
୩୨୩ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ରବିବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧୦୪ ରନ୍‌ରେ ୪ ୱିକେଟ୍ ହରାଇଥିଲା। ସେବେଠାରୁ ହିଁ ଭାରତ ବିଜୟ ବାସ୍ନା ବାରି ନେଇଥିଲା। ହେଲେ ଅଷ୍ଟ୍ରେଲିଆ ନିମ୍ନକ୍ରମ ଖେଳାଳିମାନେ କଡ଼ା ଟକ୍କର ଦେଇଥିଲେ। ଭାରତ ବିଜୟକୁ ଅତି କଷ୍ଟକର କରି ଦେଇଥିଲେ। ଏପରିକି ଏକଦା ଭାରତ ହାତରୁ ମ୍ୟାଚ୍ ଖସି ଯିବାର ଆଶଙ୍କା ସଂଚାର ହୋଇଥିଲା। ଯଶ୍‌ପ୍ରୀତ ବୁମରାଙ୍କ ୩ ୱିକେଟ୍ ସଫଳତା ସହ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ରବିଚନ୍ଦ୍ରନ୍‌ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍ ବାଣ୍ଟିନେବା ପରେ କୋହଲି ବାହିନୀ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିଥିଲା। ଭାରତ ଆଡିଲେଡରେ ପ୍ରଥମ ଓ ଶେଷ ଥର ପାଇଁ ୨୦୦୩ରେ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏଣୁ ୧୫ ବର୍ଷ ଧରି ଭାରତ ଯେଉଁ ବିଜୟ ଅପେକ୍ଷାରେ ଥିଲା ତାହା ସୋମବାର ମିଳି ଯାଇଥିଲା। ସେହିଭଳି ୨୦୦୮ ପରେ ଭାରତ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ବିଜୟ ପାଇଥିଲା। ୨୦୦୮ରେ ଅନୀଲ କୁମ୍ବଲେଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆର ପର୍ଥରେ ଶେଷ ଥର ପାଇଁ ଟେଷ୍ଟ୍‌ ମ୍ୟାଚ୍ ଜିତିଥିଲା।
୭୦.୫ ଓଭରର ରୋମାଞ୍ଚ
ଆଜି ଅଷ୍ଟ୍ରେଲିଆ ‌ଖେଳାଳିଙ୍କ ମୁଣ୍ଡରେ ପାହାଡ଼ ଭଳି ବୋଝ ଥିଲା। ସେମାନେ ଅବଶ୍ୟ ସାହସର ସହ ଗୋଟିଏ ପରେ ଗ‌ୋଟିଏ ଭାଗୀଦାରି କରି ଚାଲିଥିଲେ। ସେପଟେ ଭାରତର ବିଜୟ ଭୋକ ବଢ଼ିବଢ଼ି ଚାଲିଥିଲା। ଅଷ୍ଟ୍ରେଲିଆ ଲାଞ୍ଜ ଆଶାଠାରୁ ଅଧିକ ସମୟ ଲଢ଼ିବା ପରେ ଅଧିନାୟକ ବିରାଟ କୋହଲି ଏକପ୍ରକାର ବ୍ୟତିବ୍ୟସ୍ତ ହୋଇ ଯାଇଥିଲେ। ଯୋଡ଼ି ଭାଙ୍ଗିବାର ଦାୟିତ୍ବ ସେ ସପ୍ତମ ଟେଷ୍ଟ୍‌ ଖେଳୁଥିବା ବୁମରାଙ୍କୁ ଦେଇଥିଲେ। ବୁମରା ମଧ୍ୟ ପ୍ରତିଥର ତାଙ୍କ ଭରସା ରଖିଥିଲେ। ଅଷ୍ଟ୍ରେଲିଆ ପାଳିକୁ ଆଗେଇନେଇ ଚାଲିଥିବା ସନ୍ ମାର୍ସ (୬୦), କଙ୍ଗାରୁ ଅଧିନାୟକ ଟିମ୍ ପାଇନ୍ (୪୧) ଓ ପ୍ୟାଟ୍ କମିନ୍ସ (୨୮)ଙ୍କ ୱିକେଟ୍ ନେଇ ବୁମରା ଭାରତ ବିଜୟକୁ ପକ୍କା କରିଥିଲେ। ତେବେ ଜୋସ୍ ହାଜେଲଉଡ୍ (୧୩)ଙ୍କୁ ଲୋକେଶ ରାହୁଲଙ୍କ ହାତରେ କ୍ୟାଚ୍ କରାଇ ଅଶ୍ବିନ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଈଶାନ୍ତ ଟ୍ରାଭିସ୍ ହେଡ୍ (୧୪) ଓ ମିଚେଲ ଷ୍ଟାର୍କ (୨୮)ଙ୍କୁ ସାମି ଶିକାର କରିଥିଲେ। ପ୍ରଥମ ପାଳିରେ ୨୪ ରନ୍ କରି ଅପରାଜିତ ରହିଥିବା ନାଥନ ଲିୟନ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରି ଦ୍ବିତୀୟ ପାଳିରେ ମଧ୍ୟ ଶେଷ ପର୍ଯ୍ୟନ୍ତ ୩୮ ରନ୍‌ରେ ଅପରାଜିତ ରହିଥିଲେ। ପ୍ରଥମ ପାଳିରେ ୧୨୩ ଏବଂ ଦ୍ବିତୀୟରେ ୭୧ ରନ୍ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ନେଇଥିବା ମିଷ୍ଟର ନୂଆ ଡିପେଣ୍ଡେବୁଲ ଚେତେଶ୍ବର ପୂଜାରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଭାରତ ତାଙ୍କ ପାଇଁ ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଥିଲା। ସୋମବାରର ସମସ୍ତ ୭୦.୫ ଓଭର ଖେଳ ଉତ୍କଣ୍ଠା ଏବଂ ରୋମାଞ୍ଚରେ ଭରି ରହିଥିଲା। ରବିବାର ୪୯ ଓଭର ଖେଳିଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ମୋଟ ୧୧୯.୫ ଓଭର ଲଢ଼ିଥିଲା।
ଲଢ଼ିଲା ଅଷ୍ଟ୍ରେଲିଆ ଲାଞ୍ଜ
ପଞ୍ଚମ ଦିନର ପିଚ୍‌ରେ ବିଜୟ ପାଇଁ ଆହୁରି ୨୧୯ ରନ୍ ଦରକାର ଥିବାରୁ ଭାରତ ସୋମବାର ପ୍ରଥମ ଅଧିବେସନରେ ହିଁ ବିଜୟୀ ହେବ ବୋଲି ଆଶା କରାଯାଉଥିଲା। ହେଲେ ଅଷ୍ଟ୍ରେଲିଆର ଶେଷ ୫ ବ୍ୟାଟ୍ସମ୍ୟାନ୍ ଏହା ସହଜରେ କରାଇ ଦେଇ ନଥିଲେ। ସେମାନେ ୭୦.୪ ଓଭର ପର୍ଯ୍ୟନ୍ତ ଭାରତ ବିଜୟକୁ ରୋକି ରଖିଥିଲେ। ଏପରିକି କେତେକ ମହତ୍ବପୂର୍ଣ୍ଣ ଭାଗୀଦାରି କରି ଭାରତୀୟ ଶିବିରର ନିଦ ହଜାଇ ଦେଇଥିଲେ। ଟ୍ରାଭିସ ହେଡ୍‌ଙ୍କ ରୂପରେ ଦିନର ପ୍ରଥମ ୱିକେଟ୍ ଅବଶ୍ୟ ଅଷ୍ଟମ ଓଭରରେ ମିଳି ଯାଇଥିଲା। ଏହା ପରେ କିନ୍ତୁ ପ୍ରତ୍ୟେକ ୱିକେଟ୍ ପାଇଁ ଭାରତୀୟ ବୋଲରଙ୍କୁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ସନ୍ ମାର୍ସ ଓ ଟିମ୍ ପାଇନ୍ ଷଷ୍ଠ ୱିକେଟ୍‌ରେ ୫୧ ରନ୍ ଯୋଡ଼ିଥିଲେ। ମାର୍ସଙ୍କ ଉପରେ ଅଷ୍ଟ୍ରେଲିଆର ଭାଗ୍ୟ ନିର୍ଭର କରୁଥିଲା। ଧୈର୍ଯ୍ୟର ସହ ଖେଳୁଥିବା ମାର୍ସ ୭୩ତମ ଓଭରର ପ୍ରଥମ ବଲ୍‌ରେ ବୁମରା ଆଉଟ୍ ସୁଇଂ ବଲକୁ ଖେଳି ନପାରି ପନ୍ତଙ୍କୁ କ୍ୟାଚ୍ ଦେଇଥିଲେ। ଭାରତକୁ ଦିନର ସବୁଠୁ ବଡ଼ ମାଛ ମିଳି ଯାଇଥିଲା। ପାଇନ୍ ଅର୍ଧଶତକ ଆଡ଼େ ଅଗ୍ରସର ହେଉଥିଲା ବେଳେ ବୁମ୍‌ରା ତାଙ୍କୁ ମଧ୍ୟ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତଥାପି ପ୍ୟାଟ୍ କମିନ୍ସ, ନାଥନ ଲିୟନ ଓ ମିଚେଲ ଷ୍ଟାର୍କ ଯୁଦ୍ଧ ଜାରି ରଖିଥିଲେ। ପ୍ରତ୍ୟେକ ନିଜ ନିଜ ଖେଳ ଜୀବନର ଶ୍ରେଷ୍ଠ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ପାଣି ପିଆଇ ଦେଇଥିଲେ। କମିନ୍ସ ଓ ଷ୍ଟାର୍କଙ୍କୁ ବୁମ୍‌ରା ଓ ସାମି ଚକମା ଦେଇଥିଲେ। ଲିୟନ କିନ୍ତୁ ବିନା ଭୟରେ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ। ନବମ ୱିକେଟ୍ ଭାବେ କମିନ୍ସ ଆଉଟ୍ ହେଲା ବେଳକୁ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆଉ ୬୪ ରନ୍‌ ଦରକାର ଥିଲା। ଲିୟନ ଓ ହାଜେଲଉଡ୍ ୩୨ ରନ୍ କରି ନେଇଥିଲେ। ୧୨୦ତମ ଓଭରର ପଞ୍ଚମ ବଲ୍‌ରେ ହାଜେଲଉଡ୍ ବିରାଟ ଭୁଲ କରିଥିଲେ। ଅଶ୍ବିନଙ୍କ ଫ୍ଲାଇଟେଡ୍ ବଲ୍‌କୁ ଖେଳିବାକୁ ଯାଇ ଦ୍ବିତୀୟ ସ୍ଲିପ୍‌ରେ ଧରା ପଡ଼ିଥିଲେ। ତତ୍‌କ୍ଷଣାତ୍ ଭାରତୀୟ ଶିବିରରେ ଖୁସିର ଲହରି ଖେଳି ଯାଇଥିଲା। ପ୍ରତିକୂଳ ପରିବେଶରେ କିନ୍ତୁ ଅଷ୍ଟ୍ରେଲିଆର ଶେଷ ୫ ବ୍ୟାଟ୍ସମ୍ୟାନ୍ ୧୭୬ ରନ୍ ଯୋଡ଼ି ନେଇଥିଲେ।

ସମ୍ବନ୍ଧିତ ଖବର