ଅଷ୍ଟ୍ରେଲିଆର ସର୍ବୋଚ୍ଚ ପଶ୍ଚାତଧାବନ

ମୋହାଲି: ରବିବାର ଭାରତର ୩୫୮ ରନ୍‌କୁ ୧୩ ବଲ୍ ପୂର୍ବରୁ ପଛରେ ପକାଇ ଅଷ୍ଟ୍ରେଲିଆ ନିଜ ଦିନିକିଆ କ୍ରିକେଟ୍‌ ଇତିହାସରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ ଅର୍ଜ୍ଜନ କରିଥିଲା। ପୂର୍ବରୁ ଦୁଇ ଦୁଇ ଥର ବଡ଼ ସ୍କୋର୍ (୪୩୫ ଓ ୩୭୨) କରି ମଧ୍ୟ ପରାଜୟ ପାର୍ଶ୍ବରେ ରହିଥିବା ୫ ଥର ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ଶେଷରେ ବିଜୟ ହାସଲ କରିଛି। ଦିନିକିଆ କ୍ରିକେଟ୍ ଇତିହାସରେ ଏହା ପଞ୍ଚମ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ। ଶେଷ ଥର ପାଇଁ ଅଷ୍ଟ୍ରେଲିଆ ପଶ୍ଚାତଧାବନ ବେଳେ ସର୍ବାଧିକ ୩୩୪ ରନ୍‌ (ବନାମ ଇଂଲଣ୍ଡ, ସିଡନି, ୨୦୧୧)କୁ ପଛରେ ପକାଇବାରେ ସଫଳ ହୋଇଥିଲା। ସେହିଭଳି ପୂର୍ବରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ସର୍ବାଧିକ ୩୨୨କୁ ପଛରେ ପକାଇଥିଲା। ମୋହ‌ାଲିରେ ମଧ୍ୟ ୨୦୦୭ ମସିହାରେ ଭାରତର ୩୨୨ ରନ୍‌କୁ ପାକିସ୍ତାନ ଥରେ ପଛରେ ପକାଇଥିଲା। ସମାନ ସ୍କୋର୍‌କୁ ଶ୍ରୀଲଙ୍କା ମଧ୍ୟ ୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ହାସଲ କରିଥିଲା। ଭାରତ ମାଟିରେ ଏହା (୩୫୯) ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ। ୨୦୧୩ ମସିହାରେ ଜୟପୁର ଦିନିକିଆରେ ଅଷ୍ଟ୍ରେଲିଆର ୩୬୦ ରନ୍‌କୁ ପଛରେ ପକାଇ ଭାରତ ବିଜୟୀ ହୋଇଥିଲା।
ଦ୍ବିତୀୟ ଥର ପାଇଁ ଏକ ସଫଳ ପଶ୍ଚାତଧାବନରେ ୩ ଜଣ ବ୍ୟାଟସମ୍ୟାନ୍‌ ୮୦ରୁ ଊର୍ଧ୍ବ ରନ୍ କଲେ। ରବିବାର ପିଟର୍ ହ୍ୟାଣ୍ଡସ୍କମ୍ଭ (୧୧୭), ଉସମାନ ଖାୱାଜା (୯୧), ଆଷ୍ଟନ୍ ଟର୍ନର (୮୪*) ଏହି ୩ ଖେଳାଳି ଥିଲେ। ୨୦୧୩ ଜୟପୁର ଦିନିକିଆରେ ୩୬୦ ରନ୍‌କୁ ପଛରେ ପକାଇବା ବେଳେ ରୋହିତ ଶର୍ମା (୧୪୧*), ବିରାଟ କୋହଲି (୧୦୦*), ଶିଖର ଧାୱନ (୯୫) ଅଷ୍ଟ୍ରେଲିଆ ବିପକ୍ଷରେ ଏଭଳି କରିଥିଲେ।
ଅଷ୍ଟ୍ରେଲିଆ ଶେଷ ୧୦ ଓଭରରେ ୯୮ ରନ୍ ଯୋଡ଼ିଥିଲା। ଭାରତ ବିପକ୍ଷରେ ସଫଳ ପଶ୍ଚାତଧାବନରେ ଏହା ଯେ କୌଣସି ଦେଶର ସର୍ବାଧିକ। ୨୦୧୩ରେ ଜେମ୍ସ ଫକ୍‌ନର୍‌ଙ୍କ ବିସ୍ଫୋରଣ ସହିତ ଅଷ୍ଟ୍ରେଲିଆ ସର୍ବାଧିକ ୯୬ ରନ୍ କରିଥିଲା। ଏହା ମଧ୍ୟ ମୋହାଲିରେ ଥିଲା। ଏହି ଦୁଇ ଉଦାହରଣ ପୂର୍ବରୁ ୨୦୦୭ରେ ପାକିସ୍ତାନ ଶେଷ ୧୦ ଓଭରରେ ୯୧ ରନ୍ କରିଥିଲା। ରବିବାର କିନ୍ତୁ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ୪୪ରୁ ୪୭ ମଧ୍ୟରେ ୪ ଓଭରରୁ ୬୪ ରନ୍ ଯୋଡ଼ି ସବୁ ଓଲଟ ପାଲଟ୍ କରି ଦେଇଥିଲେ।
ରବିବାର ଶେଷ ୧୦ ଓଭର ଭିତରେ ଆଷ୍ଟନ୍ ଟର୍ନର ୨୯ ବଲ୍‌ରୁ ୬୮ ରନ୍ କରିବା ପଶ୍ଚାତଧାବନ ବେଳେ ୪୦ ଓଭର ପରେ ଦ୍ବିତୀୟ ସର୍ବାଧିକ। ଅବୁଦୁଲ ରଜାକ ୨୦୨୦ରେ ଆବୁଧାବିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୫ ବଲ୍‌ରୁ ୭୬ ରନ୍ କରିଥିଲେ। ୨୦୧୩ରେ ମୋହାଲିରେ ଭାରତ ବିପକ୍ଷରେ ଫକନର୍ ୨୯ ବଲ୍‌ରୁ ୬୭ ରନ୍ କରିଥିଲେ।
ରବିବାର ୪୩ ବଲ୍‌ରୁ ଆଷ୍ଟନ୍ ଟର୍ନର ୪୩ ବଲ୍‌ରୁ ୮୪* ରନ୍ କରିଥିଲେ। ତାଙ୍କ ହାରାହାରି ହେଉଛି ୧୯୫.୩୪। ଅନ୍ୟୁନ ୪୦ ବଲ୍‌ ଖେଳିଥିବା ଜଣେ ଅଣ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ଏହା ସର୍ବୋଚ୍ଚ। ଅଷ୍ଟ୍ରେଲିଆ ପାଇଁ ପୂର୍ବରୁ ୨୦୦୩ ମସିହାରେ ବାଂଲାଦେଶ ବିପକ୍ଷରେ ଡାମିଏନ୍ ମାର୍ଟିନ ୫୧ ବଲ୍‌ରୁ ୯୨ ରନ୍ କରିଥିଲେ।

ଦିନିକିଆରେ ସର୍ବୋଚ୍ଚ ପଶ୍ଚାତଧାବନ ବିଜୟ
ଲକ୍ଷ୍ୟ ସଫଳ ଦଳ ପ୍ରତିପକ୍ଷ ସ୍କୋର୍‌ ଓଭର ସ୍ଥାନ ବର୍ଷ
୪୩୫ ଦ.ଆଫ୍ରିକା ଅଷ୍ଟ୍ରେଲିଆ ୪୩୮/୯ ୪୯.୫ ଜୋହାନ୍ସବର୍ଗ ୨୦୦୬
୩୭୨ ଦ.ଆଫ୍ରିକା ଅଷ୍ଟ୍ରେଲିଆ ୩୭୨/୬ ୪୯.୨ ଡର୍ବାନ୍‌ ୨୦୧୬
୩୬୧ ଇଂଲଣ୍ଡ୍‌ ୱେଷ୍ଟଇଣ୍ଡିଜ୍‌ ୩୬୪/୪ ୪୮.୪ ବ୍ରିଜଟାଉନ୍‌ ୨୦୧୯
୩୬୦ ଭାରତ ଅଷ୍ଟ୍ରେଲିଆ ୩୬୨/୧ ୪୩.୩ ଜୟପୁର ୨୦୧୩
୩୫୯ ଅଷ୍ଟ୍ରେଲିଆ ଭାରତ ୩୫୯/୬ ୪୭.୫ ମୋହାଲି ୨୦୧୯

ସଫଳ ପଶ୍ଚାତଧାବନରେ ଶେଷ ୧୦ ଓଭରରୁ ସର୍ବାଧିକ ବ୍ୟକ୍ତିଗତ ରନ୍‌
ଖେଳାଳି ରନ୍‌ ଷ୍ଟ୍ରାଇକରେଟ୍‌ ଆବଶ୍ୟକ ରନ୍‌ ପ୍ରତିପକ୍ଷ ପଡିଆ ବର୍ଷ
ଅବଦୁଲ ରଜାକ ୭୬(୩୫) ୨୧୭.୧୪ ୮୭ ଦକ୍ଷିଣ ଆଫ୍ରିକା ଆବୁଧାବି ୨୦୧୦
ଆଷ୍ଟନ୍ ଟର୍ନର ୬୮(୨୯) ୨୩୪.୪୮ ୯୮ ଭାରତ ମୋହାଲି ୨୦୧୯
ଜେମ୍ସ ଫକନର୍‌ ୬୭(୨୯) ୨୩୧.୦୩ ୯୬ ଭାରତ ମୋହାଲି ୨୦୧୩
ଗୁଲବଦିନ୍‌ ନାଏବ ୬୬(୩୪) ୧୯୪.୧୧ ୮୮ ଜିମ୍ବାୱେ ସାରଜା ୨୦୧୬
କେଭିନ୍ ପିଟରସନ୍‌ ୬୪(୨୫) ୨୫୬.୦୦ ୭୬ ଅଷ୍ଟ୍ରେଲିଆ ବ୍ରିଷ୍ଟଲ୍‌ ୨୦୦୫

ସମ୍ବନ୍ଧିତ ଖବର