ଅଷ୍ଟ୍ରେଲିଆର ପୁନଃ ଆସେସ୍‌ ଅର୍ଜନ

ଓ୍ଵାକାରେ ଇଂଲଣ୍ଡର ପାଳି ପରାଜୟ

ପର୍ଥ: ଓ୍ଵାକାରେ ପାଳି ଓ ୪୧ ରନ୍‌ ବିଜୟ ସହିତ ଅଷ୍ଟ୍ରେଲିଆ ୨ ଟେଷ୍ଟ୍‍ ପୂର୍ବରୁ ଆସେସ୍‌ ଦଖଲ କରି ନେଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ଘରୋଇ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଦଳ ୩-୦ରେ ଅପରାଜେୟ ଅଗ୍ରଣୀ ନେଇ ଏହି ଗୌରବକୁ ପୁଣି ଅର୍ଜନ କରିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ବିବେଚିତ ହୋଉଥିବା ଷ୍ଟିଭେନ୍‌ ସ୍ମିଥ୍‌ ଏହି ଟେଷ୍ଟ୍‍ରେ ଦ୍ୱିଶତକ ମାରିବା ସହିତ ଆସେସ୍‌ ବିଜେତା ଅଧିନାୟକ ହେବାର ଅତିରିକ୍ତ କୃତିତ୍ୱ ମଧ୍ୟ ନିଜ ନାମରେ ଯୋଡ଼ି ଦେଲେ।

ଓ୍ଵାକାରେ ସୋମବାର ଶେଷ ଦିନରେ ଇଂଲଣ୍ଡ ଦ୍ୱିତୀୟ ପାଳିକୁ ୧୩୪/୪ରୁ ଖେଳିବା ବେଳେ କେବଳ ପାଳି ପରାଜୟ ଏଡ଼ାଇବାକୁ ଆହୁରି ୧୨୭ ରନ୍‌ ପଛରେ ଥିଲା। ଏହି ଅନ୍ୟୁନ ସମ୍ମାନରକ୍ଷାକାରୀ ଲକ୍ଷ୍ୟରେ ବି ପହଞ୍ଚିପାରିନଥିଲା ଜୋ ରୁଟ୍‌ଙ୍କ ଦଳ। କିନ୍ତୁ ଚା’ପାନ ବିରତି ପୂର୍ବରୁ ଇଂଲଣ୍ଡ ୨୧୮ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ଆତ୍ମସମର୍ପଣ କରିଥିଲା। କିନ୍ତୁ ପ୍ରଥମ ପାଳିରେ ଇଂଲଣ୍ଡ ଏକଦା ୩୬୮/୪ ସ୍ଥିତିରେ ଥାଇ ୪୦୩ ରନ୍‌ରେ ଅଲଆଉଟ୍‌ ହେବାରୁ ହିଁ ଅପ୍ରତ୍ୟାଶିତ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଛି। ସୋମବାର ସକାଳେ ନିଜେ ସମ୍ମୁଖୀନ ହୋଇଥିବା ପ୍ରଥମ ବଲରେ ଜନି ବେୟାରଷ୍ଟୋ ଆଉଟ୍‌ ହୋଇଯିବାରୁ ଇଂଲଣ୍ଡ ଖେଳାଳି ଧାଡ଼ି ବାନ୍ଧିଥିଲେ। ପ୍ରଥମ ପାଳି ଶତକ (୧୪୦) ପରେ ଲଢ଼ୁଆ ଅର୍ଧଶତକ ହାସଲ କରି ଦାଓ୍ଵିଦ ମଲନ୍‌ (୫୪) ବ୍ୟକ୍ତିଗତ ସଫଳତା ପାଇଥିଲେ। ଜୋସ ହାଜେଲଉଡ୍‌ ୫ ଓ୍ଵିକେଟ୍‌ ସଫଳତା ସହିତ ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ଦ୍ୱିତୀୟ ପାଳି ୭୨.୫ ଓଭରରେ ଶେଷ ହୋଇଯାଇଥିଲା। ଷ୍ଟିଭେନ୍‌ ସ୍ମିଥ୍‌ କିନ୍ତୁ ତାଙ୍କ ଦ୍ୱିଶତକ ପାଳି ଏବଂ ନେତୃତ୍ୱ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୪୦୩ (ମଲନ-୧୪୦, ବେୟାରଷ୍ଟୋ-୧୧୯, ଷ୍ଟାର୍କ-୪/୯୧, ହାଜେଲଉଡ୍‌-୩/୯୨, କମିନ୍ସ-୨/୮୪)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୬୬୨/୯, ଘୋଷିତ (ଷ୍ଟିଭେନ୍‌ ସ୍ମିଥ୍‌-୨୩୯, ମିଚେଲ୍‌ ମାର୍ସ-୧୮୧, ଆଣ୍ଡର୍‌ସନ୍‌-୪/୧୧୬, ଓଭର୍ଟନ୍‌-୨/୧୧୦)। ଇଂଲଣ୍ଡ ଦ୍ୱିତୀୟ ପାଳି: ୭୨.୫ ଓଭରରେ ୨୧୮ (ଜେମ୍‌ସ ଭିନ୍‌ସ-୫୫, ମଲନ୍‌-୫୪, କ୍ରିସ୍‌ ଓ୍ଵକ୍‌ସ-୨୨, ହାଜେଲ୍‌ଉଡ୍‌-୫/୪୮, କମିନ୍‌ସ-୨/୫୩, ନାଥନ୍‌ ଲିଅନ୍‌-୧/୨୮, ମିଚେଲ୍‌ ଷ୍ଟାର୍କ-୧/୪୪)।

ସମ୍ବନ୍ଧିତ ଖବର