ମେଲ୍ବର୍ନ: ଶୀର୍ଷ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲଙ୍କ ସହ ଡାନିଲ ମେଦଭେଦେବ (ଚତୁର୍ଥ) ଓ ଡୋମିନିକ୍ ଥିମ୍ (ପଞ୍ଚମ) ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ୧୯ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ସ୍ପେନ୍ ତାରକା ନାଦାଲ ୬-୩, ୭-୬, ୬-୧ ସେଟ୍ରେ ଆର୍ଜେଣ୍ଟିନାର ଫେଡେରିକୋ ଡେଲ୍ବୋନିସଙ୍କୁ, ରୁଷିଆର ମେଦଭେଦେବ ୭-୫, ୬-୧, ୬-୩ ସେଟ୍ରେ ସ୍ପେନ୍ର ପେଡ୍ରୋ ମାର୍ଟିନ୍ଜ ପୋର୍ତେରୋଙ୍କୁ, ଅଷ୍ଟ୍ରିଆର ଥିମ୍ ୬-୨, ୫-୭, ୬-୭, ୬-୧, ୬-୨ ସେଟ୍ରେ ଅଷ୍ଟ୍ରେଲିଆର ଆଲେକ୍ସ ବୋଲ୍ଟଙ୍କୁ ପରାସ୍ତ କରିଥିଲେ। ଅନ୍ୟପୁରୁଷ ଏକକ ବର୍ଗରେ ଜର୍ମାନିର ଆଲେକ୍ଜାଣ୍ଡର ଭେରଭ (ସପ୍ତମ) ୭-୬, ୬-୪, ୭-୫ ସେଟ୍ରେ ବେଲାରୁଷର ଇଗର ଗେରାସିମୋଭଙ୍କୁ, ଫ୍ରାନ୍ସର ଗେଲ ମନ୍ଫିଲ୍ସ (ଦଶମ) ୪-୬, ୭-୬, ୬-୪, ୭-୫ ସେଟ୍ରେ କ୍ରୋଏସିଆର ଇଭୋ କାର୍ଲଭିକଙ୍କୁ, ବେଲ୍ଜିୟମର ଡେଭିଡ ଗଫିନ (ଏକାଦଶ) ୬-୧, ୬-୪, ୪-୬, ୧-୬, ୬-୩ ସେଟ୍ରେ ଫ୍ରାନ୍ସର ପିରେ-ହ୍ୟୁଗସ ହର୍ବଟଙ୍କୁ ହରାଇ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିଲେ। ପଞ୍ଚଦଶ ମାନ୍ୟତାପ୍ରାପ୍ତ ଷ୍ଟାନ୍ ୱାରିଙ୍କା, ଷୋଡ଼ଶ ମାନ୍ୟତାପ୍ରାପ୍ତ କରେନ ଖାଚାନୋଭ ଓ ଊନବିଂଶ ମାନ୍ୟତାପ୍ରାପ୍ତ ଜନ୍ ଇଜ୍ନର୍ ମଧ୍ୟ ନିଜ ନିଜ ମ୍ୟାଚ୍ ଜିତି ଏହି ପର୍ଯ୍ୟାୟରେ ପହଞ୍ଚିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସ୍କୋଭା, ଚତୁର୍ଥ ମାନ୍ୟତାପ୍ରାପ୍ତ ସିମୋନା ହାଲେପ, ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା ନିଜ ନିଜର ସହଜ ବିଜୟ ସହ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଦ୍ବିତୀୟ ରାଉଣ୍ଡ୍ରେ ଚେକ୍ଗଣରାଜ୍ୟର ପ୍ଳିସ୍କୋଭା ୬-୩, ୬-୩ ସେଟ୍ରେ ଜର୍ମାନିର ଲୌରା ସିଗମୁଣ୍ଡଙ୍କୁ, ରୋମାନିଆର ହାଲେପ୍ ୬-୨, ୬-୪ ସେଟ୍ରେ ୟୁକେର ହାରିଏଟ ଡାର୍ଟଙ୍କୁ ଏବଂ ୟୁକ୍ରେନର ଏଲିନା ସ୍ବିତୋଲିନା ୬-୨, ୭-୫ ସେଟ୍ରେ ଆମେରିକାର ଲୌରେନ୍ ଡେଭିସ୍ଙ୍କୁ ପରାଜିତ କରିଥିଲେ। ସେହିଭଳି ସ୍ବିଜରଲାଣ୍ଡର ବେଲିନ୍ଦା ବେନ୍ସିକ୍ (ଷଷ୍ଠ) ୭-୫, ୭-୫ ସେଟ୍ରେ ଲାଟଭିଆର ଜେନିଭା ଓସ୍ତାପେଙ୍କୋଙ୍କୁ, ଜର୍ମାନିର ଆଞ୍ଜେଲିକ୍ କର୍ବର (ସପ୍ତଦଶ) ୬-୩, ୬-୨ ସେଟ୍ରେ ଅଷ୍ଟ୍ରେଲିଆର ପ୍ରିସିଲା ହନ୍ଙ୍କୁ ଏବଂ ନେଦରଲାଣ୍ଡ୍ସର କିକି ବର୍ତେନ୍ସ (ନବମ) ୬-୩, ୭-୫ ସେଟ୍ରେ ଅଷ୍ଟ୍ରେଲିଆର ଆରିନା ରୋଡିଓନୋଭାଙ୍କୁ ପରାସ୍ତ କରିଥିଲେ।