ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଦାଲ, ଥିମ୍‌ ଆଗେଇଲେ

ସାରାପୋଭା, କୋଣ୍ଟା ବିଦା, ଗୁଣେଶ୍ବରନ୍‌ଙ୍କ ଅଭିଯାନ ଶେଷ

ମେଲ୍‌ବର୍ନ: ବିଶ୍ବର ଶୀର୍ଷ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ଏବଂ ପଞ୍ଚମ ମାନ୍ୟତାପ୍ରାପ୍ତ ଡୋମିନିକ୍‌ ଥିମ୍‌ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ପେନ୍‌ ତାରକା ନାଦାଲ ମଙ୍ଗଳବାର ପ୍ରଥମ ରାଉଣ୍ଡ୍‌ରେ ଅଣମାନ୍ୟତାପ୍ରାପ୍ତ ବୋଲିଭିଆର ହୁଗୋ ଡେଲିଏନ୍‌ଙ୍କୁ ସିଧାସଳଖ ୬-୨, ୬-୩ ଓ ୬-୦ ସେଟ୍‌ରେ ପରାସ୍ତ କରି ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ୍‌ରେ ପହଞ୍ଚି ଯାଇଛନ୍ତି। ଏଥି ସହିତ ନାଦାଲ ଏଠାରେ ଦ୍ବିତୀୟ ଏବଂ ମୋଟ ୨୦ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ପ୍ରଥମ ପାଦ ଆଗକୁ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଥିମ୍‌ ଏହି ରାଉଣ୍ଡ୍‌ରେ ଫ୍ରାନ୍‌ସ ପ୍ରତିଦ୍ବନ୍ଦ୍ବୀ ଆଡ୍ରିଆନ୍‌ ମାନାରିନୋଙ୍କୁ ମଧ୍ୟ ସିଧାସଳଖ ୬-୩, ୭-୫ ଓ ୬-୨ ସେଟ୍‌ରେ ପରାସ୍ତ କରି ଆଗକୁ ବଢ଼ିଛନ୍ତି।

ତେବେ ମହିଳା ଏକକରେ ରୁଷିଆ ସୁନ୍ଦରୀ ମାରିଆ ସାରାପୋଭା ଏବଂ ବ୍ରିଟେନ୍‌ର ଶୀର୍ଷ ମାନ୍ୟତାପ୍ରାପ୍ତ ଜୋହାନା କୋଣ୍ଟା ପ୍ରଥମ ବାଧା ଅତିକ୍ରମ କରିପାରିନାହାନ୍ତି। ପୂର୍ବତନ ବିଜୟିନୀ ସାରାପୋଭା ସିଧାସଳଖ ୩-୬ ଓ ୪-୬ ସେଟ୍‌ରେ କ୍ରୋଏସିଆର ଡୋନା ଭେକିକ୍‌ଙ୍କଠୁ ହାରି ପ୍ରାରମ୍ଭିକ ବିଦାୟ ନେଇଛନ୍ତି। ତାଙ୍କ ଭଳି କୋଣ୍ଟା ମଧ୍ୟ ସିଧାସଳଖ ୪-୬ ଓ ୨-୬ ସେଟ୍‌ରେ ତୁନିସିଆର ଓନ୍‌ସ ଜାବିଉର୍‌ଙ୍କଠୁ ହାରି ବିଦାୟ ରାସ୍ତା ଦେଖିଛନ୍ତି। କିନ୍ତୁ ମହିଳା ଏକକରେ ରୋମାନିଆର ଚତୁର୍ଥ ମାନ୍ୟତାପ୍ରାପ୍ତ ସିମୋନା ହାଲେପ ସିଧାସଳଖ ୭-୬ ଓ ୬-୧ ସେଟ୍‌ରେ ଆମେରିକାର ଜେନିଫର ବ୍ରାଡିଙ୍କୁ ଏବଂ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭା ୬-୧, ୭-୫ ସିଧାସଳଖ ସେଟ୍‌ରେ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ବେଲିନ୍ଦା ବେନ୍‌ସିକ୍‌ ମଧ୍ୟ ସିଧାସଳଖ ୬-୩ ଓ ୭-୫ ସେଟ୍‌ରେ ସ୍ଲୋଭାକିଆର ଆନ୍ନା ସିମିଦ୍‌ଲୋଭାଙ୍କୁ ପରାସ୍ତ କରି ପ୍ରଥମ ରାଉଣ୍ଡ୍‌ ଅତିକ୍ରମ କରିଛନ୍ତି।

ଭାଗ୍ୟର ସାହାରା ନେଇ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିବା ଭାରତୀୟ ତାରକା ପ୍ରଜ୍ଞେଶ ଗୁଣେଶ୍ବରନ୍‌ଙ୍କ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ଦେଶର ଏହି ପ୍ରମୁଖ ଟେନିସ୍‌ ଖେଳାଳି ମଙ୍ଗଳବାର ପୁରୁଷ ଏକକ ପ୍ରଥମ ରାଉଣ୍ଡ୍‌ରେ ଜାପାନି ୱାଇଲ୍‌ଡ କାର୍ଡଧାରୀ ତାତ୍‌ସୁମା ଇଟୋଙ୍କଠାରୁ ହାରିଯାଇଛନ୍ତି। ବିଶ୍ବ ମାନ୍ୟତାର ୧୨୨ ଗୁଣେଶ୍ବରନ୍‌ ନିଜଠୁ ନିମ୍ନ ମାନ୍ୟତାପ୍ରାପ୍ତ ଇଟୋ (୧୪୪)ଙ୍କ ବିପକ୍ଷରେ ପ୍ରାୟ ୨ ଘଣ୍ଟା ଲଢ଼ିବା ପରେ ସିଧାସଳଖ ୪-୬, ୨-୬ ଓ ୫-୭ ସେଟ୍‌ରେ ପରାଜୟ ବରଣ କଲେ। ଏହି ପରାଜୟ ସହ ଏକକ ବର୍ଗରୁ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ସେହିପରି ଗୁଣେଶ୍ବରନ୍‌ ମଧ୍ୟ ଦ୍ବିତୀୟ ରାଉଣ୍ଡ୍‌ରେ ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ଙ୍କୁ ଭେଟିବାର ଏକ ସୂବର୍ଣ୍ଣ ସୁଯୋଗ ହାତଛଡ଼ା କଲେ।

ସମ୍ବନ୍ଧିତ ଖବର