ମେଲ୍ବର୍ଣ୍ଣ: ସର୍ବିୟା ତାରକା ନୋଭାକ୍ ଜୋକୋଭିକ୍ ଓ ସ୍ବିଜରଲାଣ୍ଡ ତାରକା ରୋଜର ଫେଡେରର୍ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲ୍ ଲଢ଼େଇରେ ଅବତୀର୍ଣ୍ଣ ହେବେ। ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ତଥା ୧୬ ଗ୍ରାଣ୍ଡ୍ସ୍ଲାମ୍ ବିଜେତା ଜୋକୋଭିକ୍ ୬-୪, ୬-୩ ଓ ୭-୬ ସିଧାସଳଖ ସେଟ୍ରେ ୩୨ତମ ମାନ୍ୟତାପ୍ରାପ୍ତ କାନାଡା ତାରକା ମିଲୋସ୍ ରାଓନିକ୍ଙ୍କୁ ପରାସ୍ତ କରିଥିଲା ବେଳେ ତୃତୀୟ ମାନ୍ୟତାପ୍ରାପ୍ତ ତଥା ୨୦ ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ଫେଡେରର୍ଙ୍କୁ ଏହି ପର୍ଯ୍ୟାୟ ଅତିକ୍ରମ କରିବା ପାଇଁ ଖୁବ୍ କଷ୍ଟ କରିବାକୁ ପଡ଼ିଥିଲା। ୫ ସେଟ୍ ଧରି ସଂଘର୍ଷ କରିଥିବା ଫେଡେରର୍ ଏକ ସମୟରେ ୭ ମ୍ୟାଚ୍ ପଏଣ୍ଟ୍ ବଞ୍ଚାଇବାରୁ ବିଶ୍ବର ୧୦୦ ମାନ୍ୟତାପ୍ରାପ୍ତ ଆମେରିକାର ଟେନିସ୍ ସାଣ୍ଡ୍ଗ୍ରେନ୍ଙ୍କୁ ୬-୩, ୨-୬, ୨-୬, ୭-୬ ଓ ୬-୩ ସେଟ୍ରେ ପରାସ୍ତ କରିଥିଲେ।
ଅନ୍ୟପକ୍ଷରେ ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସ୍ ବାର୍ଟି ଓ ଚତୁର୍ଦଶ ମାନ୍ୟତାପ୍ରାପ୍ତ ସୋଫିଆ କେନିନ୍ ସେମିଫାଇନାଲ୍ ମୁକାବିଲାରେ ଅବତୀର୍ଣ୍ଣ ହେବେ। ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ଫ୍ରେଞ୍ଚ୍ ଓପନ୍ ବିଜୟିନୀ ବାର୍ଟି ସିଧାସଳଖ ୬-୧ ଓ ୬-୪ ସେଟ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ପେଟ୍ରା କ୍ବିଟୋଭାଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏଥି ସହିତ ସେ ମଧ୍ୟ କ୍ବିଟୋଭାଙ୍କଠାରୁ ଏଠାରେ ଗତବର୍ଷ କ୍ବାର୍ଟର ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛନ୍ତି। ଗତବର୍ଷ କ୍ବାର୍ଟର ଫାଇନାଲ୍ରେ କ୍ବିଟୋଭା ୬-୧ ଓ ୬-୪ ସେଟ୍ରେ ବାର୍ଟିଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ୧୯୮୪ ମସିହା ପରେ ପ୍ରଥମ ଅଷ୍ଟ୍ରେଲୀୟ ମହିଳା ଭାବେ ବାର୍ଟି ମେଲ୍ବର୍ନ ପାର୍କରେ ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଶେଷଥର ପାଇଁ ଅଷ୍ଟ୍ରେଲିଆର ୱେଣ୍ଡି ତୁର୍ନବୁଲ୍ ୧୯୮୪ରେ ଏଠାରେ ମହିଳା ଏକକ ସେମିଫାଇନାଲ୍ ଖେଳିଥିଲେ। ଏଥର ବାର୍ଟିଙ୍କ ସେମିଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ ଆମେରିକାର କେନିନ୍ ମଙ୍ଗଳବାର କ୍ବାର୍ଟର ଫାଇନାଲ୍ରେ ତୁନିସିଆର ଅନ୍ସ ଜାବିଉରଙ୍କୁ ସିଧାସଳଖ ୬-୪ ଓ ୬-୪ ସେଟ୍ରେ ପରାସ୍ତ କରି ପ୍ରଥମ ଥର ଲାଗି ଗ୍ରାଣ୍ଡ୍ସ୍ଲାମ୍ ସେମିଫାଇନାଲ୍ରେ ପହଞ୍ଚିଛନ୍ତି।
ପେସ୍ଙ୍କ ଅଭିଯାନ ଶେଷ
ଭାରତୀୟ ଟେନିସ ତାରକା ଲିଆଣ୍ଡର ପେସ୍ଙ୍କ ଅଷ୍ଟ୍ରେଲିଆନ୍ ଓପନ୍ ଅଭିଯାନ ଶେଷ ହୋଇଯାଇଛି। ଲାଟିଭିଆର ଜେଲିନା ଓସ୍ତାପେଙ୍କୋଙ୍କୁ ସାଥୀ କରି ଖେଳୁଥିବା ପେସ୍ ମଙ୍ଗଳବାର ମିଶ୍ରିତ ଯୁଗଳ ଦ୍ବିତୀୟ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ୨୦୧୭ ଫ୍ରେଞ୍ଚ୍ ଓପନ୍ ବିଜେତା ପେସ୍-ଓସ୍ତାପେଙ୍କୋ ଯୋଡ଼ି ଏଠାରେ ପ୍ରାୟ ୧ ଘଣ୍ଟା ୭ ମିନିଟ୍ ସଂଘର୍ଷ କରିବା ପରେ ବ୍ରିଟେନ୍ର ଜାମି ମରେ ଓ ଆମେରିକାର ବେଥାନି ମାଟେକ୍ ସାଣ୍ଡ୍ସଙ୍କ ନିକଟରୁ ସିଧାସଳଖ ୨-୬ ଓ -୭ ସେଟ୍ରେ ପରାସ୍ତ ହୋଇଥିଲେ। ୨୦୨୦ ପେସାଦାର ସର୍କିଟ୍ରେ ତାଙ୍କର ଶେଷ ବର୍ଷ ବୋଲି ପେସ୍ ପୂର୍ବରୁ ଘୋଷଣା କରିସାରିଥିବାରୁ ବର୍ଷର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ସ୍ବପ୍ନ ଚୁରମାର ହୋଇଯାଇଛି। ପେସ୍ଙ୍କ ବିଦାୟ ପରେ ଅଷ୍ଟ୍ରେଲିଆନ୍ ଓପନ୍ରେ ଏବେ କେବଳ ରୋହନ ବୋପାନ୍ନା ଏକମାତ୍ର ଭାରତୀୟ ଭାବେ ତିଷ୍ଠି ରହିଛନ୍ତି। ୟୁକ୍ରେନ୍ର ନାଦିଆ କିଚେନୋକ୍ଙ୍କୁ ସାଥୀ କରିଥିବା ବୋପାନ୍ନା ଆସନ୍ତାକାଲି ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ନିକୋଲା ମେକ୍ଟିକ୍ ଓ ବାର୍ବୋରା କ୍ରେସିକୋଭାଙ୍କୁ ଭେଟିବେ।