ଅଟୋ ଡ୍ରାଇଭରଙ୍କ ଝିଅ ହେଲେ ବକ୍ସିଂ ଚାମ୍ପିୟନ୍‌; ଦେଶ ପାଇଁ ଜିତିଲେ ସ୍ୱର୍ଣ୍ଣ

ଚଣ୍ଡିଗଡ଼: ପୋଲାଣ୍ଡରେ ମହିଳାମାନଙ୍କ ଲାଗି ଅନୁଷ୍ଠିତ ହେଉଥିବା ୧୩ତମ ଅନ୍ତର୍ଜାତୀୟ ସାଇଲେସିଆ ବକ୍ସିଂ ପ୍ରତିଯୋଗିତାର ୫୨ କିଲୋ ବର୍ଗରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ୧୬ ବର୍ଷୀୟା ସନ୍ଦୀପ କୌର୍‌। ପୋଲାଣ୍ଡର କାରୋଡିନା ଅମ୍ପୁଷ୍କାକୁ ୫-୦ରେ ହରାଇ ସେ ଏହି ଗୌରବ ହାସଲ କରିଛନ୍ତି।

ଦେଶ ପାଇଁ ଏହି ଏହି ଗୌରବ ହାସଲ କରିଥିବା ସନ୍ଦୀପ ହେଉଛନ୍ତି ପଟିଆଲାର ହସନ୍‌ପୁର ଗ୍ରାମ ଜନୈକା ଅଟୋ ଡ୍ରାଇଭରଙ୍କ କନ୍ୟା। ସନ୍ଦୀପଙ୍କ ବାପା ସର୍ଦ୍ଦାର ଜଶବୀର ସିଂ ପଟିଆଲାରେ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରନ୍ତି। ଅଭାବ ଅନଟନ ଭିତରେ ବି ସେ ସନ୍ଦୀପଙ୍କ ବକ୍ସିଂ ଅଭ୍ୟାସ ଯେଭଳି ଜାରି ରହେ ସେଥିପ୍ରତି ଧ୍ୟାନ ରଖିଥାଆନ୍ତି ବାପା। ଅନେକ ସମୟରେ ଆର୍ଥିକ ଅଭାବ ହେତୁ ବକ୍ସିଂ ଛାଡ଼ିବା ପରିସ୍ଥିତି ଆସିଛି। ମାତ୍ର ସଂଘର୍ଷର ସାମ୍ନା କରି ସନ୍ଦୀପ ଏହାକୁ ଜାବୁଡି ଧରିବାରେ ସଫଳ ହୋଇଥିଲେ। ଏହା ଦ୍ୱାରା ଆଜି ସେ ବିରଳ ଗୌରବର ଅଧିକାରିଣୀ ହୋଇ ପାରିଛନ୍ତି।

ସନ୍ଦୀପଙ୍କ ଏହି ସଫଳତା ପଛରେ ତାଙ୍କ ଦାଦାଙ୍କର ପ୍ରେରଣା ରହିଛି। ଦାଦା ସିମ୍‌ରନ୍‌ଜିତ୍‌ ସିଂ ବକ୍ସର ଥିଲେ। ସେ ସନ୍ଦୀପଙ୍କୁ ପିଲାବେଳୁ ସାଙ୍ଗରେ ଗାଁ ନିକଟରେ ଥିବା ବକ୍ସିଂ ପ୍ରଶିକ୍ଷଣ କେନ୍ଦ୍ରକୁ ଦେଖି ଯାଉଥିଲେ। ସବୁ ବେଳେ ସନ୍ଦୀପଙ୍କୁ ବକ୍ସିଂରେ ମନୋନିବେଶ କରିବାକୁ ପ୍ରେରଣା ଯୋଗାଇ ଆସୁଥିଲେ। ଏହା ଫଳରେ ସନ୍ଦୀପ ଆଜି ଜଣେ ଅନ୍ତର୍ଜାତୀୟ ବକ୍ସର ହୋଇ ବାହାରିଛନ୍ତି।

ସମ୍ବନ୍ଧିତ ଖବର