ଆଜ୍‌ଲାନ୍‌ ଶାହା କପ୍‌: ଭାରତ ୧-କୋରିଆ ୧

ଇଫୋ (ମାଲେସିଆ): ଏଠାରେ ଚାଲିଥିବା ସୁଲ୍‌ତାନ ଆଜ୍‌ଲାନ୍ ଶାହା କପ୍‌ ହକିର ୨୮ତମ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ଏସୀୟ ବିଜେତା ଜାପାନକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିବା ଭାରତ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ଶେଷ ମିନିଟ୍‌ରେ ହଡ଼ବଡ଼େଇ ଯାଇ ଗୋଲ୍‌ ବରଣ କରିବାରୁ କ୍ରମାଗତ ଦ୍ବିତୀୟ ବିଜୟରୁ ବଞ୍ଚିତ ହେଲା। ଫଳରେ କୋରିଆ ସହ ପଏଣ୍ଟ୍‌ ଭାଗ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ଭାରତ ନିଶ୍ଚିତ ବିଜୟ ହାତଛଡ଼ା କରିଥିଲା। ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଭଙ୍ଗିରେ ଖେଳିଥିଲା। ମଧ୍ୟଭାଗ ଖେଳାଳି ବିବେକ ସାଗର ପ୍ରସାଦ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କୋରିଆ ରକ୍ଷଣଭାଗ ଏହାକୁ ଦୃଢ଼ତାର ସହ ନିଷ୍ଫଳ କରିଦେଇଥିଲେ। ଏହାପରେ କୋରିଆ ପାଲଟା ଆକ୍ରମଣ କରି ଭାରତ ଉପରେ ଚାପ ପକାଇଥିଲା। ହେଲେ କୋରିଆର ଏକ ଗୋଲ୍‌ ପ୍ରୟାସକୁ ରକ୍ଷଣଭାଗ ଖେଳାଳି ସୁରେନ୍ଦ୍ର କୁମାର ଭଣ୍ଡୁର କରିଦେଇଥିଲେ। ଉଭୟ ଦଳ ମଧ୍ୟରେ ତୀବ୍ର ସଂଘର୍ଷ ଜାରି ରହିଥିଲା ‌ବେଳେ ୨୮ ମିନିଟ୍‌ରେ ମନ୍‌ଦୀପ୍‌ ସିଂହଙ୍କ ଗୋଲ୍‌ ବଳରେ ଭାରତ ଆଗୁ୍ଆ ହୋଇଯାଇଥିଲା। ଏହି ସମୟ ମଧ୍ୟରେ ଦୁଇ ଦଳ ଏକାଧିକ ପେନାଲ୍‌ଟି କର୍ନର ପାଇଥିଲେ ମଧ୍ୟ ଗୋଲ୍‌ କରିବାରେ ସମର୍ଥ ହୋଇନଥିଲେ। ଫଳରେ ଦ୍ବିତୀୟ କ୍ବାର୍ଟର ଶେଷରେ ଭାରତ ସପକ୍ଷରେ ମ୍ୟାଚ୍‌ ରହିଥିଲା। ତୃତୀୟ କ୍ବାର୍ଟରରେ କୋରିଆର ଏକ ପେନାଲ୍‌ଟି ସଟ୍‌କୁ ଓଡ଼ିଆ ତାରକା ଅମିତ ରୋହିଦାସ ବାହାରକୁ ପଠାଇଦେଇ ଭାରତକୁ ଗୋଲ୍‌ ବରଣରୁ ରକ୍ଷା କରିଥିଲେ। ଏହାପରେ ମ୍ୟାଚ୍‌ ଶେଷ ହେବାକୁ ୮ ମିନିଟ୍‌ ବାକି ଥିଲା ବେଳେ ପ୍ରବଳ ବର୍ଷା ଯୋଗୁଁ ଖେଳ ସ୍ଥଗିତ ରଖାଯାଇଥିଲା। ବର୍ଷା ଛାଡ଼ିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା। ଏଥିରେ କୋରିଆ ଲାଗ ଲାଗ ପେନାଲ୍‌ଟି କର୍ନର ପାଇଥିଲା। ହେଲେ ଗୋଲ୍‌ କରିପାରିନଥିଲା। କିନ୍ତୁ ଚତୁର୍ଥ କ୍ବାର୍ଟରରେ ହିଁ କୋରିଆ ଗୋଲ୍‌ ଶୁଝି ଦେବାରେ ସମର୍ଥ ହୋଇଥିଲା। ୫୯ ମିନିଟ୍‌ରେ କୋରିଆକୁ ମିଳିଥିଲା ଆଉ ଏକ ପେନାଲ୍‌ଟି କର୍ନର। ଜଙ୍ଗ୍‌ହ୍ୟୁନ୍‌ ଜାଙ୍ଗ୍‌ ତାଙ୍କ ଶକ୍ତିଶାଳୀ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଏହାକୁ ଗୋଲ୍‌ ପୋଷ୍ଟ୍‌କୁ ମାରିଥିଲା ବେଳେ ଅଭିଜ୍ଞ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ଏହାକୁ ଚତୁରତାର ସହ ଅଟକାଇ ଦେଇଥିଲେ। ତେବେ ସେହି ମିନିଟ୍‌ରେ ହିଁ କୋରିଆ ଆଉ ଏକ ପୋନାଲ୍‌ଟି କର୍ନର ପାଇଥିଲା। ଏଥର କିନ୍ତୁ ଗୋଲ୍‌ କରିବାରେ ତ୍ରୁଟି କରିନଥିଲା। ଜଙ୍ଗ୍‌ହ୍ୟୁନ୍‌ ଜାଙ୍ଗ୍‌ ହିଁ ଗୋଲ୍‌ କରି ସ୍ଥିତି ୧-୧ କରିବା ସହିତ କୋରିଆକୁ ପରାଜୟରୁ ରକ୍ଷା କରିଥିଲେ। ଭାରତ ତା’ର ପରବର୍ତୀ ମ୍ୟାଚ୍‌ ୨୬ ତାରିଖରେ ଆୟୋଜକ ମାଲେସିଆ, ୨୭ରେ କାନାଡା ଏବଂ ୨୯ ତାରିଖରେ ପୋଲାଣ୍ଡ୍‌ ସହ ଖେଳି ଲିଗ୍‌ ପର୍ଯ୍ୟାୟ ଶେଷ କରିବ।

ସମ୍ବନ୍ଧିତ ଖବର