ଆଇପିଏଲ୍‌ରେ ଖରାପ ଅମ୍ପାୟରିଂ

ମୁମ୍ବାଇ: ଆଜିକା ଦିନରେ ସମସ୍ତଙ୍କ ହାତ ପାହାନ୍ତାରେ ଟିଭି। ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ କିଛି ସମୟ ମଧ୍ୟରେ ଅମେ ସବୁକିଛି ପାଇଯାଉଛେ। ଷ୍ଟାଡିୟମ ନଗଲେ ଅତୀତରେ ମ୍ୟାଚ୍‌ ଦେଖିବା ସମ୍ଭବ ହେଉନଥିଲା। କିନ୍ତୁ ଏବେ ଆମେ ଟିଭି, ଇଣ୍ଟରନେଟ୍‌ ଓ ସାମାଜିକ ଗଣମାଧ୍ୟମରେ ଏସବୁ ସହଜରେ ପାଇ ପାରୁଛୁ। ପୂର୍ବ ଦିନ ମ୍ୟାଚ୍‌ ନଦେଖି ପାରିଲେ ମଧ୍ୟ ତା’ର ମୁଖ୍ୟାଂଶ ପର ଦିନଯାକ ଯେତେବେଳେ ଚାହୁଛେ ଦେଖିପାରୁଛେ। ଏଭଳି ଆଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ଭରା ଦୁନିଆରେ ଅମ୍ପାୟାରମାନଙ୍କ ଭୁଲ ମଧ୍ୟ ଜଣେ ସାଧାରଣ ଦର୍ଶକ ସହଜରେ ଧରି ପକାଉଛି। ଫଳରେ ଅମ୍ପାୟାରଙ୍କ ଭୁଲ ଆଉ ଲୁଚି ରହୁନି। ବୁଧବାର ଏମିତି ଭୁଲ ଟିଭି ରିପ୍ଲେରୁ ଧରା ପଡ଼ିଥିଲା। କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ-କୋଲ୍‌କାତା ନାଇଟ୍‌ ରାଇଡର୍ସ ମ୍ୟାଚ୍‌ ବେଳେ ଅମ୍ପାୟାର କେଏନ୍‌ ଅନନ୍ତପଦ୍ମନାଭମ ମୁମ୍ବାଇ ପାଳିର ୧୫ତମ ଓଭରର ପଞ୍ଚମ ବଲ୍‌କୁ ନୋ ଡାକିଥିଲେ। ରୋହିତ ଶର୍ମାଙ୍କ ବିପକ୍ଷରେ ବୋଲିଂ କରୁଥିଲା ବେଳେ ଟମ୍‌ କୁରାନ୍‌ଙ୍କ ଆଗ ପାଦ କ୍ରିଜ୍‌ ଆଗକୁ ବଢ଼ିଥିବା କହି ଅନନ୍ତପଦ୍ମନାଭମ ନୋ ଡାକିଥିଲେ। କିନ୍ତୁ ରିପ୍ଲେରେ କୁରାନଙ୍କ ଗୋଡ଼ କ୍ରିଜ୍‌ ମଧ୍ୟରେ ଥିବା ସ୍ପଷ୍ଟ ହୋଇଥିଲା। ଯାହାକୁ ନେଇ ଭାଷ୍ୟକାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ୍‌ କ୍ଲାର୍କ ସମାଲୋଚନ କରି ଟ୍ଵିଟ୍‌ କରିଥିଲେ। ଲେଖିଥିଲେ, ଭୟାନକ ଅମ୍ପାୟାରିଂ, ଆଜିକା ଦିନରେ ଏତେ ବୈଷୟିକ ଜ୍ଞାନ ଥିବା ସତ୍ୱେ ଏଭଳି ଭୁଲ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଉଛି।

ଅମ୍ପାୟାର ଅନନ୍ତପଦ୍ମନାଭମଙ୍କ ପାଇଁ ଗୁରୁବାର ହର୍ସ ଭୋଗ୍‌ଲେ ଆଗକୁ ବାହାରିଥିଲେ। ସେ କହିଥିଲେ, କୁରାନ ବୋଲିଂ କରୁଥିଲା ବେଳେ ତାଙ୍କ ଗୋଡ଼ ଖସି କ୍ରିଜ୍‌ ବାହାରକୁ ଯିବାର ଅମ୍ପାୟରଙ୍କ ନଜରରେ ଆସିଥିବ। ସେଥିପାଇଁ ସେ ନୋ ବଲ୍‌ ଦେଇଥିବେ। ଏମିତି ଭୁଲ ଆମେ ମଧ୍ୟ ବେଳେ ବେଳେ କରି ଦେଇଥାଉ। ଏହକୁ ନେଇ ଚର୍ଚା କରିବା ଠିକ୍‌ ନୁହେଁ ବୋଲି ଭୋଗ୍‌ଲେ କହିଥିଲେ।
ଏହିଭଳି ଅମ୍ପାୟାରଙ୍କ ଭୁଲ ଚଳିତ ଆଇପିଏଲ୍‌ରେ ବହୁବାର ଦେଖିବାକୁ ମିଳିଲାଣି। ଏହା ପୂର୍ବରୁ ଏପ୍ରିଲ୍‌ ୨୨ ତାରିଖରେ ହାଇଦ୍ରାବାଦରେ ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ବେଳେ ସ୍କୋୟାର୍‌ ଲେଗ୍‌ ଅମ୍ପାୟର ଥିବା ବିନୀତ କୁଲକର୍ଣ୍ଣି ଏକ ହାଇ ଫୁଲ୍‌ଟସ୍‌କୁ ନୋ ଡାକିନଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ ବ୍ୟାଟିଂ କରୁଥିଲା ବେଳେ ସାର୍ଦୁଲ ଠାକୁର ଏକ ହାଇ ଫୁଲ୍‌ଟସ୍‌ ପକାଇଥିଲେ। କିନ୍ତୁ ଏହା ନୋ ହୋଇନଥିଲା ଏବଂ ଏହି ମ୍ୟାଚ୍‌କୁ ୪ ରନ୍‌ରେ ହାଇଦ୍ରାବାଦ ହାରିଥିଲା। କୋଲ୍‌କାତା-କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଇଡେନ୍‌ରେ ଖେଳା ଯାଇଥିବା ମ୍ୟାଚ୍‌ରେ ମଧ୍ୟ ଖରାପ ଅମ୍ପାୟାରିଂ ଦେଖିବାକୁ ମିଳିଥିଲା। ଆଣ୍ଡ୍ରୁ ଟାଇଙ୍କ ପାଦ କ୍ରିଜ୍‌ ଭିତରେ ଥିଲେ ମଧ୍ୟ ଅମ୍ପାୟର ନୋ ଡାକିଥିଲେ। ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ନିଜର ହତାଶା ଭାବ ଦେଖାଇଥିଲେ। ଏଭଳି ଖରାପ ଅମ୍ପାୟାରିଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍‌ ପର୍ଯ୍ୟନ୍ତ ରହିଥିଲା। ଚେନ୍ନାଇ ବ୍ୟାଟ୍ସମ୍ୟାନ୍‌ ସେନ୍‌ ଓ୍ଵାଟସନ୍‌ଙ୍କ ଗୋଡ଼ ଓ୍ଵିକେଟ୍‌ ଆଗରେ ଥିଲା ବେଳେ ତାଙ୍କ ପ୍ୟାଡ୍‌ରେ ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବଲ୍‌ ସିଧା ବାଜିଥିଲା। କିନ୍ତୁ ଏହାକୁ ଅମ୍ପାୟାର ନଟ୍‌ ଆଉଟ୍‌ ଦେଇଥିଲେ। ବଲ୍‌ ସିଧା ଷ୍ଟମ୍ପ୍‌ରେ ବାଜୁଥିବାର ତୃତୀୟ ଅମ୍ପାୟାର ଦେଖିଥିଲେ। ହେଲେ ବଲ୍‌ ବ୍ୟାଟ୍‌ କିମ୍ବା ପ୍ୟାଡ୍‌ରେ ବାଜିଛି ସ୍ପଷ୍ଟ ନହେବାରୁ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିଥିଲା। ଏହି ମ୍ୟାଚ୍‌ରେ ଓ୍ଵାଟ୍‌ସନ୍‌ ୭୮ ରନ୍‌ କରିବା ସହ ମ୍ୟଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସମାଲୋଚନ କରିଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କୁ ପଡ଼ିଆ ଭିତରେ ଥିବା ଅମ୍ପାୟାର ନଟ୍‌ ଆଉଟ୍‌ ଦେଇଥିଲା ବେଳେ ତୃତୀୟ ଅମ୍ପାୟାର ଆଉଟ୍‌ ଦେଇଥିଲେ। ପଡ଼ିଆ ଭିତରେ ରହୁଥିବା ଅମ୍ପାୟାରଙ୍କ ଏଭଳି ଭୁଲ ନିଷ୍ପତ୍ତିକୁ କୋହଲି ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର