ବ୍ୟାଡ୍‌ମିଣ୍ଟନ୍‌ ବିପ୍ଳବର ଶ୍ରେୟ ଗୋପୀଙ୍କୁ ଯାଏ: ଦୀପୁ

ଦୀପୁ ଘୋଷଙ୍କୁ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ପ୍ରଥମ ମହାନାୟକର ମାନ୍ୟତା ମିଳେ। ୧୯୬୦ରୁ ୭୩ ପର୍ଯ୍ୟନ୍ତ ଘରୋଇ ବ୍ୟାଡ୍‌ମିଣ୍ଟନ୍‌ରେ ପୂରା ଆଧିପତ୍ୟ ବିସ୍ତାର କରିଥିବା ଦୀପୁ ବିଶ୍ୱ ପ୍ରତିଯୋଗିତାରେ ପାଞ୍ଚଥର ଭାରତର ପ୍ରତିନିଧିତ୍ୱ କରିଛନ୍ତି। ତା’ ସହ ଅଲ୍‌ଇଂଲଣ୍ଡ, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା ଭଳି ସମ୍ମାନଜନକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିିଛନ୍ତି। ସାନ ଭାଇ ରୋମେନ ଘୋଷ ଓ ଦୀପୁ ଏକ ଦଶନ୍ଧିରୁ ଉର୍ଧ୍ୱ ସମୟ ପର୍ଯ୍ୟନ୍ତ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ଚର୍ଚିତ ଯୁଗଳ ଯୋଡ଼ିଥିଲେ। ୧୯୭୯ରେ ଅବସର ପରେ ସେ ୩ ବର୍ଷ ଧରି ଜାତୀୟ ଦଳର ପ୍ରଶିକ୍ଷକ ଥିଲେ। କୋଲକାତାରେ ଶିକ୍ଷା ଗ୍ରହଣ କରିଥିବା ଦୀପୁଙ୍କର ଇରାନ ଓ ଆଇସ୍‌ଲାଣ୍ଡ୍‌ରେ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ବି ରହିଛି। ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌କୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ପ୍ରକାଶ ପାଦୁକୋନଙ୍କର ସେ ଥିଲେ ଅନ୍ୟତମ ଗୁରୁ। ଭୁବନେଶ୍ୱରର ସହିଦନଗରଠାରେ ଥିବା ଓଡ଼ିଶା ସାଇ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି ପରିଦର୍ଶନରେ ଆସିଥିଲା ବେଳେ ଏହି ବର୍ଷିୟାନ କ୍ରୀଡ଼ା କିମ୍ବଦନ୍ତୀ ସମ୍ବାଦକୁ ଦେଇଥିଲେ ସ୍ୱତନ୍ତ୍ର ସାକ୍ଷାତକାର।
ସମ୍ବାଦ: ଓଡ଼ିଶା ଆସିବାର ଅଭିପ୍ରାୟ?
ଦୀପୁ: ମୁଁ ବହୁବାର ଓଡ଼ିଶା ଆସିଛି। ସନତ ମିଶ୍ରଙ୍କୁ ଭଲ ଭାବରେ ଜାଣିଛି। ସେ ଜଣେ ଚମତ୍କାର ଖେଳାଳି ଥିଲେ। ପୁରୀ ଯିବାର ସୌଭାଗ୍ୟ ମୋତେ ଆନେକ ବାର ମିଳିଥିବାରୁ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଉଛି। ଭାରତୀୟ ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ମୋତେ ବେଶ୍‌ ପ୍ରଭାବିତ କରିଛି। ବହୁ ବିକଶିତ ରାଜ୍ୟ ତୁଳନାରେ ଓଡ଼ିଶାରୁ ଅଧିକ ପିଲା ଏହି ସମ୍ମାନଜନକ ସେବାରେ କୃତକାର୍ଯ୍ୟ ହେଉଛନ୍ତି। ଏକଥା ଜାଣିବା ପରେ ଓଡ଼ିଶା ପ୍ରତି ମୋ ସମ୍ମାନ ବଢ଼ି ଯାଇଛି। ଏଠାରେ ସାଇ ବ୍ୟାଡ୍‌ମିଣ୍ଟନ୍‌ ଏକାଡେମି ଖୋଲିବା ମଧ୍ୟ ବ୍ୟକ୍ତିିଗତ ଭାବେ ମୋତେ ବେଶ୍‌ ଉତ୍ସାହିତ କରିଛି।
ସମ୍ବାଦ: ଭାରତ ଦିନେ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ରେ ଆଧିପତ୍ୟ ବିସ୍ତାର କରିବ ବୋଲି ଆପଣ କେବେ ଭାବିଥିଲେ?
ଦୀପୁ: ଏ ପ୍ରଶ୍ନର କେମିତି ଉତ୍ତର ଦେବି ଜାଣି ପାରୁନି। ବହୁତ ଖୁସି ଲାଗୁଛି। ଆମ ବେଳେ ତ କିଛି ନଥିଲା। ଆମେ ଅଲ୍‌ଇଂଲଣ୍ଡ ଭଳି ପ୍ରତିଯୋଗିତା ଲାଗି ସକାଳେ ପହଞ୍ଚି ଅପରାହ୍ନରେ ଖେଳୁଥିଲୁ। ଏବେ ସକାଳୁ ଉଠି ଦେଖୁଛି ଭାରତର ଛୋଟ ଛୋଟ ପିଲାମାନେ ବିଦେଶରେ ଖେଳୁଛନ୍ତି। ଏହା ଦ୍ୱାରା ମାନସିକ ପ୍ରତିବନ୍ଧକ ଦୂର ହୋଇଛି। ଜିତିବାର ଭୋକ ବଢ଼ିଛି। ସେହି ମୌଳିକତା ଅଛି ଭିତ୍ତିଭୂମିଠାରୁ ଆରମ୍ଭ କରି ଖେଳାଳିଙ୍କ ସଂଖ୍ୟା ଏବଂ ମାନରେ ବୈପ୍ଲବିକ ପରିବର୍ତନ ଆସିଛି। ଆମ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ିଛି। ହେଲେ ମୁଁ ଭାବୁଛି ଏହା ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ ସଫଳତା ମିଳିବା ବାକି ଅଛି। ବିଶ୍ୱସ୍ତରୀୟ ଖେଳାଳିଙ୍କୁ ହରାଇ ପାରିବାର ଦୃଢ଼ ବିଶ୍ୱାସ ଭାରତୀୟଙ୍କ ଭିତରେ ଭରି ଯାଇଛି। ଏହାର ଶ୍ରେୟ କିନ୍ତୁ ମୁଁ ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କୁ ଦେବି। ଆମେ ଯେତେ ଯାହା କଲେ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ ପ୍ରତି ତାଙ୍କ ଅବଦାନ ଅତୁଳନୀୟ। ସେ ହିଁ ଭାରତୀୟ ବ୍ୟାଣ୍ଟ୍‌ମିଣ୍ଟନ୍‌ର ଅସଲ ଦ୍ରୋଣାଚାର୍ଯ୍ୟ। ପ୍ରକାଶ ପାଦୁକୋନ ଭାରତୀୟ ଖେଳାଳିଙ୍କୁ ନୁଆ ରାସ୍ତା ଦେଖାଇଥିଲେ। ଗୋପୀ ସ୍ୱପ୍ନକୁ ସାକାର କରିବାର କଳା ଶିଖାଇଛନ୍ତି।
ସମ୍ବାଦ: ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ ଭାରତରେ କିଭଳି ପରିବର୍ତନ ଆଣିଛିି?
ଦୀପୁ: ପ୍ରତିଭାର ବିକାଶ ଲାଗି ଯେତେ ଅଧିକ ମଞ୍ଚ ମିଳିବ ସେତେ ଭଲ। ପ୍ରିିମିୟର ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ରେ ଆମ ଖେଳାଳି ଅନ୍ୟ ଦେଶର ଖେଳାଳିଙ୍କ ସହ ଖେଳିବାର ସୁଯୋଗ ପାଉଛନ୍ତି। ଯାହା ଏକ ଭଲ କଥା। ତା’ ଛଡ଼ା ଆମ ପିଲାମାନେ ମଧ୍ୟ ବାହାରେ ଯାଇ ଖେଳୁଛନ୍ତି। ହେଲେ ଖେଳ ଏବଂ ବିଶ୍ରାମ ଭିତରେ ସନ୍ତୁଳନ ରକ୍ଷା କରିବା ମହତ୍ୱପୂର୍ଣ୍ଣ। ମାତ୍ରାଧିକ ଖେଳ ବି ଭଲ ନୁହେଁ। କାରଣ ଏହା ଦ୍ୱାରା ପିଲାଙ୍କୁ ପ୍ରଶିକ୍ଷଣ ନେବା ଏବଂ ନିଜ ଦୋଷ ଦୁର୍ବଳତାକୁ ଦୂର କରିବା ଲାଗି ପର୍ଯ୍ୟାପ୍ତ ସମୟ ମିଳି ନଥାଏ।
ସମ୍ବାଦ: ଓଡ଼ିଶା ସାଇ ଏକାଡେମି ପୂର୍ବାଞ୍ଚଳରେ ବ୍ୟାଡ୍‌ମିଣ୍ଟନ୍‌ର ଲୋକପ୍ରିୟତାକୁ ବଢ଼ାଇବ କି ?
ଦୀପୁ: ଭାରତରେ ବ୍ୟାଡ୍‌ମିଣ୍ଟନ୍‌ର ଭଲ ଭିତ୍ତିିିଭୂମି ମାତ୍ର କେତୋଟି ସ୍ଥାନରେ କେନ୍ଦ୍ରୀଭୂତ ହୋଇଛି ବୋଲି ମୁଁ ଭାବୁଛି। ପ୍ରକାଶ ପାଦୁକୋନ ଓ ଗୋପୀଚାନ୍ଦ ଏକାଡେମି ଛାଡ଼ିଲେ ଅନ୍ୟ ସ୍ଥାନରେ ଭଲ ପ୍ରଶିକ୍ଷଣ କେନ୍ଦ୍ର ଆପାତତଃ ନାହିଁ। ଭୁବନେଶ୍ୱରରେ ସାଇ ଏକାଡେମି ସ୍ଥାପିତ ହେବା ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍‌ରେ ନାଟକୀୟ ପରିବର୍ତନ ଆଣିବ ବୋଲି ମୁଁ ଭାବୁଛି। ଅବିଭାବକମାନେ ଏବେ ଯେଉଁ ଉତ୍ସାହରେ ପିଲାଙ୍କୁ ବ୍ୟାଡ୍‌ମିଣ୍ଟନ୍‌ ଖେଳାଇବାକୁ ପଠାଉଛନ୍ତି। ତାହା ପ୍ରଶଂସନୀୟ। ଏହା ଆମ ଅଞ୍ଚଳରୁ ବିଶ୍ୱ ବିଜେତା ସୃଷ୍ଟି ହେବାର ଆଶାକୁ ବହୁ ଗୁଣ ବଢ଼ାଇ ଦେଇଛି।
ସମ୍ବାଦ: ଉଦୀୟମାନଙ୍କୁ କି ପରାମର୍ଶ ଦେବେ?
ଦୀପୁ: ନିଜ ଉପରେ ଭରସା। ପ୍ରଶିକ୍ଷକଙ୍କ ଉପରେ ବିଶ୍ୱାସ, ଗୁରୁତ୍ୱପୂର୍ଣ୍ଣ। ଶାରୀରିକ ସୁସ୍ଥତାରେ ଏବେ ସବୁ ଦେଶର ଖେଳାଳି ପ୍ରାୟ ସମାନ। ଯିଏ ନିଜ ଖେଳରେ ଯେତେ ଭିନ୍ନତା ଏବଂ ସ୍ୱତନ୍ତ୍ରତା ଆଣି ପାରୁଛି ସେ ସେତେ ସଫଳ ହେଉଛି। ଆମ ସମୟ ଓ ଏବେକାର ବ୍ୟାଡ୍‌ମିଣ୍ଟନ୍‌ରେ ଆକାଶ ପାତାଳ ଫରକ ରହିଛି। ବ୍ୟାଡମିଣ୍ଟନ ଭାରତରୁ ସୃଷ୍ଟି ହୋଇଥିଲା। ଭାରତକୁ ବିଶ୍ୱ ବିଜେତା କାହିଁକି ସୃଷ୍ଟି ହୋଇ ନପାରିବେ? ସାଇନା, ସିନ୍ଧୁ, ଶ୍ରୀକାନ୍ତଙ୍କ ଭଳି ଖେଳାଳି ଲକ୍ଷ ଲକ୍ଷ ପିଲାଙ୍କୁ ବ୍ୟାଡ୍‌ମିଣ୍ଟନ୍‌ ଖେଳିବାକୁ ଅନୁପ୍ରେରିତ କରୁଛନ୍ତି।

ସମ୍ବନ୍ଧିତ ଖବର