ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌, ୫ ଥରର ବିଜେତାଙ୍କୁ ହରାଇଲେ ପ୍ରଣୟ

ବାସିଲ: ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ, ବି ସାଇ ପ୍ରଣୀତ ଚଳିତ ବିଶ୍ବ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌‌ର ପ୍ରି-କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୩୦ତମ ମାନ୍ୟତାପ୍ରାପ୍ତ ପ୍ରଣୟ ମଙ୍ଗଳବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ୫ ଥରର ବିଶ୍ବ ବିଜେତା ଚୀନ୍‌ର ଲାନ୍‌ ଡାନ୍‌ଙ୍କୁ ମାତ୍‌ ଦେଇଥିଲେ। ସେ ୬୨ ମିନିଟ୍‌ ସମୟ ନେଇ ୨୧-୧୧, ୧୩-୨୧, ୨୧-୭ରେ ଏକାଦଶ ମାନ୍ୟତାପ୍ରାପ୍ତ ଡାନ୍‌ଙ୍କୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲେ। ଡାନ୍‌ଙ୍କୁ ୨୦୧୮ ଇଣ୍ଡୋନେସିଆ ଓପନ୍‌ ଏବଂ ୨୦୧୫ରେ ଫ୍ରେଞ୍ଚ୍‌ ଓପନ୍‌ରେ ହରାଇଥିବା ପ୍ରଣୟ ବିଜୟ ବ୍ୟବଧାନକୁ ୩-୨ରେ ପହଞ୍ଚାଇଛନ୍ତି। ପ୍ରଣୀତ ୨୧-୧୬, ୨୧-୧୫ରେ କୋରିଆର ଲି ଡଙ୍ଗ କିଉନ୍‌ଙ୍କୁ ହରାଇଥିଲେ। ମହିଳା ଯୁଗଳରେ ଅଶ୍ବିନ ପୁନପ୍ପା ଓ ଏନ୍‌ ସିକ୍କି ରେଡ୍ଡୀ ବାଇ ପାଇ ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ପୂଜା ଧଣ୍ଡୁ ଓ ସଞ୍ଜନା ସନ୍ତୋଷ ୧୫-୨୧, ୧୪-୨୧ରେ ଚାଇନିଜ ତା‌ଇପେର ସୁ ୟା ଚିଙ୍ଗ ଓ ହୁ ଲିଙ୍ଗ ଫାଙ୍ଗଙ୍କଠୁ ହାରି ବିଦାୟ ନେଇଥିଲେ। ପୁରୁଷ ଯୁଗଳରେ ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ୨୧-୧୩, ୨୧-୧୩ରେ ଫ୍ରାନ୍ସର ଥମ୍‌ ଜିସକ୍ବେଲ୍‌ ଓ ରୋନାନ ଲାବରଙ୍କୁ ପରାସ୍ତ କରିଥିଲେ। ତେବେ ଅରୁଣ ଜର୍ଜ ଓ ସନ୍ୟମ ଶୁକ୍ଲା ୧୮-୨୧, ୧୧-୨୧ରେ ଜାପାନର ତାକୁତୋ ଇନୋକି ଓ ୟୁକି କାନେକୋଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର