ଲାଜଙ୍ଗକୁ ହରାଇ ସେମିରେ ବାଗାନ୍‌

ଭୁବନେଶ୍ୱର: ଦୁଇ ଦିନର ବିରତି ପରେ ବୁଧବାର କଳିଙ୍ଗ ଷ୍ଟାଡିୟମରେ କୋଲ୍‌କାତା ଦର୍ଶକଙ୍କ ମାହୋଲରେ ସୁପର କପ୍‌ ଫୁଟ୍‌ବଲ୍‌ ଲଢ଼େଇ ଆରମ୍ଭ ହୋଇଥିଲା। ଏହି କ୍ୱାର୍ଟର୍‌ ଫାଇନାଲ୍‌ରେ ମେଘାଳୟର ସିଲଂ ଲାଜଙ୍ଗ୍‌କୁ ୩-୧ ଗୋଲ୍‌ରେ ହରାଇ ଦ୍ୱିତୀୟ କୋଲ୍‌କାତା ଦଳ ଭାବେ ମୋହନ ବାଗାନ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଇଷ୍ଟବେଙ୍ଗଲ୍‌ ପ୍ରଥମ କୋଲ୍‌କାତା ଦଳ ଭାବେ ସେମିରେ ସ୍ଥାନ ସୁରକ୍ଷିତ କରିସାରିଛି।

ବୁଧବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଲାଜଙ୍ଗ୍‌ ପ୍ରଥମେ ବଲ୍‌ ଗଡ଼ାଇ ଥିଲା। ହେଲେ ଆରମ୍ଭରୁ ବାଗାନ୍‌ ପକ୍ଷରେ ବଲ୍‌ ରହିଥିଲା। ଦର୍ଶକଙ୍କ ସମର୍ଥନ ବାଗାନକୁ ପୂରା ସହଯୋଗ କରିଥିଲା। ଯାହାର ଫଳ ଦ୍ୱାଦଶ ମିନିଟ୍‌ରେ ବାଗାନ୍‌କୁ ମିଳିଥିଲା। ସେଖ୍‌ ଫଜର୍‌ ଗୋଲ୍‌ ମାରି ଦଳକୁ ଆଗୁଆ କରି ନେଇଥିଲେ। ପୁଣି ଏହାର ଠିକ୍‌ ୧୦ ମିନିଟ୍‌ ପରେ ନିଖିଲ କଦମ୍‌ ଆଉ ଏକ ଗୋଲ୍‌ ଦେଇ ବାଗାନ୍‌କୁ ୨-୦ ଅଗ୍ରଣୀ ଦେଇଥିଲେ। ଲାଜଙ୍ଗ ମଧ୍ୟ ଲଢ଼ୁଆ ପ୍ରଦର୍ଶନ ଜାରି ରଖିଥିଲା। ୨୫ ମିନିଟ୍‌ରେ ଏକ ପେନାଲ୍‌ଟି ସୁଯୋଗକୁ ଦଳର ଅଧିନାୟକ ସାମୁଏଲ୍‌ ଲାଲମୁଆଁପୁଇ ହାତଛଡ଼ା କରି ଦେଇଥିଲେ। ଏହାର ୩ ମିନିଟ୍‌ ପରେ ଲାଜଙ୍ଗର କୋଟ୍‌ ଡି’ଆଇଭରି ଖେଳାଳି ଅବ୍‌ଦୁଲାଇ କୋଫି (୨୮ ମିନିଟ୍‌) ହେଡର୍‌ ଜରିଆରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାପରେ ଲାଜଙ୍ଗ ମ୍ୟାଚ୍‌କୁ ଫେରି ବାଗାନ୍‌ ଉପରେ ପ୍ରତିଆକ୍ରମଣ କରିଥିଲା। ହେଲେ ବାଗାନ୍‌ର ରକ୍ଷଣ ଭାଗ ଭେଦ କରିପାରି ନଥିଲା। ଫଳରେ ବାଗାନ୍‌ ପ୍ରଥମାର୍ଧରେ ୨-୧ରେ ଆଗୁଆ ରହିଥିଲା।

ପ୍ରଥମାର୍ଧ ପରି ଦ୍ୱିତୀୟାର୍ଧରେ ମଧ୍ୟ ବାଗାନ ତା’ ରଣନୀତିରେ କୌଣସି ପରିବର୍ତନ କରି ନଥିଲା। ଲାଜଙ୍ଗ ଗୋଲ୍‌ ପୋଷ୍ଟ୍‍ ଉପରକୁ ଘନଘନ ଆକ୍ରମଣ ଜାରି ରଖିଥିଲା। ୫୯ ମିନିଟ୍‌ରେ ଅର୍ଜିତ୍‌ ବାଗୁଇଙ୍କ ଏକ ପାସ୍‌କୁ ଲେବାନନ୍‌ ତାରକା ଆକ୍ରମ ମୋଘରାବି ମୁଣ୍ଡରେ ଗୋଲ୍‌ ପୋଷ୍ଟ୍‍କୁ ପଠାଇ ଦେଇଥିଲେ। ଲାଜଙ୍ଗ୍‌ର ଲୌରାନ୍ସ ଡୋଏ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଲ୍‌ ତାଙ୍କ ମୁଣ୍ଡରେ ବାଜି ଗୋଲ୍‌ ହୋଇଯାଇଥିଲା। ଗୋଲ୍‌ର ହକ୍‌ ମୋଘରାବିଙ୍କ ପାଖକୁ ନଯାଇ ଆତ୍ମଘାତୀ ଗୋଲ୍‌ରେ ଗଣତି ହୋଇଥିଲା। ଏଥି ସହିତ ବାଗାନ ୩-୧ରେ ଆଗୁଆ ହୋଇ ଯାଇଥିଲା। ଏହାପରେ ଲାଜଙ୍ଗ ଗୋଲ୍‌ ଶୁଝାଇବାକୁ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ବାଗାନ୍‌ର ରକ୍ଷଣଭାଗ ଭେଦ କରି ପାରି ନଥିଲା। ଶେଷରେ ଲାଜଙ୍ଗ ହାରି ବିଦାୟ ନେଇଥିଲା। ଅତିଥି ଭାବେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଯୋଗଦେଇ ବାଗାନ୍‌ ପାଇଁ ପ୍ରଥମ ଗୋଲ୍‌ ଦେଇଥିବା ସେଖ୍‌ ଫୈଜ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର