ବାହାରିନରେ ଭେଟେଲ୍‌ ବିଜେତା

ବାହାରିନ: ଚଳିତ ଫର୍ମୁଲା-୧ ଋତୁର ପ୍ରଥମ ଦୁଇ ରେସ୍‌ରେ ଫେରାରି ଚାଳକ ସେବାଷ୍ଟିଏନ୍‌ ଭେଟେଲ୍‌ ବିଜେତା ହୋଇଛନ୍ତି। ରବିବାର ୫୭ ଲାପ୍‌ ବିଶିଷ୍ଟ ବାହାରିନ୍‌ ଗ୍ରାଁ ପ୍ରି ରେସ୍‌ରେ ଭେଟେଲ୍‌ ମର୍ସିଡିଜ ଚାଳକ ଭାଲଟେରି ବୋଟ୍ଟାସଙ୍କୁ ୦.୬୯୯ ସେକେଣ୍ଡ୍‌ରେ ପଛରେ ପକାଇ ଦେଇଥିଲେ। ବୋଟ୍ଟାସଙ୍କ ମର୍ସିଡିଜ୍‌ ସାଥୀ ଲୁଇସ୍‌ ହାମିଲଟନ ତୃତୀୟ ସ୍ଥାନରେ ରହିଥିଲେ। ଏଥି ସହ ନିଜର ୨୦୦ତମ ଆରମ୍ଭରେ ବିଜେତା ହୋଇଛନ୍ତି ଭେଟେଲ୍‌। ବୋଟ୍ଟାସ ଓ ହାମିଲଟନ ମଧ୍ୟ ନିଜ ନିଜ ୧୦୦ତମ ରେସ୍‌ ଆରମ୍ଭରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବାର ଗୌରବ ପାଇଥିଲେ। ହୋଣ୍ଡାର ପିଏରେ ଗାସ୍‌ଲି, ହାସ ଫେରାରିର କେଭିନ୍‌ ମାଗ୍ନସେନ୍‌, ରେନଲଟ୍‌ର ନିକୋ ହକେନ୍‌ବର୍ଗ, ମ୍ୟାକ୍‌ଲରେନ୍‌ ରେନଲ୍‌ଟର ଫର୍ନାଣ୍ଡୋ ଆଲୋଁସୋ, ଷ୍ଟୋଫେଲ୍‌ ଭେଣ୍ଡ୍‌ର୍ନ, ସୁବେର ଫେରାରିର ମାର୍କସ ଏରିକ୍‌ସନ୍‌, ଫୋର୍ସ ଇଣ୍ଡିଆ ମର୍ସିଡିଜ୍‌ର ଏସ୍ତେବନ୍‌ ଓକୋନ୍‌ ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହି ପଏଣ୍ଟ୍‌ ପକେଟସ୍ଥ କରିଥିଲେ। ଏହି ବିଜୟ ସହିତ ଭେଟେଲ୍‌ ବାହାରିନ୍‌ରେ ଚତୁର୍ଥ ବିଜୟ ସହିତ ଆଲୋଁସୋ (୩)ଙ୍କ କୀର୍ତିମାନକୁ ପଛରେ ପକାଇ ଦେଇଛନ୍ତି। ରାଇକୋନେନ୍‌ ଅଧାରୁ ଓହରିଯିବା ରବିବାରର ଅନ୍ୟତମ ପ୍ରମୁଖ ଘଟଣା ଥିଲା। ସୂଚନାଯୋଗ୍ୟ, ଗତ ରବିବାର ଋତୁ ପ୍ରାରମ୍ଭ ଅଷ୍ଟ୍ରେଲିଆ ଗ୍ରାଁ ପ୍ରିରେ ଭେଟେଲ୍‌, ହାମିଲଟନ, ରାଇକୋନେନ୍‌ ପ୍ରଥମ ୩ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର