ଖେଳ ରତ୍ନକୁ ନେଇ ବଜରଙ୍ଗ ଅସନ୍ତୋଷ

ନୂଆଦିଲ୍ଲୀ: କ୍ରୀଡ଼ା ବିଭାଗରେ ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତର ତାରକା ମଲ୍ଲ ଯୋଦ୍ଧା ବଜରଙ୍ଗ ପୁନିଆ। ସେ ଏଥି ନେଇ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋରଙ୍କୁ ଗୁରୁବାର ଭେଟିଛନ୍ତି। ମୋ ନାଁ କ’ଣ ପାଇଁ ଖେଳ ରତ୍ନ ପୁରସ୍କାର ଲାଗି ବିଚାରକୁ ନିଆଗଲା ନାହିଁ ସେଥିପାଇଁ ମୁଁ ଶୁକ୍ରବାର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଲାଗି ଧାର୍ଯ୍ୟ କରିଥିଲି। ହେଲେ ମନ୍ତ୍ରୀ ମୋତେ ଗୁରୁବାର ସଂଧ୍ୟାରେ ଡାକିଥିଲେ। ତାଙ୍କୁ ମୁଁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ, ପୁରସ୍କାର ଲାଗି ତୁମ ପାଖରେ ଯଥେଷ୍ଟ ପଏଣ୍ଟ୍‌ ନାହିଁ। କିନ୍ତୁ ଏହା ଭୁଲ। ମୁଁ ଯେତିକି ପଏଣ୍ଟ୍‌ ପାଇଛି ତାହା ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବା କ୍ରିକେଟର୍‌ ବିରାଟ କୋହଲି ଏବଂ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କଠାରୁ ଢେର ଅଧିକ ବୋଲି ରାଜ୍ୟଗୋଷ୍ଠୀ ଓ ଏସିଆଡ୍‌ ସ୍ୱର୍ଣ୍ଣ ବିଜେତା ବଜରଙ୍ଗ କହିଛନ୍ତି। ଯଦି ମନ୍ତ୍ରୀ ମୋତେ ଶୁକ୍ରବାର ସଂଧ୍ୟ ସୁଦ୍ଧା ସନ୍ତୋଷଜନକ ଉତ୍ତର ନ ଦିଅନ୍ତି ତେବେ ମୁଁ ଅଦାଲତର ଆଶ୍ରୟ ନେବି ବୋଲି ସେ କହିଛନ୍ତି। ଗୋଲ୍ଡକୋଷ୍ଟ୍‍ ଓ ଜାକର୍ତା ସ୍ୱର୍ଣ୍ଣ ପୂର୍ବରୁ ବଜରଙ୍ଗ ୨୦୧୪ ରାଜ୍ୟଗୋଷ୍ଠୀ ଓ ଏସିଆଡ୍‌ରେ ରୌପ୍ୟ ଜିତିଥିଲେ। ଏଥି ସହ ସେ ମଧ୍ୟ ୨୦୧୩ ବିଶ୍ୱ ପ୍ରତିଯୋଗିତାରେ କାଂସ୍ୟ ପଦକ କରାୟତ କରିବାରେ ସଫଳ ହୋଇଥିଲେ। ହେଲେ ଏହି ସଫଳତା ସତ୍ୱେ ତାଙ୍କ ନାମକୁ ବିଚାରକୁ ନ ନେବାରୁ ସେ ଏପରି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର