ଜିଆନ୍ (ଚୀନ୍): ବିଶ୍ବର ଏକ ନମ୍ବର କୁସ୍ତି ତାରକା ବଜରଙ୍ଗ ପୁନିଆ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏସୀୟ କୁସ୍ତି ପ୍ରତିଯୋଗିତାର ପ୍ରଥମ ଦିବସରେ ହିଁ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ପୁରୁଷ ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗର ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ବଜରଙ୍ଗ ୧୨-୭ରେ କାଜାକସ୍ତାନର ସାୟାବେକ୍ ଓକାସୋଭ୍ଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ୍ ଲଢ଼େଇରେ ବଜରଙ୍ଗ କ୍ରମାଗତ ଭାବେ ୧୦ ପଏଣ୍ଟ୍ ଅକ୍ତିଆର କରି ଏସୀୟ ସ୍ବର୍ଣ୍ଣ ଫେରିପାଇଛନ୍ତି। ପ୍ରଥମ ଦୁଇ ରାଉଣ୍ଡ୍ରେ ଯଥାକ୍ରମେ ଇରାନ୍ର ପିମାନ୍ ବାୟାବାନି ଏବଂ ଶ୍ରୀଲଙ୍କାର ଚାର୍ଲସ୍ ଫର୍ନଙ୍କୁ ପରାସ୍ତ କରିଥିବା ବଜରଙ୍ଗ ସେମିଫାଇନାଲ୍ରେ ଉଜ୍ବେକିସ୍ତାନର ସିରୋଜିଦ୍ଦିନ୍ ଖାସାନୋଭ୍ଙ୍କୁ ୧୨-୧ରେ ପରାସ୍ତ କରିଥିଲେ। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ାର ବିଜେତା ବଜରଙ୍ଗ ଫାଇନାଲ୍ର ମାତ୍ର ୬୦ ସେକେଣ୍ଡ୍ ମଧ୍ୟରେ ୨-୭ରେ ପଛରେ ପଡ଼ିଯାଇଥିଲେ। ତେବେ ଏହାପରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଆଉ କୌଣସି ସୁଯୋଗ ନଦେଇ ସେ କ୍ରମାଗତ ଭାବେ ୧୦ ପଏଣ୍ଟ୍ ଅକ୍ତିଆର କରି ୧୨-୭ ବ୍ୟବଧାର ବିଜୟ ହାତେଇ ନେଇଥିଲେ। ଏଥି ସହିତ ବଜରଙ୍ଗ ଏସୀୟ ପ୍ରତିଯୋଗିତାରେ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ୨୦୧୭ରେ ସେ ଏସୀୟ ସ୍ବର୍ଣ୍ଣ ଜିତିଥିଲେ। ତେବେ ଏସୀୟ ପ୍ରତିଯୋଗିତାରେ ବଜରଙ୍ଗଙ୍କ ପାଇଁ ଏହା ମୋଟ ଉପରେ ପଞ୍ଚମ ପଦକ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟତମ ଭାରତୀୟ ପ୍ରବୀଣ ରାଣା ୭୯ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ରାଉଣ୍ଡ୍ରେ ପହଞ୍ଚିଛନ୍ତି। ପ୍ରଥମ ଦୁଇ ରାଉଣ୍ଡ୍ରେ ଜାପାନର ୟୁତା ଆବେ ଓ ମଙ୍ଗୋଲିଆର ଟଗ୍ସ ଏର୍ଦେନ୍ ଡେଞ୍ଜେସାରଭ୍ଙ୍କୁ ପରାସ୍ତ କରିଥିବା ରାଣା ସେମିଫାଇନାଲ୍ରେ କାଜାକସ୍ତାନର ଗାଲିମ୍ଝାନ୍ ଉସେର୍ବାୟେଭ୍ଙ୍କୁ ୩-୨ରେ ହରାଇଥିଲେ। ସେ ସ୍ବର୍ଣ୍ଣ ପାଇଁ ମାହାମାସ୍ର ମହମ୍ମଦ ତିମୌରିଙ୍କ ସହ ଲଢ଼ିବେ।
ଅନ୍ୟପକ୍ଷରେ ୫୭ କେଜି ବର୍ଗରେ ରବି କୁମାର କାଂସ୍ୟ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ରିପିଚେଜ୍ ରାଉଣ୍ଡ୍ରେ ସେ ତାଇପେର ଚିଆ ସୋ ଲିଉଙ୍କୁ ୪-୦ରେ ପରାସ୍ତ କରିଥିଲେ। କାଂସ୍ୟ ପାଇଁ ତାଙ୍କର ଲଢ଼େଇ ଜାପାନର ୟୁକି ଟାକାହାସିଙ୍କ ସହ ହେବ। ୯୭ କେଜିରେ ସତ୍ୟବ୍ରତ କାଡିଆଁ ମଧ୍ୟ କାଂସ୍ୟ ପଦକ ପାଇଁ ଲଢ଼ିବେ। ସେ କ୍ବାର୍ଟର ଫାଇନାଲ୍ରେ ମଙ୍ଗୋଲିଆର ବାଜୁଲ୍ ଉଲଥଜିସାଇଖନ୍ଙ୍କଠୁ ହାରି ଯାଇଥିଲେ। ହେଲେ ବାଜୁଲ୍ ଫାଇନାଲ୍ ପ୍ରବେଶ କରିବାରୁ କାଡିଆଁ କାଂସ୍ୟ ମୁକାବିଲାକୁ ଉନ୍ନୀତ ହୋଇଛନ୍ତି। ଅନ୍ୟପକ୍ଷରେ ୭୦ କେଜିରେ ରଜନୀଶ ପ୍ରାରମ୍ଭିକ ପରାଜୟ ସହ ବିଦାୟ ନେଇଥିଲେ।