ବାଜି ରାଉତଙ୍କୁ ବୀରୁଙ୍କ ସଲାମ: କହିଲେ ଓଡ଼ିଆ ସବୁଠୁ ବଢ଼ିଆ

ଭୁବନେଶ୍ବର/ଜଟଣୀ: ‘‘ଓଡ଼ିଶା ହେଉଛି ବିପ୍ଳବୀଙ୍କ ମାଟି। ଭାରତର ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ, ଯାହାଙ୍କୁ ମୁଁ ହୃଦୟର ଗଭୀରତାରୁ ବହୁତ ସମ୍ମାନ କରେ, ସେ ଏଠାରେ ଜନ୍ମଗ୍ରହଣ କରିଥିଲେ। ଆଶା କରୁଛି ଓଡ଼ିଶାରୁ ଆହୁରି ଅନେକ ବାଜି ରାଉତ ସୃଷ୍ଟି ହେବେ ଏବଂ ସେମାନେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣିବେ’। ମଙ୍ଗଳବାର ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଏହା କହିଛନ୍ତି। ‘‘ବିଦ୍ୟାଳୟରେ ପାଠପଢ଼ା‌ ଆରମ୍ଭ କରିବା ଜୀବନରେ ସ୍ବାଧୀନତା ପାଇବା ଲାଗି ପାର୍ସପୋର୍ଟ ହାସଲ କରିବାଠାରୁ କୌଣସି ଗୁଣରେ କମ୍ ନୁହେଁ। ସେଥିପାଇଁ ମୁଁ ଏକ ବିଦ୍ୟାଳୟ ଖୋଲିଛି। ତେବେ ଏହାକୁ ଖୋଲିବାର ସ୍ବପ୍ନ ମୋ ବାପା ଦେଖିଥିଲେ। ପିତାଙ୍କ ସ୍ବପ୍ନ ପୂରଣ କରିବା‌ ସହ ପିଲାଙ୍କୁ ଗୋଟିଏ ସ୍ଥାନରେ ପାଠପଢ଼ା ଓ ଖେଳାଖେଳି କରିବାର ସୁଯୋଗ ଦେଇ ପାରିଥିବାରୁ ମୁଁ ବହୁତ ଖୁସି ଅଛି’ ବୋଲି ନଜଫଗଡ଼ର ନବାବ ଭାବେ ପରଚିତ ସେହବାଗ ଏହି ଅବସରରେ ମତ ପ୍ରକାଶ କରିଥିଲେ। ‌ ଛୋଟ ଛୋଟ ପିଲାଙ୍କର ସର୍ବାଙ୍ଗୀନ ଉନ୍ନତି ‌ଉପରେ ଗୁରୁତ୍ବାରୋପ କରିବା ସହ ସହିଦ ବାଜି ରାଉତଙ୍କୁ ଜୀବନର ଆଦର୍ଶ କରିବାକୁ ସେ ମଧ୍ୟ ଆହ୍ବାନ କରିଥିଲେ।

ନିଜ କ୍ରିକେଟ୍ ଜୀବନର ଆଦ୍ୟ ପର୍ବରେ କରିଥିବା ସଂଘର୍ଷକୁ ମନେ ପକାଇ ଭାବବିହ୍ବଳ ହୋଇ ଯାଇଥିବା ଏହି ରଙ୍ଗିନ ମିଜାଜ କ୍ରିକେଟ୍‌ କିଂବଦନ୍ତି ଆହୁରି କହିଥିଲେ ଯେ ମୋତେ ଅଭ୍ୟାସ ପାଇଁ ସବୁଦିନ ନଜଫଗଡ଼ରୁ ୪୫ କିଲୋମିଟର ଦୂର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମ୍‌ ଯିବାକୁ ପଡ଼ୁଥିଲା। ସବୁଦିନ ମୁଁ ସକାଳ ସାଢ଼େ ୪ଟାରୁ ଉଠୁଥିଲି। ୫ଟା ୧୦ରେ ବସ୍ ନେଇ ୭ଟା ୧୫ରେ ଷ୍ଟାଡିୟମ୍‌ରେ ପହଞ୍ଚୁଥିଲି ଏବଂ ଅଭ୍ୟାସ ୭ଟା ୩୦ରେ ଆରମ୍ଭ ହେଉଥିଲା। ଷ୍ଟାଡିୟମ୍‌ରେ ପହଞ୍ଚିବା ଲାଗି ବସ୍ ପାଖା ପାଖି ଦୁଇ ଘଣ୍ଟା ସମୟ ନେଉଥିଲା। ସଂଧ୍ୟା ବେଳେ ଯାହା ଅଢ଼େଇ ଘଣ୍ଟାକୁ ବଢ଼ି ଯାଉଥିଲା। ମୋ ବାପା ସବୁଦିନ ଏକଥା‌ ଦେଖୁଥିଲେ। ‌ଦିନେ ମୋତେ ପାଖକୁ ଡାକି କହିଲେ, ପୁଅ ଫରୋଜ ଶାହ କୋଟ୍‌ଲା ଷ୍ଟାଡିୟମ ନିକଟ‌ରେ ଏକ ଘର କାହିଁକି ନେଇ ଯାଉନୁ? ଅନ୍ତତଃ ଯିବା ଆ‌ସିବାରେ ତୋର ଏତେ ସମୟ ନଷ୍ଟ ହୁଅନ୍ତା ନାହିଁ। ମୁଁ ଉତ୍ତର ଦେଇଥିଲି, ବାପା ନା ମୋ ପାଖରେ ଏତେ ପଇସା ଅଛି ନା ତୁମ ପାଖରେ। ଫରୋଜ ଶାହ କୋଟ୍‌ଲା ପାଖରେ ଘର କିଣିବା ଆମ ପାଇଁ ସ୍ବପ୍ନ। ବାପା କିନ୍ତୁ ଦୁଃଖରେ କହିଥିଲେ ଯେ ଯଦି ତୁ ଏତେ ସମୟ ବସ୍ ଯାତ୍ରାରେ ନଷ୍ଟ କରି ନଥାଆନ୍ତୁ, ତାହାଲେ ଦୁଇ ବର୍ଷ ପୂର୍ବରୁ ଭାରତୀୟ ଦଳରେ ସ୍ଥାନ ପାଇ ସାରି ଥାଆନ୍ତୁ। ମୁଁ କହିଥିଲି ଏବେ ମୁଁ ଭାରତୀୟ ଦଳରେ ସ୍ଥାନ ପାଇ ସା‌ରିଲିଣି, ଏଣୁ ଏହି ବିଷୟରେ ଏବେ ଭାବିବାର କୌଣସି ଯଥାର୍ଥତା ନାହିଁ। ସେତେବେଳେ ଦିନେ ନା ଦିନେ ଏକ ବିଦ୍ୟାଳୟ ଖୋଲିବାର ପଣ ମୁଁ ନେଇଥିଲି। କାରଣ ମୋ ଭଳି ପିଲାମାନେ ବସ୍ ଯାତ୍ରାରେ ଅଧିକ ସମୟ ନକଟାଇ ପାଠପଢ଼ା ଓ ଖେଳରେ ସେତକ ସମୟ ଲଗାନ୍ତୁ ବୋଲି ମୁଁ ଚାହୁୁଥିଲି।

ଏବେବି ପିଲାମାନେ ଯାତ୍ରା କରିବାରେ ଅନେକ ସମୟ ଅପଚୟ କରୁଛନ୍ତି। ଏଣୁ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ପାଠ ପଢ଼ା ସହ ଖେଳା ଖେଳିର ସୁଯୋଗ ମିଳିବା ଦରକାର। ଉତ୍ତମ ଖେଳାଳି ତିଆରି କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୋଟିଏ ଛାତ ତଳେ ରହିବା, ପଢ଼ିବା ଓ ଖେଳିବାର ସୁଯୋଗ ସୃଷ୍ଟି କରାଯିବା ଦରକାର। ହରିଆଣାର ଝଝରରେ ୨୦୧୧ରୁ ଆରମ୍ଭ ହୋଇଥିବା ମୋ ବିଦ୍ୟାଳୟରେ ସବୁ ସୁବିଧା ଅଛି। ପିଲାମାନେ ସେଠାରେ ପାଠ ପଢ଼ିବା ସହ ଖେଳକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି। ଏବେ ସୁଦ୍ଧା ଆମ ବିଦ୍ୟାଳୟର ୫୦ରୁ ଅଧିକ ଖେଳାଳି ଟେନିସ୍ ,ଫୁଟ୍‌ବଲ୍, ସନ୍ତରଣ ଭଳି ଅନେକ ଖେଳରେ ଉତ୍କର୍ଷତା ଲାଭ କରି ସାରିଲେଣି। ଓଡ଼ିଶାରେ ମଧ୍ୟ ଏହିଭଳି ବିଦ୍ୟାଳୟ ଅଧିକରୁ ଅଧିକ ସ୍ଥାପନ ହେବା ଦରକାର ବୋଲି ଯୁକ୍ତି ବାଢ଼ିଥିଲେ ସେହବାଗ।

ସମ୍ବନ୍ଧିତ ଖବର