ଭାରତ-ଶ୍ରୀଲଙ୍କା ସହ ବାଲା-ବାପି: ବାରବାଟୀ ଟେ୍ଵଣ୍ଟି-୨୦ ୨ ଦିନ ପରେ

କଟକ: ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ କଥା ଉଠିଲେ ବାଲା (ଏମ୍‌ ବାଲକ୍ରୀଷ୍ଣା ରାଓ) ଓ ବାପି (ସରୋଜ କର)ଙ୍କ ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆନ୍ତର୍ଜାତିକ ଖେଳାଳିଙ୍କ ନିକଟତର ହେବାକୁ ପ୍ରତ୍ୟେକଙ୍କ ଆଶା ଓ ଆଗ୍ରହ ଥାଏ। କିନ୍ତୁ ସବୁଥର ଭଳି ଏଥର ମଧ୍ୟ ଏହି ଦୁଇ ଯୋଡ଼ି ଆଗରେ ରହିଛନ୍ତି। ବାଲ୍‌କ୍ରୀଷ୍ଣା ରାଓ ଓ ସରୋଜ କର ଉଭୟ ଦଳର ସ୍ଥାନୀୟ ପ୍ରବଂଧକ ଦାୟିତ୍ୱରେ ରହିଛନ୍ତି। ତେବେ ଚଳିତ ଥର ଯୋଡ଼ିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସବୁବେଳେ ଭାରତୀୟ ଦଳ ସହିତ ରହିଆସୁଥିବା ସରୋଜ କରଙ୍କୁ ଏଥର ଭ୍ରମଣକାରୀ ଦଳ ଦାୟିତ୍ୱ ଦିଆଯାଇଛି। ସେହିପରି ବାଲକ୍ରୀଷ୍ଣା ରାଓ ଭ୍ରମଣକାରୀ ଦଳର କାର୍ଯ୍ୟ କରିଆସୁଥିଲେ। ଡିସେମ୍ବର ୨୦ ମ୍ୟାଚ ପାଇଁ ତାଙ୍କୁ ଭାରତୀୟ ଦଳର ଦାୟିତ୍ୱ ଅର୍ପଣ କରାଯାଇଛି।

ସରୋଜ ୨୦୦୦ ମସିହାରୁ ଭାରତୀୟ ଦଳର ସ୍ଥାନୀୟ ପ୍ରବଂଧକ ଭାବେ କାର୍ଯ୍ୟ କରିଆସୁଛନ୍ତି। ବାରବାଟୀରେ ଜିମ୍ବାେଓ୍ଵ ବିପକ୍ଷରେ ହୋଇଥିବା ମ୍ୟାଚ୍‌ରେ ସରୋଜ ପ୍ରଥମ ଥର ପାଇଁ ଭାରତୀୟ ଦଳର ଏହି ଦାୟିତ୍ୱରେ ରହିଥିଲେ। ଏହାପରେ ବାରବାଟୀରେ ଖେଳାଯାଇଥିବା ପ୍ରତ୍ୟେକ ମ୍ୟାଚ୍‌ରେ ସେ ଭାରତୀୟ ଦଳ ସହିତ ରହିଆସିଛନ୍ତି। ଏହାଛଡା ୨୦୦୪ରେ ୧୯ ବର୍ଷରୁ କମ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳର, ୨୦୦୬ ଦଲୀପ୍‌ ଟ୍ରଫିରେ ପଶ୍ଚିମାଞ୍ଚଳ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ଏ’ ଦଳର, ୨୦୦୮ ଚାଲେଞ୍ଜର ଟ୍ରଫିରେ ଇଣ୍ଡିଆ ବ୍ଲୁ’ ର ଏବଂ ଆଇପିଏଲ୍‌ରେ ଡେକାନ୍‌ ଚାର୍ଜର୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରବଂଧକ ଭାବେ ରହିଆସିଛନ୍ତି। ଏହି ଦାୟିତ୍ୱରେ ରହିବା ପରଠୁ ସରୋଜଙ୍କର ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ରୋହିତ ଶର୍ମା, ୟୁସୁଫ୍‌ ପଠାନ୍‌, ପୀୟୂଷ ଚାଓ୍ଵଲା, ମହମ୍ମଦ କୈଫ, ବୀରେନ୍ଦ୍ର ସେହବାଗ ଆଦିଙ୍କ ସହିତ ଘନିଷ୍ଠତା ବଢିଯାଇଛି। କେବଳ ଏତିକି ନୁହେଁ ସରୋଜ ଜଣେ କ୍ରିକେଟ୍‌ ସଂଗ୍ରାହକ ଭାବରେ ବେଶ୍‌ ଜଣାଶୁଣା। ପୂର୍ବରୁ ପ୍ରତ୍ୟେକ ମ୍ୟାଚ୍‌ରୁ ବଲ୍‌, ଷ୍ଟମ୍ପ୍‌, ଜର୍ସି, ଟୋପି ଇତ୍ୟାଦିରେ ଅଟୋଗ୍ରାଫ୍‌ ସଂଗ୍ରହ କରିଛନ୍ତି। ସେହିପରି ନବରଙ୍ଗପୁର ଜିଲ୍ଲା କ୍ରିକେଟ୍‌ ପ୍ରଶିକ୍ଷକ ଏମ୍‌ ବାଲାକ୍ରୀଷ୍ଣା ରାଓ ୨୦୦୪ ମସିହାରେ ବାରବାଟୀରେ ହୋଇଥିବା ଚାଲେଞ୍ଜର ଟ୍ରଫିରେ ଇଣ୍ଡିଆ ଗ୍ରୀନ୍‌ ପାଇଁ ସ୍ଥାନୀୟ ପ୍ରବଂଧକ ଭାବେ ପ୍ରଥମେ କାର୍ଯ୍ୟ କରିଥିଲେ। ଏହାପରଠୁ ସେ ପ୍ରତ୍ୟେକ ଭ୍ରମଣକାରୀ ଦଳ ଦାୟିତ୍ୱରେ ରହିଆସୁଥିବାବେଳେ ୨୦୦୯ ଓ ୨୦୧୧ରେ ଭାରତୀୟ ଦଳରେ ସରୋଜଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିଥିଲେ। ଏହାଛଡା ବାଲା ଆଇପିଏଲ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ୨୦୧୩ ମହିଳା ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦଳର ଭାର ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର