ଜାତୀୟ ଟି-୨୦ ମହିଳା ଦଳରେ ସ୍ଥାନ ପାଇଲେ ବାଲେଶ୍ୱରର ଝିଅ

ବାଲେଶ୍ୱର: ଓଡ଼ିଶାର ମହିଳା କ୍ରିକେଟ ତାରକା ଅଞ୍ଜଳି ସିଂ ଜାତୀୟ ମହିଳା ଟି-୨୦ କ୍ରିକେଟ ପାଇଁ ମନୋନୀତ ହୋଇ ସମଗ୍ର ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି। ବିସିସିଆଇ ଅଧୀନରେ ଅନୁଷ୍ଠିତ ହେଉଥିବା ୨୩ ବର୍ଷରୁ କମ୍‌ ବର୍ଗର ଟି-୨୦ ଚ୍ୟାଲେଞ୍ଜର ଟ୍ରଫି ନିମନ୍ତେ ‘ଇଣ୍ଡିଆ ରେଡ’ ଦଳରେ ସାମିଲ ହେବରେ ସେ ପ୍ରଥମ ବାଲେଶ୍ୱରର ଖେଳାଳି। କର୍ଣାଟକର ମହୀଶୂର ଠାରେ ଆସନ୍ତା ଅକ୍ଟୋବର ୪ ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି।

ତାଙ୍କର ଏହି ସଫଳତା ପାଇଁ ଅଞ୍ଜଳି ତାଙ୍କର କୋଚ ଜେସିଏ କ୍ରିକେଟ ଏକାଡେମିର ଜଗତ ଦାସ ଏବଂ ବାଲେଶ୍ୱର ଆଥଲେଟିକ ଆସୋସିଏସନର ସଂପାଦକ ଅଧୀପ ଦାସଙ୍କୁ ସେମାନଙ୍କର ମାର୍ଗଦର୍ଶନ ଓ ଅଭ୍ୟାସ ନିମନ୍ତେ ପରମିଟ ପଡିଆ ବ୍ୟବହାର କରିବାର ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

ବାଲେଶ୍ୱରର ବିର୍ଲା ଟାୟାର କଲୋନିରେ ଅବସ୍ଥାନ କରୁଥିବା ଅଞ୍ଜଳିଙ୍କ ମା’ ଏଠାରେ ଚାକିରି କରନ୍ତି। ଅଞ୍ଜଳିଙ୍କର ଏହି ସଫଳତାରେ ବାଲେଶ୍ୱରର କ୍ରୀଡାପ୍ରେମୀ ବିଶେଷ କରି କ୍ରିକେଟ ଖେଳାଳିମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଫକୀରମୋହନ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଯୁକ୍ତ ୩ ତୃତୀୟ ବର୍ଷ ଛାତ୍ରୀ ଅଞ୍ଚଳି ସିଂ ଓଡ଼ିଶା ୨୩ ବର୍ଷରୁ କମ ମହିଳା ଟି-୨୦ ଦଳର ଅଧିନାୟିକା ଭାବେ ଦାୟିତ୍ୱ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅଞ୍ଜଳିଙ୍କ ପ୍ରତିଭା ୫ମ ଶ୍ରେଣୀରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର