ବଲ୍‌ବନ୍ତଙ୍କ ହ୍ୟାଟ୍ରିକ୍‌: ଏଟିକେ ‌େସମିରେ

ଭୁବନେଶ୍ବର: ଅଗ୍ରଭାଗ ‌ଖେଳାଳି ବଲବନ୍ତ ସିଂହଙ୍କ ହ୍ୟାଟ୍ରିକ୍‌ରେ ଦିଲ୍ଲୀ ଡାଇନାମୋସକୁ ଦାବି ଏଟିକେ ଚଳିତ ସୁପର କପ୍‌ରେ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର୍‌ ଫାଇନାଲ୍‌ରେ ଏଟିକେ ୪-୩ ଗୋଲ୍‌ରେ ଦିଲ୍ଲୀ ଡାଇନାମୋସକୁ ପରାସ୍ତ କରି ଦେଇଛି। ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ମୋଟ ୫ ଗୋଲ୍‌ (ଏଟିକେ-୩, ଦିଲ୍ଲୀ-୨) ଦେଖିବାକୁ ମିଳିଥିଲା ବେଳେ ଦ୍ବିତୀୟାର୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଦିଲ୍ଲୀ ପରାଜୟ ବରଣ କରିଥିଲେ ମଧ୍ୟ ଗୋଲ୍‌ ଅମଳରୁ ଅଭିଯାନ ଆରମ୍ଭ କରିଥିଲା। ମ୍ୟାଚ୍‌ର ପଞ୍ଚଦଶ ମିନିଟ୍‌ରେ ଆଦ୍ରିଆ କାର୍ମୋନା ପେରେଜଙ୍କ ପାସ୍‌କୁ ମହମ୍ମଦ ସାଜିଦ ଧୋତ୍‌ ହେଡର୍‌ ଜରିଆରେ ଏଟିକେ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦେଇଥିଲେ। ଫଳରେ ଦିଲ୍ଲୀ ଆରମ୍ଭରୁ ୧-୦ରେ ଆଗୁଆ ହୋଇଯାଇଥିଲା। ହେଲେ ଏହି ଖୁସି ବେଶି ସମୟ ରହିନଥିଲା। ଏହାର ୮ ମିନିଟ୍‌ ପରେ ଦିଲ୍ଲୀର ଗୋଲ୍‌ ରକ୍ଷକକୁ ଚକ୍‌ମା ଦେଇ ଏଟିକେର ଅଗ୍ରଭାଗ ଖେଳାଳି ବଲବନ୍ତ ସିଂହ (୨୩ ମିନିଟ୍‌) ଗୋଲ୍‌ଟିକୁ ଶୁଝି ଦେଇଥିଲେ। ଏହାପରେ ଏଟିକେ ଅଧିନାୟକ ତଥା ସ୍ପେନ୍‌ ତାରକା ମାନୁଏଲ୍‌ ଲାଞ୍ଜାରୋଟେ ବ୍ରୁନୋ (୨୭ ମିନିଟ୍‌) ଜୟେଶ ଦିଲ୍ଲୀପ ରାଣେଙ୍କ ପାସ୍‌କୁ ଗୋଲ୍‌ରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଥିଲେ। ୩୪ ମିନିଟ୍‌ରେ ରା‌ଣେଙ୍କ ଆଉ ଏକ ସୁନ୍ଦର ପାସ୍‌କୁ ବଲବନ୍ତ ଦିଲ୍ଲୀର ଗୋଲ୍‌ପୋଷ୍ଟ୍‌କୁ ପଠାଇ ବ୍ୟକ୍ତିଗତ ଭାବେ ‌ଯୁଗଳ ସଫଳତା ପାଇଥିଲେ। ଏଟିକେ ୩-୧ରେ ଅଗୁଆ ହୋଇଯାଇଥିଲା। ୩୫ତମ ମିନିଟ୍‌ରେ ଦିଲ୍ଲୀ ପକ୍ଷରୁ ଡାନିଏଲ୍‌ ଲାଲଲିମ୍ପୁଇଆ ଗୋଟି‌ଏ ଗୋଲ୍‌ ଶୁଝି ସ୍ଥିତି ୨-୩ କରିଦେଇଥିଲେ। ଦ୍ବିତୀୟାର୍ଧ‌ର ଷଷ୍ଠ ମିନିଟ୍‌ରେ ରାଣେ ପୁଣି ଏକ ଗୋଲ୍‌ର ଅଂଶୀଦାର ହୋଇଥିଲେ। ରାଣେଙ୍କ ଏକ ପାସ୍‌କୁ ବଲବନ୍ତ (୫୧ ମିନିଟ୍‌) ଗୋଲ୍‌ ଦେଇ ହ୍ୟାଟ୍ରିକ ସଫଳତା ସାଉଁଟି ନେଇଥିଲେ। ଏଥିସହ ଗୋଲ୍‌ ବଳରେ ଏଟିକେ ୪-୨ରେ ଅଗ୍ରଣୀ ହୋଇଯାଇଥିଲା। ଏହା ପରେ ଦିଲ୍ଲୀ ମଧ୍ୟ ଆକ୍ରମଣ ଜାରି ରଖି ୭୨ତମ ମିନିଟ୍‌ରେ ସଫଳତା ପାଇଥିଲା। ଏହାର ମଧ୍ୟଭାଗ ଖେଳାଳି ନନ୍ଦକୁମାର (୭୨ ମିନିଟ୍‌) ଆଉ ଏକ ଗୋଲ୍‌ ଶୁଝାଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ପରାଜୟ ସହ ଦିଲ୍ଲୀ ‌ପ୍ରତିଯୋଗିତାରୁ ବିଦୟ ‌ନେଇଥିଲା। ହ୍ୟାଟ୍ରିକ୍‌ ହାସଲ କରିଥିବା ବଲବନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

୧୫ ମିନିଟ୍‌ ଖେଳିଲେ ଶୁଭମ
ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ଦିଲ୍ଲୀ ଡାଇନାମୋସ ଦଳରେ ସ୍ଥାନ ପାଇଥିବା ଶୁଭମ ଷଡ଼ଙ୍ଗୀ ମାତ୍ର ୧୫ ମିନିଟ୍‌ ‌ଖେଳିବାର ସୁଯାଗ ପାଇଥିଲେ। ଏଟିକେ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ଏକାଦଶରେ ସ୍ଥାନ ପାଇ ନଥିଲେ ଶୁଭମ। ହେଲେ ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମରେ ଖେଳିବାର ଆଶା ମରିନଥିଲା। ସେ ଦ୍ବିତୀୟାର୍ଧରେ ମହମ୍ମଦ ସାଜିଦ ଧୋତ (୭୫ତମ ମିନିଟ୍‌)ଙ୍କ ବଦଳ ଖେଳାଳି ଭାବେ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ଏହି ୧୫ ମିନିଟ୍‌ର ସେ ସ୍ଥାନୀୟ ଦର୍ଶକଙ୍କ ମନ ଜିଣି ନେଇଥିଲେ।

ସମ୍ବନ୍ଧିତ ଖବର