ଏବି ବର୍ଷଣରେ ବାଙ୍ଗାଲୋର୍‌ ବିଜୟୀ

ବେଙ୍ଗାଲୁରୁ: ଏବି ଡି’ଭିଲିୟର୍ସଙ୍କ ରନ୍‌ ବର୍ଷା ପାଳି କାରଣରୁ ବାଙ୍ଗାଲୋର୍‌ ଏହାର ପରାଜୟ ଧାରାକୁ ରୋକିପାରିଛି। ଶନିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୬ ଓ୍ଵିକେଟ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍‌ସକୁ ପରାସ୍ତ କରି ପଞ୍ଚମ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଗୌତମ ଗମ୍ଭୀରଙ୍କ ଦିଲ୍ଲୀ ଦଳ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସ ପାଓ୍ଵାର ପ୍ଲେ’ ଭିତରେ ୨ ଓ୍ଵିକେଟ୍‌ ହରାଇ ମାତ୍ର ୨୮ ରନ୍‌ କରିଥିଲା। ଜାସନ୍‌ ରୟ ଏବଂ ଗୌତମ ଗମ୍ଭୀରଙ୍କୁ ଯଥାକ୍ରମେ ୟୁଜବେନ୍ଦ୍ର ଚହଲ ଓ ଉମେଶ ଯାଦବ ଜମିବାକୁ ଦେଇନଥିଲେ। ଏହା ପରେ କିନ୍ତୁ ଦିଲ୍ଲୀ ଏକ ଚମତ୍କାର ଭାଗୀଦାରି ପାଇଥିଲା। ଶ୍ରେୟସ ଆୟର (୫୨, ୩୧ ବଲ୍‌, ୪ ଚୌକା, ୩ ଛକା) ଏବଂ ଯୁବ ତାରକା ଋଷବ ପନ୍ତ (୮୫, ୪୮ ବଲ୍‌, ୬ ଚୌକା, ୭ ଛକା) ୮ .୧ ଓଭରରେ ୭୫ ରନ୍‌ ଯୋଡ଼ି ନେଇଥିଲେ। ଏହା ପରେ ମ୍ୟାକ୍ସେଓ୍ଵଲ୍‌ (୪)ଙ୍କ ରିଭର୍ସ ସୁଇପ୍‌ ବିଫଳତା କାରଣରୁ ଚହଲଙ୍କୁ ଦ୍ୱିତୀୟ ଓ୍ଵିକେଟ୍‌ ମିଳିଥିଲା। ଦିଲ୍ଲୀ ୧୭୪/୫ରେ ସୀମିତ ରହିଥିଲା। ଜବାବରେ ବାଙ୍ଗାଲୋର୍‌ ମଧ୍ୟ ପାଓ୍ଵାର ପ୍ଲେ’ ୬ ଓଭର ଭିତରେ ୨ ଓ୍ଵିକେଟ୍‌ ହରାଇଥିଲା। କ୍ୱିଣ୍ଟନ୍‌ ଡି’କକ୍‌ (୧୮) ଏବଂ ମନନ ଭୋରା (୨) ଭଲ ଆରମ୍ଭ ଦେଇପାରିନଥିଲେ। ଏହା ପରେ କିନ୍ତୁ ବିଶ୍ୱ କ୍ରିକେଟ୍‌ର ଦୁଇ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଏବି ଡି’ଭିଲିୟର୍ସ ଏବଂ ବିରାଟ କୋହଲି ଅର୍ଧଶତକୀୟ ଭାଗୀଦାରି କରି ବାଙ୍ଗାଲୋର୍‌କୁ ଆଗକୁ ନେଇଥିଲେ। କୋହଲି (୩୦, ୨୬ ବଲ୍‌, ୨ ଚୌକା, ୧ ଛକା)ଙ୍କୁ ତାଙ୍କ ଦଳର ପୂର୍ବତନ ଦ୍ରୁତ ବୋଲର ହର୍ଷଲ ପଟେଲ୍‌ ଆଉଟ୍‌ କରିଥିଲେ। କିନ୍ତୁ ୨୪ ବଲ୍‌ରୁ ଅର୍ଧଶତକ ହାସଲ କରିଥିବା ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରଣ (୯୦*, ୩୯ ବଲ୍‌, ୧୦ ଚୌକା, ୫ ଛକା) ବାଙ୍ଗାଲୋର୍‌କୁ ୨ ଓଭର ପୂର୍ବରୁ ବିଜୟୀ କରାଇଥିଲା। ମନଦୀପ ସିଂହ (୧୭*, ୯ ବଲ୍‌, ୧ ଚୌକା, ୧ ଛକା)ଙ୍କ ଦ୍ରୁତ ପାଳି କାରଣରୁ ଏବି ଡି’ଭିିଲିୟର୍ସ ଶତକରୁ ବଞ୍ଚିତ ହୋଇଥିଲେ। ଲଗାତାର ତୃତୀୟ ଦିବସରେ ଆଇପିଏଲ୍‌ ଶତକ ଦେଖିବାରୁ ଦର୍ଶକ ମଧ୍ୟ ବଞ୍ଚିତ ହୋଇଥିଲେ। ଡିଭିଲିୟର୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଡିଲ୍ଲୀ ଡେୟାର୍‌ ଡେଭିଲ୍‌ସ: ୨୦ ଓଭରରେ ୧୭୪/୫ (ରିଷବ ପନ୍ତ-୮୫, ଶ୍ରେୟସ ଆୟର୍‌-୫୨, ୟୁଜବେନ୍ଦ୍ର ଚହଲ୍‌-୨/୨୨, କୋରେ ଆଣ୍ଡର୍‌ସନ୍‌-୧/୧୦, ଉମେଶ ଯାଦବ-୧/୨୭, ଓ୍ଵାସିଂଟନ୍‌ ସୁନ୍ଦର-୧/୩୧)। ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌: ୧୮ ଓଭରରେ ୧୭୬/୪ (ଏବି ଡି’ଭିଲିୟର୍ସ-୯୦*, ବିରାଟ କୋହଲି-୩୦, ମନ୍‌ଦୀପ ସିଂହ-୧୭*, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌-୧/୧୩, ଟ୍ରେଣ୍ଟ୍‌ ବୋଲ୍‌ଟ-୧/୩୩, ହର୍ଷଲ ପଟେଲ୍‌-୧/୩୩)।

ସମ୍ବନ୍ଧିତ ଖବର