ଖାତା ଖୋଲିଲା ବାଙ୍ଗାଲୋର

ମୋହାଲି: ଶନିବାର ଆଇପିଏଲ୍‌ର ୨୮ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳର ଭାଗ୍ୟ ଉଦୟ ହୋଇଛି। କିଙ୍ଗସ ଏକାଦଶ ପଞ୍ଜାବକୁ ୮ ୱିକେଟ୍‌ ବ୍ୟବଧାନରେ ହରାଇ ଆରସିବି ସପ୍ତମ ମ୍ୟାଚ୍‌ରୁ ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଘରୋଇ ମାଟି‌ରେ ଚଳିତ ଋତୁର ପ୍ରଥମ ପରାଜୟ ସହିତ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଦଳ ୮ ମ୍ୟାଚ୍‌ରୁ ୮ ପଏଣ୍ଟରେ ସୀମିତ ରହିଛି।  ଟସ୍ ହାରି ପ୍ରଥମେ ପାଇଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ବେଶ ସତର୍କତାର ସହ ଆରମ୍ଭ କରିଥିଲା। ଗେଲ୍‌ ନିଜ ପ୍ରଥମ ୧୦ ବଲରୁ ୬ ରନ୍ କରିବା ପରେ ବ୍ୟାଟିଂ ଗିୟର୍ ବଦଳାଇ ଥିଲେ। ୨୮ ବଲରୁ ଅର୍ଧଶତକ ହାସଲ କରି ନେଇଥିଲେ। ଏହା ମଧ୍ୟରେ ସେ ମହମ୍ମଦ ସିରାଜଙ୍କ ଗୋଟିଏ ଓଭରରୁ ୨୪ ରନ୍ (୪, ୬, ୪, ୦, ୬, ୪) ଆଦାୟ କରିଥିଲେ। ଏହା ପରେ କିନ୍ତୁ ଗେଲ୍‌ କ୍ଲାନ୍ତ ଥିବା ଭଳି ‌ଖେଳି ଶତକ ସୁଯୋଗ ହାତଛଡ଼ା କରିଥିଲେ। ମାତ୍ର ଗୋଟିଏ ରନ୍ କରିପାରିଥିଲେ ଆଇପିଏଲ୍‌ରେ ସପ୍ତମ ଶତକ ହାସଲ କରିଥାନ୍ତେ। ଗେଲ୍ କିନ୍ତୁ ନିଜ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଜୀବନରେ ୧୦୦ତମ ଅର୍ଧଶତକ (୯୯*, ୬୪ ବଲ୍‌, ୧୦ ଚୌକା, ୫ ଛକା) ଅର୍ଜନ କରିଥିଲେ। ଗେଲ୍‌ଙ୍କ ସହିତ ମଧ୍ୟ କୌଣସି କିଙ୍ଗସ ବ୍ୟାଟସମ୍ୟାନ୍‌ ଭଲ ଭାଗୀଦାରି କରିପାରିନଥିଲେ। ଲୋକେଶ ରାହୁଲ (୧୮, ୧୫ ବଲ୍‌), ମୟଙ୍କ ଅଗ୍ରୱାଲ (୧୫, ୯ ବଲ୍‌), ସର୍ଫରାଜ ଖାନ୍‌ (୧୫, ୧୩ ବଲ୍‌) ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲେ। ରାହୁଲ ଏବଂ ମନଦୀପ୍ ସିଂହ (୧୮*, ୧୬ ବଲ୍‌)ଙ୍କ ସହିତ ଗେଲ୍ ଯଥାକ୍ରମେ ପ୍ରଥମ ଓ ପଞ୍ଚମ ୱିକେଟ୍‌ ପାଇଁ ୬୬ (୬.୨ ଓଭର) ଏବଂ ୬୦ ରନ୍ (୬.୧ ଓଭର) ଯୋଡ଼ିଥିଲେ। ୟୁଜବେନ୍ଦ୍ର ଚହଲ (୨/୩୩) କିନ୍ତୁ ପୁଣି ଥରେ ଆର୍‌ସିବିର ସଫଳ ବୋଲର ଥିଲେ।

ଜବାବରେ ବାଙ୍ଗାଲୋର ପ୍ରଥମରୁ ପାର୍ଥିବ ପଟେଲ (୧୯, ୯ ବଲ୍‌, ୪‌ ଚୌକା)ଙ୍କୁ ହରାଇଥିଲା। ଏହା ପରେ କିନ୍ତୁ ଦଳର ଦୁଇ ନିର୍ଭରଯୋଗ୍ୟ ଖେଳାଳି ବିରାଟ କୋହଲି (୬୭, ୫୩ ବଲ୍‌, ୮ ଚୌକା) ଏବଂ ଏବି ଡି’ଭିଲିୟର୍ସ (୫୯*, ୩୮ ବଲ୍‌, ୫ ‌େଚୗକା, ୨ ଛକା) ୮୫ ରନ୍‌ ଭାଗୀଦାରି କରିବାରୁ ଦଳ ବିଜୟ ମୁହାଁ ହୋଇଥିଲା। କୋହଲିଙ୍କୁ ମହମ୍ମଦ ସାମି ଆଉଟ୍ କରିବା ପରେ ମାର୍କସ ଷ୍ଟୋଇନିସ୍ (୨୮*, ୧୬ ବଲ୍‌, ୪ ଚୌକା) ଦଳକୁ ୪ ବଲ୍‌ ପୂର୍ବରୁ ୮ ୱିକେଟ୍‌ରେ ଜିତାଇ ଦେଇଥିଲେ। ଏବି ଡିଭିଲିୟର୍ସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର: କିଙ୍ଗସ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୧୭୩/୪ (କ୍ରିସ୍ ଗେଲ୍-୯୯*, ୟୁଜବେନ୍ଦ୍ର ଚହଲ-୨/୩୩, ମୋଇନ୍ ଅଲୀ-୧/୧୯, ମହମ୍ମଦ ସିରାଜ-୧/୫୪)। ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ୧୯.୨ ଓଭରରେ ୧୭୪/୨ (ବିରାଟ କୋହଲି-୬୭, ଏବି ଡି’ଭିଲିୟର୍ସ-୫୯*, ମାର୍କସ ଷ୍ଟୋଇନିସ୍-୨୮*, ଆର୍ ଅଶ୍ବିନ-୧/୩୦, ମହମ୍ମଦ ସାମି-୧/୪୩)।

ସମ୍ବନ୍ଧିତ ଖବର