ବାଙ୍ଗାଲୋର ୧୦ ଓ୍ଵିକେଟ୍‌ରେ ଜିତିଲା

ଇନ୍ଦୋର: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ପ୍ଲେ ଅଫ୍‌ ଅଭିଯାନ ସୋମବାର ନାଟକୀୟ ମୋଡ଼ ନେଇଛି। ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରି କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୧.୫ ଓଭର ପୂର୍ବରୁ ଏବଂ ୧୦ ଓ୍ଵିକେଟ୍‌ରେ ହରାଇ ଆର୍‌ସିବି ଆଜି କେବଳ ମହତ୍ୱପୂର୍ଣ୍ଣ ବିଜୟ ହାସଲ କରିନି ରନ୍‌ ହାରକୁ ମଧ୍ୟ ଯଥେଷ୍ଟ ବଢ଼ାଇ ଦେଇଛି। ଫଳରେ ନିଜ ପ୍ଲେ ଅଫ୍‌ ଦାବିଦାରିକୁ ଆହୁରି ସୁଦୃଢ଼ କରି ପାରିଛି। ସେପଟେ ଲଜ୍ଜାଜନକ ବ୍ୟାଟିଂ କରି ପଞ୍ଜାବ ନିଜ ଗୋଡ଼କୁ ନିଜେ ହାଣିଛି। ଶୋଚନୀୟ ପରାଜୟ ସହ ତୃତୀୟରୁ ପଞ୍ଚମକୁ ଖସି ଯାଇଛି। ଏହି ଦଳ ଅବଶ୍ୟ ଏବେବି ପ୍ଲେ ଅଫ୍‌ ଦୌଡ଼ରେ ରହିଛି। ହେଲେ ସୋମବାର ଏହି ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାର ସୁଯୋଗ ହରାଇଛି। ପଞ୍ଜାବ ଆଜି ଦ୍ୱାଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଛି। ସେଥିପାଇଁ ପଞ୍ଚମ ବିଜୟ ପାଇଥିବା ଆରସିବି ସହ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଲାଭବାନ ହୋଇଛନ୍ତି। ଉଭୟ ନିଜ ନିଜର ବଳକା ଦୁଇଟି ମ୍ୟାଚ୍‌ ଜିତି ପାରିଲେ ପ୍ଲେ ଅଫ୍‌କୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
କ୍ରିସ୍‌ ଗେଲ୍‌ ଓ ଲୋକେଶ ରାହୁଲଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଥିବା ପଞ୍ଜାବ ଆଇପିଏଲ୍‌-୧୧ର ୪୮ତମ ମ୍ୟାଚ୍‌ରେ ଆଜି ଅତ୍ୟନ୍ତ ଦୟନୀୟ ବ୍ୟାଟିଂ କରି ମାତ୍ର ୮୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଆରସିବି ବିନା କ୍ଷତିରେ ୮.୧ ଓଭରରେ ହାସଲ କରି ନେଇଥିଲା। ଅଧିନାୟକ ବିରାଟ କୋହଲି (୪୮* ରନ୍‌, ୨୮ ବଲ୍‌, ୬ ଚୌକା, ୨ ଛକା) ଓ ଓ୍ଵିକେଟ୍‌ ରକ୍ଷକ ପାର୍ଥିବ ପଟେଲ (୪୦ ରନ୍‌, ୨୨ ବଲ୍‌, ୭ ଚୌକା) ପଞ୍ଜାବ ବୋଲରଙ୍କୁ ନିର୍ଧୁମ ଧୂଲେଇ କରି ଆର୍‌ସିବିକୁ ଚଳିତ ଋତୁର ସବୁଠୁ ବଡ଼ ବିଜୟ ଉପହାର ଦେଇଥିଲେ। ଅଙ୍କିତ ରାଜପୁତଙ୍କ ନୋ’ ବଲ୍‌ରୁ ମିଳିଥିବା ଫ୍ରି ହିଟ୍‌କୁ ଚୌକା ମାରି କୋହଲି ବିଜୟ ମୁଣ୍ଡି ମାରିଥିଲେ। ତା’ ସହ ଆରସିବିର ରନ୍‌ ହାର ବିଯୁକ୍ତରୁ ଯୁକ୍ତରେ ପହଞ୍ଚି ଯାଇଥିଲା। ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ଆଶ୍ଚର୍ଯ୍ୟଜନକ ଭାବେ ଆର୍‌ସିବି ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଶକ୍ତିଶାଳୀ ବ୍ୟାଟିଂକ୍ରମ ସତ୍ତ୍ୱେ ୧୫.୧ ଓଭରରେ ମାତ୍ର ୮୮ ରନ୍‌ କରି ଅଲଆଉଟ୍‌ ହୋଇ ଯାଇଥିଲା। ୨୩ ରନ୍‌ରେ ୩ ଓ୍ଵିକେଟ୍‌ ନେଇ ଥିବା ଉମେଶ ଯାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୧୫.୧ ଓଭରରେ ୮୮ (ଆରୋନ ଫିଞ୍ଚ ୨୬, ଲୋକେଶ ରାହୁଲ ୨୧, କ୍ରିସ୍‌ ଗେଲ୍‌ ୧୮, ଉମେଶ ଯାଦବ ୩/୨୩, ୟୁଜବେନ୍ଦ୍ର ଚହଲ ୧/୬)। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮.୧ ଓଭରରେ ୯୨/୦ (ବିରାଟ କୋହଲି ୪୮*, ପାର୍ଥିବ ପଟେଲ ୪୦*)।

ସମ୍ବନ୍ଧିତ ଖବର