ମାହମୁଦୁଲ୍ଲାଙ୍କ ଶତକ ପରେ ସ୍ପିନରଙ୍କ କମାଲ୍‌

ବାଂଲାଦେଶ ୫୦୮: ୱେଷ୍ଟଇଣ୍ଡିଜ୍‌ ୭୫/୫

ଢାକା: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ପାଳିରେ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍‌ନା କରିଛି। ମାହମୁଦୁଲ୍ଲା (୧୩୬)ଙ୍କ ଚିତାକର୍ଷକ ଶତକ, ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ (୮୦) ଓ ଲିଟନ୍‌ ଦାସ (୫୪)ଙ୍କ ଅର୍ଧଶତକ ପରେ ସ୍ପିନରଙ୍କ କମାଲ୍‌ ୱେଷ୍ଟଇଣ୍ଡିଜ୍‌ର ବିପର୍ଯ୍ୟୟ ଘଟାଇଛି। ବାଂଲାଦେଶ ପ୍ରଥମ ପାଳିରେ ୫୦୮ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିବା ପରେ ସାକିବ୍‌ (୨/୧୫) ଓ ମେହେଦି ହାସନ୍‌ ମିରାଜ୍‌ (୩/୩୬)ଙ୍କ ସ୍ପିନ୍‌ ଯାଦୁରେ ବଶୀଭୂତ ହୋଇ ୱେଷ୍ଟଇଣ୍ଡିଜ୍‌ ୭୫ ରନ୍‌ରେ ଆଗଧାଡ଼ିର ୫ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ସାରିଛି। ଏଥି ସହିତ ହାତରେ ୫ ୱିକେଟ୍‌ ଥିଲେ ମଧ୍ୟ ଭ୍ରମଣକାରୀ ଦଳ ୪୩୩ ରନ୍‌ ପଛରେ ରହିଛି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସାଦ୍‌ମନ ଇସ୍‌ଲାମ (୭୬) ଓ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ (୫୫)ଙ୍କ ଅପରାଜିତ ଅର୍ଧଶତକ ବଳରେ ପ୍ରଥମ ଦିବସରେ ୨୫୯/୫ କରିଥିବା ବାଂଲାଦେଶ ଶନିବାର ଦ୍ବିତୀୟ ଦିବସରେ ଅବଶିଷ୍ଟ ୫ ୱିକେଟ୍‌ ହରାଇବା ପୂର୍ବରୁ ୨୪୯ ରନ୍‌ ଯୋଡ଼ିଥିଲା। ନିମ୍ନକ୍ରମରେ ତାଇଜୁଲ୍‌ ଇସ୍‌ଲାମ ୨୬, ମେହେଦି ହାସନ୍‌ ମିରାଜ୍‌ ୧୮ ଓ ନୟିମ୍‌ ହାସନ୍‌ ଅପରାଜିତ ୧୨ ରନ୍‌ କରି ମାହମୁଦୁଲ୍ଲାଙ୍କୁ ଭଲ ସାଥୀ ଦେଇଥିଲେ। ମାହମୁଦୁଲ୍ଲା ଶେଷ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‌ର ସଫଳ ବୋଲର ଭାବେ କେମାର ରୋଚ୍‌, ଜୋମେଲ୍‌ ୱାରିକାନ୍‌, ଦେବେନ୍ଦ୍ର ବିଶୁ ଓ ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ୍‌ ୨ ଲେଖାଏଁ ୱି‌‌କେଟ୍‌ ପାଇଥିଲେ। ଜବାବରେ ସ୍ପିନ୍‌ ଆକ୍ରମଣରୁ ବାଂଲାଦେଶ ବୋଲିଂ ଆରମ୍ଭ କରିଥିଲା। ସାକିବ୍‌ ଅଲ୍‌ ହାସନ୍‌ ଓ ମେହେଦି ହାସନ୍‌ ମିରାଜ୍‌ଙ୍କ ପ୍ରାରମ୍ଭିକ ବୋଲିଂ ଆକ୍ରମଣରୁ ତ୍ରାହି ପାଇନଥିଲେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌। ପ୍ରଥମ ଓଭରର ଶେଷ ବଲ୍‌ରୁ ୱିକେଟ୍‌ ପତନ ଆରମ୍ଭ ହୋଇଥିଲା ‌ବେଳେ ୧୨ ଓଭର ଶେଷ ବଲ୍‌ ବେଳକୁ ପ୍ରଥମରୁ ୫ ଜଣ ବ୍ୟାଟ୍‌ସମ୍ୟାନ୍‌ ପାଭିଲିୟନ୍‌ ରାସ୍ତା ଦେଖି ସାରିଥିଲେ। ଆଉଟ୍‌ ହୋଇଥିବା ୫ ଜଣଙ୍କ ମଧ୍ୟରୁ କେବଳ ସାଇ ହୋପ୍‌ (୧୦)ଙ୍କୁ ଛାଡ଼ିଦେଲେ ଆଉ କେହି ଦୁଇ ଅଙ୍କ ଛୁଇଁନଥିଲେ। ଦଳୀୟ ସ୍କୋର୍‌ ୨୯ ବେ‌ଳକୁ ପଞ୍ଚମ ୱିକେଟ୍‌ର ପତନ ଘଟିଥିଲା ବେଳେ ସିମ୍ରନ୍‌ ହେଟ୍‌ମେୟର (୩୨) ଓ ସେନ୍‌ ଡୌରିକ୍‌ (୧୭) ଅପରାଜିତ ରହି ପାଳି ସଜାଡ଼ିବାରେ ଲାଗିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି: ୧୫୪ ଓଭରରେ ୫୦୮ (ସାଦ୍‌ମନ୍‌ ଇସ୍‌ଲାମ-୭୬, ସାକିବ୍‌ ଅଲ୍‌ ହାସନ୍‌-୮୦, ମାହମୁଦୁଲ୍ଲା-୧୩୬, ଲିଟନ୍‌ ଦାସ-୫୪, ଦେବେନ୍ଦ୍ର ବିଶୁ-୨/୧୦୯, ଜୋମେଲ୍‌ ୱାରିକାନ୍‌-୨/୯୧, କେମାରା ରୋଚ୍‌-୨/୬୧, କ୍ରେଗ୍‌ ବ୍ରାଥ୍‌ୱେଟ୍‌-୨/୫୭)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୪ ଓଭରରେ ୭୫/୫ (ସିମ୍ରନ୍‌ ହେଟ୍‌ମେୟର-୩୨*, ସେନ୍‌ ଡୌରିକ୍‌-୧୭*, ମେହେଦି ହାସନ୍‌ ମିରାଜ୍‌-୩/୩୬, ସାକିବ୍‌ ଅଲ୍‌ ହାସନ୍‌-୨/୧୫)।

ସମ୍ବନ୍ଧିତ ଖବର