ବାଂଲାଦେଶର ପ୍ରଥମ ପାଳି ବିଜୟ, ବିଶ୍ବ କୀର୍ତିମାନ: ସ୍ପିନର ନେଲେ ୪୦ ୱିକେଟ୍‌

ମିରାଜ୍‌ଙ୍କୁ ୧୨ ୱିକେଟ୍‌; ୱେଷ୍ଟଇଣ୍ଡିଜ୍‌ ପାଳି ଓ ୧୮୪ ରନ୍‌ରେ ପରାସ୍ତ, ବାଂଲାଦେଶ ୨-୦ରେ ଶୃଙ୍ଖଳା ପୋଛିନେଲା

ଢାକା: ଏଠାରେ ଚାଲିଥିବା ବାଂଲାଦେଶ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ତିନି ଦିନ ଭିତରେ ଶେଷ ହୋଇଗଲା। ପ୍ରଥମ ଦେଢ଼ ଦିନ ବ୍ୟାଟିଂ କରି ୫୦୮ ରନ୍‌ର ବିଶାଳ ସ୍କୋର୍‌ ଛିଡ଼ା କରିବା ପରେ ବାଂଲାଦେଶ ବୋଲରମାନେ ଅବଶିଷ୍ଟ ଦେଢ ଦିନ ଭିତରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳର ୨୦ ୱିକେଟ୍‌ (ଉଭୟ ପାଳି) ୩୨୪ ରନ୍‌ରେ ଅକ୍ତିଆର କରିନେଇଥିଲେ। ବିଶେଷକରି ସ୍ପିନର ମେହେଦି ହାସନ୍‌ ମିରାଜ୍‌ ଏହି ଟେଷ୍ଟ୍‌ରେ ୧୨ (ପ୍ରଥମ ପାଳି‌ରେ ୭ ଓ ଦ୍ବିତୀୟ ପାଳିରେ ୫) ୱିକେଟ୍‌ ଦଖଲ କରି ବାଂଲାଦେଶକୁ ପ୍ରଥମ ଥର ପାଇଁ ପାଳି ବିଜୟ ଭେଟି ଦେଇଥିଲେ। ଘରୋଇ ଦଳ ଏହି ଟେଷ୍ଟ୍‌କୁ ଏକ ପାଳି ଓ ୧୮୪ ରନ୍‌ର ବିଜୟ ଭେଟି ଦେଇଥିଲେ। ରବିବାର ତୃତୀୟ ଦିବସରେ ବାଂଲା ବୋଲରମାନେ ୭୨ ଓଭର ମଧ୍ୟରେ ୨୪୯ ରନ୍‌ ବ୍ୟୟ କରି ଇଣ୍ଡିଜ୍‌ର ୧୫ ୱିକେଟ୍‌ ଝଡ଼ାଇ ଦେଇଥିଲେ। ଫଳରେ ଦ୍ବିତୀୟ ଦିବସ ଶେଷରେ ୭୫/୫ କରିଥିବା ୱେଷ୍ଟ୍‌ଇଣ୍ଡିଜ୍‌ ଦଳ ରବିବାର ୧୧୧ ରନ୍‌ରେ ପ୍ରଥମ ପାଳି ଶେଷ କରିବା ପରେ ଦ୍ବିତୀୟ ପାଳିରେ ୨୧୩ ରନ୍‌ କରିପାରିଥିଲା। ପ୍ରଥମ ପାଳିରେ ୫୮ ରନ୍‌ରେ ୭ ୱିକେଟ୍‌ ଅକ୍ତିଆର କରିଥିବା ମିରାଜ୍‌ ଦ୍ବିତୀୟ ପାଳିରେ ୫୯ ରନ୍‌ରେ ୫ ୱିକେଟ୍‌ ପାଇଥିଲେ। ଏଥି ସହିତ ବାଂଲାଦେଶ ମଧ୍ୟ ୨-୦ରେ ଶୃଙ୍ଖଳା ପୋଛିନେଲା। ପ୍ରାୟ ୫ ମାସ ତଳେ ଘରୋଇ ମାଟିରେ ୱେଷ୍ଟ୍‌ଇଣ୍ଡିଜ୍‌ ୨-୦ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଆଉ ବାଂଲାଦେଶ ମଧ୍ୟ ଅନୁରୂପ ଭାବେ ଘରୋଇ ମାଟିରେ ୨-୦ ବିଜୟ ସହ ମଧୁର ପ୍ରତିଶୋଧ ନେଇଗଲା। ମିରାଜ୍‌ ଦ୍ବିତୀୟ ଟେଷ୍ଟ୍‌ର ଏବଂ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେ। ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ପାଳି ବିଜୟ ପାଇଥିବା ବାଂଲାଦେଶର ଏହା ପୂର୍ବରୁ ଶ୍ରେଷ୍ଠ ସଫଳତା ଥିଲା ଜିମ୍ବାୱେ ବିପକ୍ଷ (୨୦୦୫) ୨୨୬ ରନ୍‌ର ବିଜୟ। ଅନ୍ୟପକ୍ଷରେ ଏକ ପାଳି ଓ ୧୮୪ରୁ ଅଧିକ ରନ୍‌ ବ୍ୟବଧାନରେ ୱେଷ୍ଟ୍‌ଇଣ୍ଡିଜ୍‌ ସପ୍ତମ ଥର ପାଇଁ ପରାଜୟ ବରଣ କଲା।

ଏହି ଶୃଙ୍ଖଳାରେ ପ୍ରତିପକ୍ଷର ମୋଟ ୪୦ ଯାକ ୱିକେଟ୍‌ ଅକ୍ତିଆର କରି ବାଂଲାଦେଶ ସ୍ପିନର ମଧ୍ୟ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ସେଥି ମଧ୍ୟରୁ ମିରାଜ୍‌ ୧୫, ସାକିବ୍‌ ୯, ତାଇଜୁଲ୍‌ ଇସ୍‌ଲାମ୍‌ ୧୦ ଓ ନୟିମ୍‌ ହାସନ୍‌ ୬ ୱିକେଟ୍‌ ଅକ୍ତିଆର କରିଥିଲେ। କୌଣସି ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସ୍ପିନରମାନେ ପ୍ରତିପକ୍ଷର ୪୦ ୱିକେଟ୍‌ ଦଖଲ କରିବା ଦେଖାଯାଇଥିଲା। ଏହା ପୂର୍ବରୁ ସେହି ବାଂଲାଦେଶର ସ୍ପିନରମାନେ ମଧ୍ୟ ୨୦୧୬ ଇଂଲଣ୍ଡ୍‌ ବିପକ୍ଷ ଶୃଙ୍ଖଳାରେ ୩୮ ୱିକେଟ୍‌ ଅକ୍ତିଆର କରି କୀର୍ତିମାନ ନିଜ ନାମରେ ରଖିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି: ୫୦୮। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୩୬.୪ ଓଭରରେ ୧୧୧ (ସିମ୍ରନ୍‌ ହେଟ୍‌ମେୟର-୩୯, ସେନ୍‌ ଡୌରିକ୍‌-୩୭, ମେହେଦି ହାସନ୍‌ ମିରାଜ୍‌-୭/୫୮, ସାକିବ୍‌ ଅଲ୍‌ ହାସନ୍‌-୩/୨୭)। ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ପାଳି: ୫୯.୨ ଓଭରରେ ୨୧୩ (ସିମ୍ରନ୍‌ ହେଟ୍‌ମେୟର-୯୩, କେମାର ରୋଚ୍‌-୩୭, ସାଇହୋପ୍‌-୨୫, ମେହେଦି ହାସନ୍‌ ମିରାଜ୍‌-୫/୫୯, ତାଇଜୁଲ୍‌ ଇସ୍‌ଲାମ-୩/୪୦)।

ସମ୍ବନ୍ଧିତ ଖବର