ବାରବାଟୀ ଦିନିକିଆ ଆଉ ୧୧ ଦିନ: ଖୋଲିବ ୧୨ ଟିକଟ୍‌ କାଉଣ୍ଟର୍‌, ପରିଚୟ ପତ୍ର ବାଧ୍ୟତାମୂଳକ

ଖେଳାଳି ଆସିବେ ୧୯ରେ, ଅଭ୍ୟାସ ୨୦ ଓ ୨୧ରେ

କଟକ: ଏଥର ତିନିଟି କାଉଣ୍ଟର ପରିବର୍ତ୍ତେ ୧୨ କାଉଣ୍ଟରରେ ମିଳିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଟିକଟ୍‌। ପୁରୁଣା କାଉଣ୍ଟର୍‌ ପାଖରେ ଛୋଟଛୋଟ କାଉଣ୍ଟର୍‌ ଖୋଲାଯାଇ ଟିକଟ୍‌ ବିକ୍ରି କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଥମ ଥର ଏଭଳି ବ୍ୟବସ୍ଥା କରାଯାଉଥିବା ଓସିଏ ସମ୍ପାଦକ ସ˚ଜୟ ବେହେରା ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍‌ଲାଇନ୍‌ ଟିକଟ୍‌ ବିକ୍ରି ବେଳେ ମ୍ୟାଚ୍‌ ପ୍ରତି ଦର୍ଶକଙ୍କ ଚାହିଦା ବାରି ହୋଇପଡ଼ୁଥିଲା। ଭାରତ ମଧ୍ୟ ଏବେ ଯେଉଁ ଫର୍ମରେ ଗତି କରୁଛି, ବାରବାଟୀରେ ଦର୍ଶକମାନେ ଭରପୁର ମନୋର˚ଜନ ପାଇପାରିବେ। ଏଥିପାଇଁ ଏବେ ଟିକଟ୍‌ର ଚାହିଦା ବଢ଼ୁଥିବାରୁ ଦର୍ଶକମାନେ ଯେପରି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ରହୁଥିଲେ। ଏଥର ଆଉ ସେ ସମସ୍ୟା ରହିବନି। କିନ୍ତୁ ଦର୍ଶକମାନଙ୍କୁ ଟିକଟ୍‌ କିଣିବା ବେଳେ ନିଜର ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ବିନା କୌଣସି ପରିଚୟ ପତ୍ରରେ କାହାରିକୁ ବି ଟିକଟ୍‌ ଦିଆଯାଇପାରିବନି। ଏଥିସହିତ ଜଣେ ଦର୍ଶକ ସର୍ବାଧିକ ଦୁଇଟି ଟିକଟ୍‌ କିଣିପାରିବ ବୋଲି ସ˚ଜୟ ଅବଗତ କରାଇଛନ୍ତି। ଅନ୍‌ଲାଇନ୍‌ରେ ସମସ୍ତ ଟିକଟ୍‌ ଦୁଇ ଘଣ୍ଟା ମଧ୍ୟରେ ଶେଷ ହେବା ପରେ ଓସିଏ ସ୍ବୀକୃତିପ୍ରାପ୍ତ ଜିଲ୍ଲା, ସ୍କୁଲ୍‌, କଲେଜ, କ୍ଲବ୍‌ ମାନଙ୍କୁ ୧୬ ଓ ୧୭ ତାରିଖରେ ଟିକଟ୍‌ ବିକ୍ରି କରାଯିବ। ସାଧାରଣ ଦର୍ଶକଙ୍କ ପାଇଁ ୧୯ ଓ ୨୦ ତାରିଖରେ କାଉଣ୍ଟର୍‌ରେ ଟିକଟ୍‌ ବିକ୍ରି ହେବ।

ଉଭୟ ଦଳ ୧୯ ତାରିଖରେ ବିଶାଖାପାଟଣାରୁ ଆସି ଦିନ ୧୨ଟା ୧୦ରୁ ୧ଟା ୧୦ ମିନିଟ୍‌ ମଧ୍ୟରେ ଭୁବନେଶ୍ବରରେ ପହଞ୍ଚିବେ। ୨୦ ଓ ୨୧ ତାରିଖରେ ଖେଳାଳିମାନେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ। ‌ୱେଷ୍ଟ୍‌ଇଣ୍ଡିଜ୍‌ ସକାଳ ୯ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଓ ଭାରତ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ମ୍ୟାଚ୍‌କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଓସିଏ ପକ୍ଷରୁ ୨୫ ସବ୍‌ କମିଟି ଗଠନ କରାଯାଇଛି। ସମସ୍ତ କମିଟି ସଦସ୍ୟମାନଙ୍କୁ ନେଇ ସୋମବାର ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା। ଅତିଥିଙ୍କୁ ଏଠାରୁ ଭଲ ଅଭିଜ୍ଞତା ଯେପରି ମିଳିପାରିବ, ତାହା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ବିଶେଷକରି ଖେଳାଳିମାନଙ୍କର ଯିବା ଆସିବା, ରହିବା ମଧ୍ୟରେ କୌଣସି ପ୍ରକାରର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୁଲିସ ପ୍ରଶାସନକୁ ସବୁପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିସହିତ ରାଜ୍ୟ ସରକାର ମଧ୍ୟ ଆବଶ୍ୟକୀୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଖେଳାଳିମାନଙ୍କର ଆସିବାଠୁ ଆରମ୍ଭ କରି ହୋଟେଲରେ ରହିବା, ଷ୍ଟାଡିୟମକୁ ଯିବା ଆସିବା ଓ ଭୁବନେଶ୍ବର ଛାଡ଼ିବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବଳୟ ରହିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦର୍ଶକମାନେ ଷ୍ଟାଡିୟମକୁ ଆସିବେ। ସକାଳ ସାଢ଼େ ୯ଟାରେ ଦର୍ଶକଙ୍କ ପାଇଁ ଗେଟ୍‌ ଖୋଲିଦିଆଯିବ। ପୁଲିସ ସହିତ ଘରୋଇ ସୁରକ୍ଷାକର୍ମୀ ଦର୍ଶକଙ୍କୁ ଯାଞ୍ଚ କରିବା ପରେ ଭିତରକୁ ଛାଡ଼ିବେ।

ଗ୍ୟାଲେରି ଭିତରକୁ ପାଣି ବୋତଲ, ଖାଦ୍ୟ, ଫଳ, ପାଣି ପାଉଚ, କୌଣସି ବିସ୍ଫୋରକ ସାମଗ୍ରୀ, ଛୁରି କିମ୍ବା କୌଣସି ଫିଙ୍ଗାଯାଇପାରୁଥିବା ସମାଗ୍ରୀ ନେବାକୁ ବାରଣ କରାଯାଇଛି। ଦର୍ଶକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଇ ଦେବାକୁ ଗ୍ୟାଲେରିରେ ଟ୍ୟାପ ସ˚ଯୋଗ କରାଯିବ। ଏଥିସହିତ ବଡ଼ ପାଣି ଜାର‌୍‌ ଓ ଗ୍ଲାସ୍‌ ବିଭିନ୍ନ ସ୍ଥାନରେ ରଖାଯିବ ବୋଲି କୁହାଯାଇଛି। ଦର୍ଶକଙ୍କ ଖାଇବା ପାଇଁ ଗ୍ୟାଲେରି ବାହାରପଟେ ଖାଦ୍ୟ ଷ୍ଟଲ ରହିବ। ସୁଲଭ ମୂଲ୍ୟରେ ଖାଦ୍ୟସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଥିଲା ବେଳେ ଭେଣ୍ଡରମାନେ ସେମାନଙ୍କ ଖାଦ୍ୟ ଦରକୁ ଷ୍ଟଲ୍‌ ସମ୍ମୁଖରେ ପ୍ରଦର୍ଶିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଗ୍ୟାଲେରିଗୁଡ଼ିକରେ ନୂଆ ପରିସ୍ରାଗାରର ନିର୍ମାଣ କରାଯାଇଛି। ପୁରୁଣା ପରିସ୍ରାଗାରଗୁଡ଼ିକୁ ମରାମତି କରାଯାଇଥିଲା ବେଳେ ଏହାପାଖକୁ ଆଉ ଅଧିକ ନୂଆ ପରିସ୍ରାଗାର ନିର୍ମାଣ ହୋଇଛି। ଯେପରି ଗ୍ୟାଲେରିରୁ କୌଣସି ସାମଗ୍ରୀ ପଡ଼ିଆ ଭିତରକୁ ନଆସିପାରିବ, ସେଥିପାଇଁ ସମସ୍ତ ଗ୍ୟାଲେରି ସମ୍ମୁଖରେ ଜାଲ ବନ୍ଧାଯିବ।
ଷ୍ଟାଡିୟମକୁ ଆସୁଥିବା ଦର୍ଶକ, ସୁରକ୍ଷାକର୍ମୀ, ଖେଳାଳି, ଅତିଥି, ଭିଆଇପି ଇତ୍ୟାଦିଙ୍କ ପାଇଁ ୫ଟି ପାର୍କି˚ ସ୍ଥାନ କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ବାଲିଯାତ୍ରା ପଡ଼ିଆ, ଓସିଏ ସଦସ୍ୟମାନଙ୍କ ପାଇଁ କ୍ରିକେଟ୍‌ ଏକାଡେମି, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍‌, ବିସିସିଆଇ ଅଧିକାରୀ, ମ୍ୟାଚ୍‌ ରେଫରି, ଅମ୍ପାୟାର, ଖେଳାଳି, ଓସିଏ କର୍ମଚାରୀଙ୍କ ପାଇଁ ଷ୍ଟାଡିୟମ ପରିସରସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ୍‌, ବିଚାରପତି ଓ ଟିଭି କ୍ରିଉ ସଦସ୍ୟଙ୍କ ପାଇଁ ହର୍ସ ଗେଟ୍‌ ସମ୍ମୁଖରେ ପାର୍କି˚ ବ୍ୟବସ୍ଥା ହୋଇଛି। ମ୍ୟାଚ୍‌ ବେଳେ ପଡ଼ିଆ ଓ ଦର୍ଶକଙ୍କ ସହ ଅନ୍ୟାନ୍ୟ ସମ୍ପତ୍ତି ପାଇଁ ୨୧ କୋଟି ୭୧ ଲକ୍ଷ ୭୦ ହଜାର ଟଙ୍କାର ବୀମା କରାଯାଇଛି। ମ୍ୟାଚ୍‌ ବେଳେ ଦର୍ଶକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ପାଖାପାଖି ୮୦ ସିସି କ୍ୟାମେରା ଲଗାଯିବ। ଟିକଟ୍‌ ବିକ୍ରି ବେଳେ ମଧ୍ୟ କାଉଣ୍ଟର୍‌ ପାଖରେ କ୍ୟାମେରା ଲାଗିବ ବୋଲି ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବା, ବାଙ୍କୀ ବିଧାୟକ ଦେବୀର˚ଜନ ତ୍ରିପାଠୀ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ବେଗୁନିଆ ବିଧାୟକ ରାଚେନ୍ଦ୍ର କୁମାର ସାହୁ, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, କାଉନସିଲ ସଦସ୍ୟ ସୁବାଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର